ପ୍ରୋ ହକି ଲିଗ୍‌ରୁ ଅଲିମ୍ପିକ୍ସ ପ୍ରସ୍ତୁତି, ୧୮ରୁ କଳିଙ୍ଗରେ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ପ୍ରଥମ ଥର ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍ ଖେଳିବାକୁ ଯାଉଥିବା ଭାରତ ଏହି ପ୍ରତିଯୋଗିତାକୁ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପର୍ବ ଭାବେ ନେବ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ ହକିକୁ ଫେରି ଭାରତର ଅଲିମ୍ପିକ୍ସ ଯୋଗ୍ୟତା ହାସଲରେ ପ୍ରମୁଖ ଭୂମିକା ତୁଲାଇଥିବା ଅଭିଜ୍ଞ ଡ୍ରାଗ ଫ୍ଲିକର ରୂପୀନ୍ଦର ପାଲ ସିଂହ ଗୁରୁବାର ଏହା କହିଛନ୍ତି। କଳିଙ୍ଗ ଷ୍ଟାଡିୟମରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଅଲିମ୍ପିକ୍ସ ଟିକେଟ ହାସଲ କରିବା ନେଇ ମଧ୍ୟ ରୂପୀନ୍ଦର ବେଶ୍ ଉତ୍ସାହିତ ଅଛନ୍ତି। ଭାରତ ପ୍ରୋ ହକି ଲିଗ୍‌ରେ ନିଜ ଘରୋଇ ମ୍ୟାଚ୍ ସେହି କଳିଙ୍ଗ ଷ୍ଟାଡିୟମରେ ଖେଳିବାର ସମ୍ଭାବନା ଥିବାରୁ ରୂପୀନ୍ଦର ଏଥିନେଇ ବହୁତ ଖୁସି ଅଛନ୍ତି। ପ୍ରୋ ହକି ଲିଗ୍‌ରେ ମଧ୍ୟ ଭାରତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ସଫଳତାକୁ ଦୋହରାଇବ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି। ଆମର ପ୍ରଥମ ଲକ୍ଷ୍ୟ ଥିଲା ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା। ଏହି ଲକ୍ଷ୍ୟ ପୂରଣ ହୋଇ ସାରିଥିବାରୁ ଏବେ ଆମେ ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେବୁ। ଏଥିଲାଗି ଆମ ପାଖରେ ୯ ମାସ ସମୟ ଅଛି। ଆମେ ଏଥିରେ ଶୀର୍ଷ ସ୍ତରୀୟ ଦଳ ବିପକ୍ଷରେ ଖେଳି ନିଜ ଦକ୍ଷତାକୁ ଆହୁରି ଶାଣିତ କରିବା ସହ ଦୋଷ ତ୍ରୁଟିକୁ ସୁଧାରିବାକୁ ପ୍ରୟାସ କରିବୁ ‌ବୋଲି ରୂପୀନ୍ଦର ଏକ ସାକ୍ଷାତକାର ଅବସରରେ କହିଛନ୍ତି।

୧୮ରୁ କଳିଙ୍ଗରେ ପ୍ରଶିକ୍ଷଣ ଶିବିର
ଆସନ୍ତାବର୍ଷ ଜାନୁଆରିରୁ ଆରମ୍ଭ ହେଉଥିବା‌ ‌ପ୍ରୋ ହକି ଲିଗ୍ ପାଇଁ ଆସନ୍ତା ୧୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଦଳର ପ୍ରଶିକ୍ଷଣ ଶିବର ଆରମ୍ଭ ହେବ। ଏହି ପ୍ରଶିକ୍ଷଣ ଶିବିର ତିନି ସପ୍ତାହ ଧରି ଚାଲିବ। ରୂପୀନ୍ଦର ଗୁରୁବାର ଦେଇଥିବା ସାକ୍ଷାତକାର ଅବସରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରୋ ହକି ଲିଗ୍ ପୂର୍ବରୁ ଭୁବନେଶ୍ବରରେ ହେବାକୁ ଥିବା ଆମ ପ୍ରଶିକ୍ଷଣ ଶିବିର ୩ ସପ୍ତାହ ଧରି ଚାଲିବ। ଏଥିରେ ଆମକୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରଦର୍ଶନ ନେଇ ବିବରଣୀ ପ୍ରଦାନ କରାଯିବ। ଏହା ପରେ ନୂଆ ଋତୁ ଲାଗି ଫିଟନେସ୍ ଉପରେ ଗୁରୁତ୍ବ ‌ଦେବୁ। ଏହି ମହତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଆହତ ପରିଚାଳନା ଏବଂ ଏଥିନେଇ ପ୍ରତିଷେଧକ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯିବ। ସୂଚନାଯୋଗ୍ୟ ଯେ ଭାରତ କଳିଙ୍ଗ ଷ୍ଟାଡିୟମରେ ଖେଳିଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ପୁରୁଷ ବର୍ଗରେ ରୁଷିଆକୁ ପରାସ୍ତ କରିଥିଲା ବେଳେ ମହିଳା ଦଳ ଆମେରିକାକୁ ମାତ୍ ଦେଇଥିଲା। ଏହି ସଫଳତା ବଳରେ ଭାରତୀୟ ପୁରୁଷ ଦଳ ଟୋକିଓରେ ୨୦ତମ ଏବଂ ମହିଳା ଦଳ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବ। ପ୍ରକାଶ ଥାଉ କି ଶକ୍ତିଶାଳୀ ନେଦରଲାଣ୍ଡ ବିପକ୍ଷରେ ଭାରତ ତା’ର ପ୍ରୋ ହକି ଲିଗ୍ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର