ବିଶ୍ବ ଯୁଦ୍ଧ ପାଇଁ ୩ ଥର ଅଟକିଥିଲା ଅଲିମ୍ପିକ୍ସ

ଲଣ୍ଡନ: ଜୁଲାଇ ଓ ଅଗଷ୍ଟରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଠିକଣା ସମୟରେ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ ସଂଘ (ଆଇଓସି) ଓ ଟୋକିଓ ୨୦୨୦ ଆୟୋଜକ ଦୃଢ ବିଶ୍ବାସ ରଖିଛନ୍ତି। କିନ୍ତୁ କରୋନା ଭୂତାଣୁ କାୟା ବିସ୍ତାର କାରଣରୁ ଏହି ମର୍ଯ୍ୟାଦାଜନକ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ବନ୍ଦ ରଖିବାକୁ ଦାବି କ୍ରମେ ଜୋର ଧରିଛି। ଏଥର ଅଲିମ୍ପିକ୍ସ ବିଳମ୍ବ ହେବା ଆଶଙ୍କା ନିଶ୍ଚିତ ବି ଲାଗୁଛି। କିଛି ମାସ, ଗୋଟିଏ ବର୍ଷ ଏପରିକି ଦୁଇ ବର୍ଷ ସ୍ଥଗିତ ରହିବା ଆଶଙ୍କା କରାଯାଉଛି। ଟୋକିଓ ଅଲିମ୍ପିକ୍ସ ଘୁଞ୍ଚିଲେ କିନ୍ତୁ ଏହା ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ହେବ ନାହି।

କେବଳ ବିଶ୍ବ ଯୁଦ୍ଧ ହିଁ ଦୁଇ ଥର ତିନିଟି ସଂସ୍କରଣକୁ ପ୍ରଭାବିତ କରିଥିଲା। ପ୍ରଥମ ବିଶ୍ବଯୁଦ୍ଧ ପାଇଁ ୧୯୧୬ ଓ ଦ୍ବିିତୀୟ ବିଶ୍ବଯୁଦ୍ଧ କାରଣରୁ ୧୯୪୦ ଓ ୧୯୪୪ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇପାରିନଥିଲା। ଏହା ବ୍ୟତୀତ ଏକାଧିକ ଥର ବିଭିନ୍ନ କାରଣରୁ ଆୟୋଜନ ସ୍ଥାନ ବଦଳିଥିଲା। ୧୯୦୬ ଭୟଙ୍କର ଅଗ୍ନି ଉଦ୍‌ଗିରଣ ପାଇଁ ୧୯୦୮ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସକୁ ରୋମ୍‌ରୁ ଲଣ୍ଡନ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ କିନ୍ତୁ ଟେଲିଭିଜନ ଓ ପେସାଦାର କ୍ରୀଡ଼ାବିତଙ୍କ ବିନା ଖେଳା ଯାଉଥିବାରୁ ଷ୍ଟାଡିୟମ ନିର୍ମାଣ ଲାଗି ଆବଶ୍ୟକ ୧୦ ମାସ ଆଗରୁ ହିଁ ନିଷ୍ପତ୍ତି ହୋଇପାରୁଥିଲା। ଆର୍ଥିକ ସଙ୍କଟ କାରଣରୁ କିନ୍ତୁ ଅଲିମ୍ପିକ୍ସ ବନ୍ଦ ହୋଇପାରିନଥିଲା। ୧୯୨୯ରୁ ୧୯୩୦ ଶେଷ ଭାଗ ପର୍ଯ୍ୟନ୍ତ ବିଶ୍ବରେ ମାନ୍ଦାବସ୍ଥା ଲାଗି ରହିବା ସତ୍ତ୍ବେ ୧୯୩୨ ଲସ୍ ଏଞ୍ଜେଲ୍‌ସ ଅଲିମ୍ପିକ୍ସ ଯଥାରୀତି ହୋଇଥିଲା। ୪ ବର୍ଷିଆ ଅଲିମ୍ପିକ୍ସକୁ କେବଳ ବିଶ୍ବଯୁଦ୍ଧ ହିଁ ବନ୍ଦ କରିପାରିନଥିଲା। ଯୋଜନା ଅନୁସାରେ ଥିବା ୧୯୧୬ ବର୍ଲିନ୍ ଗେମ୍ସ ଖେଳାଯାଇପାରିନଥିଲା। ୧୯୪୦ ଅଲିମ୍ପିକ୍ସକୁ ଟୋକିଓରୁ ହେଲସିଙ୍କୀ ନିଆଯାଇଥିଲା ମଧ୍ୟ ସମ୍ଭବ ହୋଇନଥିଲା। ୧୯୩୭ରେ ଜାପାନର ଚୀନ୍‌ ଅନୁପ୍ରବେଶ ପରେ ୧୯୪୦ ଅଲିମ୍ପିକ୍ସ ହୋଇପାରିନଥିଲା। ଲଣ୍ଡନ୍‌ ୧୯୪୪ ସଂସ୍କରଣକୁ ସଫଳତାର ସହ ଆୟୋଜନ ଅଧିକାର ପାଇଥିଲେ ମଧ୍ୟ କରିପାରିନଥିଲା। ୧୯୪୮ରେ ଏହାକୁ ଲଣ୍ଡନ୍‌ ଆୟୋଜନ କରିଥିଲା। ସେହିଭଳି ବିଶ୍ବଯୁଦ୍ଧ କାରଣରୁ ୧୯୪୦ (ସାପୋରୋ, ଜାପାନ) ଏବଂ ୧୯୪୪ (କୋର୍ଟିନା ଡି ଆମ୍ପେଜୋ, ଇଟାଲି) କ୍ରୀଡ଼ା ମଧ୍ୟ ବାତିଲ ହୋଇଥିଲା।

୧୯୭୦ ମସିହାରେ କେଲୋରାଡୋକୁ ୧୯୭୬ ଶୀତକାଳୀନ କ୍ରୀଡ଼ା ଆୟୋଜନ ଅଧିକାର ପ୍ରଦାନ କରାଯାଇଥିଲା। କିନ୍ତୁ ପରିବେଶ ଚିନ୍ତା ଓ ଜନସାଧାରଣଙ୍କ ବିରୋଧ କାରଣରୁ ୧୯୭୨ ମସିହାରେ ଆମେରିକା ଏଥିରୁ ଓହରିଯାଇଥିଲା। ବର୍ଜନ ଘଟଣା ଦେଖିଲେ ୩ ଥର ପ୍ରମୁଖ ରହିଛି। ୧୯୭୬ ମଣ୍ଟ୍ରିଲ୍‌, ୧୯୮୦ ମସ୍କୋ ଏବଂ ୧୯୮୪ ଲସ୍ ‌ଏଞ୍ଜେଲ୍‌ସ ଅଲିମ୍ପିକ୍ସ କିନ୍ତୁ ବର୍ଜନ ଭିତରେ ଆଗକୁ ବଢ଼ିଥିଲା। ୧୯୭୨ ମ୍ୟୁନିକ୍‌ ଗେମ୍ସ ଉପରେ ଉଗ୍ରବାଦୀ ଆକ୍ରମଣ କାରଣରୁ ୧୧ ଜଣ ଇସ୍ରାଏଲ୍‌ କ୍ରୀଡ଼ାବିତ୍‌, ଜଣେ ଜର୍ମାନ ପୁଲିସ୍‌ ଏବଂ ୫ ପାଲେଷ୍ଟାନୀୟ ମୃତ୍ୟୁ ବରଣ କରିଥିଲେ। ଅଲିମ୍ପିକ୍ସ କିନ୍ତୁ ୩୪ ଘଣ୍ଟା ଅଟକିବା ପରେ ଜାରି ରହିଥିଲା। ଏବେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଯଦି ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୧କୁ ଘୁଞ୍ଚିବ ତେବେ ୪ ବର୍ଷିଆ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ପ୍ରଥମ ଥର ବ୍ୟତିକ୍ରମ ଘଟିବ।

ସମ୍ବନ୍ଧିତ ଖବର