ଭୁବନେଶ୍ବର: ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ତ୍ରୟୋଦଶ ଭାରତୀୟ ବନ୍ଧୁକଚାଳକ ଭାବେ ପ୍ୟାରିସ ଅଲିମ୍ପିକ୍‌ ଟିକେଟ୍‌ କରାୟତ୍ତ କରିଛନ୍ତି। କୋରିଆର ଚାଙ୍ଗଓନରେ ଚାଲିଥିବା ଏସୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ମଙ୍ଗଳବାର ମହିଳା ୫୦ ମିଟର ରାଇଫଲ ୩ ପୋଜିସନ ଇଭେଣ୍ଟ୍‌ରେ ସେ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିବା ସହ ପ୍ୟାରିସ ଟିକେଟ୍‌ ହାତେଇ ନେଇଛନ୍ତି। ୪୫ ସୁଟ୍‌ ଫାଇନାଲ୍‌ରେ ୪୩ତମ ସଟ୍‌‌ ସୁଦ୍ଧା ୪୪୦.୫ ସ୍କୋର୍‌ କରି ପଦକ ଦୌଡ଼ରୁ ବାଦ୍‌ ପଡ଼ିଥିଲେ। କୋରିଆର ଲି ଉନସିଓ ସ୍ବର୍ଣ୍ଣ, ଏୟାର ରାଇଫଲ ବିଶ୍ବ ବିଜେତା ଚୀନ୍‌ର ହାଁ ଜିଆୟୁ ରୌପ୍ୟ ଓ ଜିଆ ସିୟୁ କାଂସ୍ୟ ଜିତିଥିଲେ।

Advertisment

ଯୋଗ୍ୟତା ପର୍ଯ୍ୟାୟରେ ଭାରତ ସିଫ୍ଟ କୌର ସମରା (୫୯୨), ଆଶି ଚୌକ୍‌ସି (୫୯୧) ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଥିଲେ। ହେଲେ ସିଫ୍ଟ ରୢାଙ୍କିଂ ପଏଣ୍ଟ ପାଇଁ ଖେଳୁଥିବାରୁ ସେ ଫାଇନାଲ୍‌ରେ ଅଂଶଗ୍ରହଣ କରି ନଥିଲେ। ଆଶିଙ୍କ ବ୍ୟତୀତ ‌ଅନ୍ୟ ଦୁଇ ଭାରତୀୟ ଶ୍ରୀୟଙ୍କା (୫୮୮) ଷଷ୍ଠ ଓ ଆୟୁଷୀ ପୋଦ୍ଦାର (୫୮୭) ନବମ ସ୍ଥାନରେ ରହି ଫାଇନାଲ୍‌ରେ ପହଞ୍ଚିଥିଲେ। ଫାଇନାଲ୍‌ରେ ପ୍ରଥମ ୫ ସଟ୍‌ ସୁଦ୍ଧା ଶ୍ରୀୟଙ୍କା ୫୧.୩ ସ୍କୋର୍‌ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ତାଙ୍କ ସାଥୀ ପ୍ରତିଦ୍ବନ୍ଦ୍ବୀ ଆଶି ଓ ଆୟୁଷୀ ଷଷ୍ଠ ଓ ସପ୍ତମ ସ୍ଥାନ ଅଧିକାର କରିଥିଲେ। ହେଲେ ୧୦ ସଟ୍‌ ବେଳକୁ ହାଁ ଓ ଲି ୧-୨ ସ୍ଥାନ ଅଧିକାର ନେଇଥିଲେ। ଶ୍ରୀୟଙ୍କା ଚତୁର୍ଥକୁ ଖସି ଆସି ଶେଷ ପର୍ଯ୍ୟନ୍ତ ଏହି ସ୍ଥାନ ବଜାୟ ରଖିଥିଲେ। ଏହା ପୂର୍ବରୁ ଶ୍ରୀୟଙ୍କା, ଆଶି ଓ ଆୟୁଷୀଙ୍କୁ ନେଇ ଗଠିତ ଭାରତୀୟ ଦଳ ୫୦ ମିଟର ରାଇଫଲ ୩ ପୋଜିସନ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ଶ୍ରୀୟଙ୍କାଙ୍କ ବ୍ୟକ୍ତିଗତ ଦ୍ବିତୀୟ ପଦକ। ତିଳୋତ୍ତମା ସେନ ଓ ରମିତାଙ୍କ ସହ ମିଶି ସେ ଗତ ଶୁକ୍ରବାର ୧୦ ମିଟର ଏୟାର ରାଇଫଲ ମହିଳା ଦଳଗତରେ କାଂସ୍ୟ ଜିତିଥିଲେ।

ସମ୍ବଲପୁରରେ ଜନ୍ମିତ ଶ୍ରୀୟଙ୍କା କାଇରୋ ବିଶ୍ବକପ୍‌ରେ କାଂସ୍ୟ ଏବଂ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ସେନା ଅଧିକାରୀ ସୀତାଂଶୁ ଷଡ଼ଙ୍ଗୀ ଓ ସୁଧା ଷଡ଼ଙ୍ଗୀଙ୍କ ୨୮ ବର୍ଷୀୟା ଝିଅ ଶ୍ରୀୟଙ୍କା ସଂପ୍ରତି କିଟ୍‌ ବିଶ୍ବବିଦ୍ୟାଳୟ‌ରେ ଏମ୍‌ବିଏ ପଢ଼ୁଛନ୍ତି। ଶ୍ରୀୟଙ୍କା ଅଲିମ୍ପିକ୍‌ ଟିକେଟ୍‌ କରାୟତ୍ତ କରିଥିବାରୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇ ଆଗାମୀ ପ୍ରତିଯୋଗିତା ଲାଗି ସଫଳତା କାମନା କରିଛନ୍ତି। ସମର୍ଥନ ଓ ମାର୍ଗଦର୍ଶନ ଲାଗି ଶ୍ରୀ ସାମନ୍ତଙ୍କୁ ମଧ୍ୟ ଶ୍ରୀୟଙ୍କା ଧନ୍ୟବାଦ ଜଣାଇଛନ୍ତି।