ଭଲିବଲ୍‌ରେ ଅଲିମ୍ପିକ୍‌ ଯୋଗ୍ୟତା କଷ୍ଟସାଧ୍ୟ ପଥ: ଶ୍ରୀଧରନ୍‌

ଭୁବନେଶ୍ବରରେ ଭଲିବଲ୍‌ ଦ୍ରୋଣାଚାର୍ଯ୍ୟ

ଭୁବନେଶ୍ବର: ଆସନ୍ତା ମାସରେ ଚୀନ୍‌ର ଗୁଆଙ୍ଗଜୁରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଭଲିବଲ୍‌ ପ୍ରତିଯୋଗିତାରେ ଭାରତ ଭାଗନେବ। ଓଡ଼ିଶାରେ ଚାଲିଥିବା ୬୮ତମ ଜାତୀୟ ଭଲିବଲ୍‌ ପ୍ରତିଯୋଗିତା ଶେଷରେ ଭାରତୀୟ ପୁରୁଷ ଦଳର ଦୁଇ ଦିନିଆ ଶିବିର କିଟ୍‌ରେ ଅନୁଷ୍ଠିତ ହେବା ପରେ ଏଠାରୁ ନୂଆଦିଲ୍ଲୀ ହୋଇ ଗୁଆଙ୍ଗଜୁ ଯିବ ଭାରତ। କିନ୍ତୁ ଟୋକିଓ ଟିକେଟ୍ ଅର୍ଜନ କରିବା ଏକ କଷ୍ଟକର ପଥ ବୋଲି ସ୍ବୀକାର କରିଛନ୍ତି ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଭାରତୀୟ ପୁରୁଷ ଦଳର ପ୍ରଶିକ୍ଷକ ଜି ଇ ଶ୍ରୀଧରନ। ଏସିଆର ଶ୍ରେଷ୍ଠ ୮ ଦଳ ଏଥିରେ ଭାଗନେବାକୁ ଯାଉଛନ୍ତି। ଏସୀୟ କ୍ରୀଡ଼ା ଜାପାନ ଯୋଗ୍ୟତା ଅର୍ଜନ କରି ସାରିଥିବାରୁ ଏବେ ଦ୍ବିତୀୟ ଏସୀୟ ଦଳକୁ ସୁଯୋଗ ମିଳିବ। ଭାରତୀୟ ଦଳ ଭଲ ରହିଛି, କିନ୍ତୁ ଆମ ସହିତ ପୁଲ୍‌ ‘ବି’ରେ ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, କାତାର ଏବଂ ପୁଲ୍‌ ‘ଏ’ରେ ଆ‌‌‌ୟୋଜକ ଚୀନ୍‌ ସହିତ ଚାଇନିଜ୍ ତାଇପେ, ଇରାନ୍ ଓ କାଜାକସ୍ତାନ ଭଳି ବଡ଼ ଦଳ ରହିଛନ୍ତି। ‌ଏକମାତ୍ର ବିଜେତା ଦଳ ହିଁ ଯୋଗ୍ୟତା ଅର୍ଜନ କରିବାର ଥିବାରୁ ଏହା କଷ୍ଟକର ବ୍ୟାପାର। ଆମେ କିନ୍ତୁ ଶ୍ରେଷ୍ଠ ପ୍ରଦର୍ଶନ ଦେବୁ ଓ ଶତଚେଷ୍ଟା କରିବୁ ବୋଲି ଗୁରୁବାର ‘ସମ୍ବାଦ’ ସହ କଥା ହେବାବେଳେ କହିଥିଲେ ୭୫ ବର୍ଷୀୟ ଶ୍ରୀଧରନ୍‌।
ଭଲିବଲ୍‌ ବଢ଼ୁଛି

ଭାରତରେ ଭଲିବଲ୍‌ କ୍ରମେ ବଢ଼ିବାରେ ଲାଗିଛି। ପ୍ରୋ ଭଲିବଲ୍‌ ଲିଗ୍‌ର ବଡ଼ ଅବଦାନ ରହିଛି। ଆମେ ଏସୀୟ ସ୍ତରରେ ଭଲ କରିବା ଆରମ୍ଭ କରିଛୁ। ବିଶ୍ବରେ ୨୨୧ ଦେଶ ଭଲିବଲ୍‌ ଖେଳୁଥିବା ବେଳେ ଆମ ମାନ୍ୟତା ୧୪୦ ଭିତରେ ରହିଛି। ନିକଟରେ ଭାରତୀୟ ପୁରୁଷ ଓ ମହିଳା ଦଳ ଯଥାକ୍ରମେ ପାକିସ୍ତାନ ଓ ନେପାଳକୁ ହରାଇ ସାଗ୍ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଗତବର୍ଷ ଏସୀୟ ୨୩ ବର୍ଷରୁ କମ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ମଧ୍ୟ ଜିତିଥିଲା। ସରକାରୀ ସହାୟତା ମିଳିଲେ ଏହି ଖେଳ ନିଶ୍ଚିତ ଆଗକୁ ବଢ଼ିପାରନ୍ତା। ପ୍ରାୟୋଜକମାନେ ମଧ୍ୟ ବିଶ୍ବର ଏହି ଦ୍ବିତୀୟ‌ ଲୋକପ୍ରିୟ ଖେଳକୁ ଆପଣାଇବାର ଆବଶ୍ୟକତା ରହିଛି। ଅଧିକରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିପାରିଲେ ଦେଶର ଭଲିବଲ୍‌ ସାମଗ୍ରିକ ଭାବେ ବଢ଼ିପାରନ୍ତା ବୋଲି କହିଥିଲେ ଶ୍ରୀଧରନ।

ଓଡ଼ିଶା ଓ କିଟ୍‌କୁ ଧନ୍ୟବାଦ
ଓଡ଼ିଶା ହକିକୁ ଢେର ସମର୍ଥନ କରିସାରିଛି। ଏଥିପାଇଁ ସରକାରଙ୍କ ସାଧୁବାଦକୁ ସାବାସୀ ଦେଉଛି। ଭଲିବଲ୍‌ ଭଳି ଲୋକପ୍ରିୟ ଖେଳକୁ ଓଡ଼ିଶା ସରକାର ପ୍ରୋତ୍ସାହିତ କରିପାରିଲେ ନିଶ୍ଚିତ ଏହା ଶୀର୍ଷରେ ପହ‌ଞ୍ଚିପାରନ୍ତା। ଏହି ଖେଳର ଏକ ହାଇପରଫର୍ମାନ୍ସ ସେଣ୍ଟର୍‌ ମଧ୍ୟ ଓଡ଼ିଶାରେ ଖୋଲିଲେ ସୁଫଳ ମିଳନ୍ତା। ପ୍ରଥମ ଥର ପାଇଁ ଜାତୀୟ ଭଲିବଲ୍‌ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍‌ ଗୋଟିଏ ଭେନ୍ୟୁ ଏବଂ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଖେଳାଯିବାର ସୁଯୋଗ ଦେଇଥିବାରୁ କିଟ୍‌ ବିଶ୍ବବିଦ୍ୟାଳୟକୁ ଧନ୍ୟବାଦ ମଧ୍ୟ ଜଣାଉଛି। ଓଡ଼ିଶାର ଲୋକମାନେ ଅତି ସାଧାରଣ ଏବଂ ଖେଳୁଆଡ ଚରିତ୍ରର। ଆତିଥେୟତା ବି ଭଲ। ଏଠାରେ ଜାତୀୟ ପ୍ରତିଯୋଗିତା‌ ଖେଳିବା ସମସ୍ତଙ୍କ ପାଇଁ ସ୍ମରଣୀୟ ରହିବ। ଆସନ୍ତା ବର୍ଷର ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଏଠାରୁ ଭଲ ମାନସିକତାରେ ଖେଳାଳିମାନେ ଫେରିବେ ବୋଲି କହିଥିଲେ ଶ୍ରୀଧରନ।

ଜମ୍ମା, ଦାଶ, ମୁରୁଡି
ଓଡ଼ିଶା ଭଲିବଲ୍‌ ଦଳଗତ ଭାବେ ଭଲ କରିପାରିନି। ତଥାପି ବିକାଶ ପଥରେ ରହିଛି। ମୋ ସମୟରେ ଜମ୍ମା (ମହମ୍ମଦ ମସିଉଜ୍‌ ଜମ୍ମା), ଦାଶ (ଲୋତକବିନ୍ଦୁ) ଭାରତୀୟ ଦଳରୁ ଖେଳିଥିଲେ। ପରବର୍ତୀ ସମୟରେ ମୋ ପ୍ରଶିକ୍ଷଣରେ ଭାରତୀୟ ଯୁବ ଦଳ ପୋଲାଣ୍ଡ୍‌ ଏବଂ ଇଟାଲି ଗସ୍ତ କରିଥିବା ବେଳେ ଲିବେରୋ ରବୀନ୍ଦ୍ର ମୁରୁଡି ପ୍ରତିନିଧିତ୍ବ କରିଥିଲେ। ସମସ୍ତେ ଚମତ୍କାର ଖେଳାଳି ଥିଲେ। ସରକାରୀ ସହାୟତା ଏବଂ ପ୍ରା‌‌ୟୋଜକଙ୍କ ସମର୍ଥନ ମିଳିଲେ ଓଡ଼ିଶା ଦଳଗତ ଭାବେ ୨/୩ ବର୍ଷ ଭିତରେ ଦେଶରେ ଅନ୍ୟତମ ଶୀର୍ଷ ଦଳ ଭାବେ ଉଭା ହୋଇପାରିବ।

ସିଓଲ୍‌ କାଂସ୍ୟ ସବୁଠୁ ସ୍ମରଣୀୟ
ଅଶି ଦଶକରେ ଭାରତୀୟ ଭଲିବଲ୍‌ ଦଳର ସବୁଠୁ ଲମ୍ବା ଖେଳାଳି (୧୯୨ ସେଣ୍ଟିମିଟର୍‌) ଥିଲେ ତାମିଲନାଡୁ ଖେଳାଳି ଶ୍ରୀଧରନ। ଭାରତୀୟ ଭଲିବଲ୍ ଦଳର ସ୍ବର୍ଣ୍ଣିମ ସମୟର ସେ ଶେଷ ବ୍ୟକ୍ତିତ୍ବ। ଏସୀୟ କ୍ରୀଡ଼ାରୁ ଭାରତକୁ ମିଳିଥିବା ସୀମିତ ୪ ପଦକ ମଧ୍ୟରୁ ଶେଷଟି ମିଳିଥିଲା ୧୯୮୬ ସିଓଲ୍‌ ସଂସ୍କରଣରୁ। ତୃତୀୟ ସ୍ଥାନ ମୁକାବିଲାରେ ଘରୋଇ ଜାପାନକୁ ହରାଇ କାଂସ୍ୟ ପଦକ ଜିତିବା ଏ ପର୍ଯ୍ୟନ୍ତ ବି ମୋ ପାଇଁ ସ୍ମରଣୀୟ ଏବଂ ଅଭୁଲା ମୁହୂର୍ତ ହୋଇରହିଛି‌ ବୋଲି କହିଥିଲେ ଉଭୟ ଅର୍ଜୁନ ଓ‌ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଶ୍ରୀଧରନ। ୧୯୭୭ରୁ ୧୯୯୧ ମସିହା ପର୍ଯ୍ୟନ୍ତ ଭାରତୀୟ ଦଳରୁ ଖେଳିଥିଲି। ପ୍ରଶିକ୍ଷଣରେ ବି ୨୫ ବର୍ଷ ପୂର୍ଣ୍ଣ କରିଛି। ସିଓଲ୍ ପଦକ ବିଜୟ କିନ୍ତୁ ସନ୍ଦୀପ ଶର୍ମା, ସୁଖପାଲ୍ ସିଂହ, ପିଭି ରମନ୍ନା, ଦଲେଇ ସିଂହ ‌ତୋରଙ୍କ ଭଳି ଖେଳାଳିଙ୍କ ପାଇଁ ସମ୍ଭବ ହୋଇଥିଲା ବୋଲି ମନେ ପକାଇଥିଲେ ଶ୍ରୀଧରନ। ସୂଚନା‌ଯୋଗ୍ୟ, ଭାରତର ଭଲିବଲ୍‌ ପ୍ରଦର୍ଶନ ପୁରୁଷଙ୍କ ୪ ଏବଂ ମହିଳାଙ୍କ ୧ ଏସୀୟ କ୍ରୀଡ଼ା ପଦକରେ ସୀମିତ ରହିଛି। ପୁରୁଷ ଦଳ ଦୁଇ ଥର କାଂସ୍ୟ (୧୯୫୮, ୧୯୮୬), ଥରେ ଲେଖା‌ଏଁ ସ୍ବର୍ଣ୍ଣ (୧୯୮୨) ଓ ରୌପ୍ୟ (୧୯୬୨) ଜିତିଛି। ମହିଳା ଦଳ ଥରେ ମାତ୍ର ଏସୀୟ କ୍ରୀଡ଼ା (୧୯୮୨, ନୂଆଦିଲ୍ଲୀ) ସ୍ବର୍ଣ୍ଣ ପଦକ ଜିତିଛି।

ସମ୍ବନ୍ଧିତ ଖବର