ଟୋକିଓ ଅଲିମ୍ପିକ୍ସ ଆଉ ୧୩ ଦିନ: ଟୋକିଓ ପହଞ୍ଚିଲା ଅଲିମ୍ପିକ୍‌ ମଶାଲ

ଟୋକିଓ : ଗୋଟିଏ ବର୍ଷର ବିଳମ୍ବ ପରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଛି। ଟୋକିଓ ଅଲିମ୍ପିକ୍ସ ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବ। ପ୍ରାୟ ୧୦୬ ଦିନର ଶୋଭାଯାତ୍ରା ପରେ ଶେଷରେ ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ଅଲିମ୍ପିକ୍‌ ମଶାଲ ଟୋକିଓରେ ପହଞ୍ଚିଛି। ‘‘ହୋପ୍‌ ଲାଇଟ୍‌ସ ଆୱାର ‌ୱେ’’ ବ୍ୟାନରରେ ମଶାଲକୁ କୋମାଜାୱା ଅଲିମ୍ପିକ୍‌ ଷ୍ଟାଡିୟମ୍‌ରେ ଏକ ଉତ୍ସବରେ ସ୍ବାଗତ କରାଯାଇଥିଲା। ଟୋକିଓ ରାଜ୍ୟପାଳ କୋଇକେ ୟୁରିକୋ ଅଲିମ୍ପିକ୍‌ ପାର୍କରେ ଉପସ୍ଥିତ ରହି ମଶାଲ ଶୋଭାଯାତ୍ରାର ଟୋକିଓ ଚରଣକୁ ଉନ୍ମୋଚନ କରିଥିଲେ। ମଶାଲ ଶୋଭାଯାତ୍ରାକୁ ସଫଳ କରିବା‌ରେ ସହାୟତା କରିଥିବା ସମସ୍ତଙ୍କୁ ରାଜ୍ୟପାଳ ଆନ୍ତରିକତା ସହ ଅଭିନନ୍ଦନ ଜଣାଇଥିଲେ। ଟୋକିଓ ପହଞ୍ଚିବା ପରେ ମଶାଲକୁ ତିନି ଥର ପାରାଲିମ୍ପିକ୍‌ ବନ୍ଧୁକଚାଳକ ଟାଗୁଚି ଆକି ପୋଡିୟମ୍‌ ପର୍ଯ୍ୟନ୍ତ ନେଇଥିଲେ। ତାଙ୍କ ସହିତ ପୂର୍ବତନ ଜାପାନୀ ପେସାଦାର ଟେନିସ୍‌ ଖେଳାଳି ମାସୁଓକା ସୁଜୋ ସାମିଲ ଥିଲେ। ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ମଶାଲ ଶୋଭାଯାତ୍ରା ଶୁକ୍ରବାର ଏଠାରେ ପହଞ୍ଚିବା ପରେ ଉଦ୍‌ଘାଟନୀ ଉତ୍ସବରେ ପ୍ରଜ୍ବଳନ ପୂର୍ବରୁ ଏବେ ଦୁଇ ସପ୍ତାହ ଧରି ସହର ପରିକ୍ରମା କରିବ।

ଗୋଟିଏ ପଟେ ଦର୍ଶକଶୂନ୍ୟ ଅଲିମ୍ପିକ୍‌ ପା‌ର୍କ ମଧ୍ୟରେ ମଶାଲକୁ ରାଜ୍ୟପାଳ ଉନ୍ମୋଚନ କରୁଥିବା ବେଳେ ଅନ୍ୟପଟେ ଅଲିମ୍ପିକ୍‌ ପାର୍କ ବାହାରେ ଅଲିମ୍ପିକ୍‌ ଆୟୋଜନକୁ ବିରୋଧ କରୁଥିବା ଗୋଷ୍ଠୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କରୋନା ମହାମାରୀ ବେଳେ ଅଲିମ୍ପିକ୍‌ ଆୟୋଜନ ନକରିବାକୁ ବିକ୍ଷୋଭକାରୀ ମାନେ ସ୍ଲୋଗାନ୍‌ ଦେଉଥିଲେ।

ଖେଳାଳିଙ୍କ ସହ ମଙ୍ଗଳବାର ବାର୍ତାଳାପ କରିବେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭାରତର ଅଲିମ୍ପିକ୍‌ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକଟ କରିଛନ୍ତି। ଏଥିସହିତ ସେ ଟୋକିଓ ଯିବାକୁ ଥିବା କ୍ରୀଡ଼ାବିତ୍‌ଙ୍କ ସହ ଆସନ୍ତା ୧୩ ତାରିଖରେ ବାର୍ତାଳାପ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଭାରତର ପ୍ରଥମ ଦଫା ଆଥ୍‌ଲେଟ୍‌ ଓ ଅଧିକାରୀ ଟୋକିଓ ଯାତ୍ରା କରିବାର ୩ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏଭଳି କାର୍ଯ୍ୟକ୍ରମ ରଖିଥିଲା ବେଳେ ସେହିଦିନ କିଛି ସ୍ବତନ୍ତ୍ର ଘୋଷଣା କରିବାର ସମ୍ଭାବନା ଦେଖାଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଥ୍‌ଲେଟ୍‌ମାନଙ୍କ ସହ ଏହି ବାର୍ତାଳାପ ଭର୍ଚୁଆଲ ଜରିଆରେ ହେବ ବୋଲି କୁହାଯାଇଛି। ଏହି ବାର୍ତାଳାପ ଅବସରରେ ପ୍ରସ୍ତୁତିର ସମୀକ୍ଷା କରାଯିବା ସହିତ ଆଥ୍‌ଲେଟ୍‌ମାନଙ୍କୁ ସମ୍ବର୍ଧନା ଦିଆଯିବ। ପୁଣି ସେମାନଙ୍କ ସହ ପୂର୍ଣ୍ଣାଙ୍ଗ ଆଲୋଚନା, ସେମାନଙ୍କ ଟିକାକରଣ ସ୍ଥିତି ଏବଂ ଶୃଙ୍ଖଳାଗତ ସମର୍ଥନ ଯୋଗାଇଦେବା ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରିଛନ୍ତି। ‘‘ପ୍ରାୟ ୧୩୦ କୋଟିରୁ ଅଧିକ ଭାରତୀୟଙ୍କ ତରଫରୁ ମୁଁ ଅଲିମ୍ପିକ୍‌ ଯୋଗ୍ୟ ଆଥ୍‌ଲେଟ୍‌ଙ୍କ ସହ ୧୩ ତାରିଖ ଦିନ ବାର୍ତାଳାପ କରିବି ଏବଂ ସେମାନଙ୍କୁ ଶୁଭକାମନା ଜଣାଇବି। ଆସନ୍ତୁ ସମସ୍ତେ ଭାରତକୁ ଚିଅର୍‌ କରିବା’’ ବୋଲି ମୋଦୀ କହିଛନ୍ତି।

୧୬ରେ ଟୋକିଓ ଯିବେ ଭାରତୀୟ ସୁଟର
ନୂଆଦିଲ୍ଲୀ : ଆସନ୍ତା ୧୬ ତାରିଖ ଦିନ ଭାରତୀୟ ବନ୍ଧୁକଚାଳକମାନେ ଟୋକିଓ ଯାତ୍ରା କିରିବେ। ସଂପ୍ରତି କ୍ରୋଏସିଆ ଗସ୍ତରେ ଶେଷ ଚରଣ ପ୍ରତିଯୋଗିତା ଓ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଟୋକିଓ ଅଲିମ୍ପିକ୍ସ ଯୋଗ୍ୟ ବନ୍ଧୁକଚାଳକମାନେ ଜାପାନ ରାଜଧାନୀରେ ୧୭ ତାରିଖ ଦିନ ପହଞ୍ଚିବେ। ଗୋଟିଏ ଦେଶରୁ ଜାପାନ ପ୍ରବେଶ କରୁଥିବାରୁ ସେଠାର କରୋନା ମାର୍ଗଦର୍ଶିକା ଅନୁଯାୟୀ ଟୋକିଓ ପହଞ୍ଚିବା ପରେ ବନ୍ଧୁକଚାଳକ ଓ ସପୋର୍ଟ ଷ୍ଟାଫ୍‌ମାନେ ସମ୍ଭବତଃ ସେଠାରେ ତିନିରୁ ଚାରି ଦିନ ସଂଗରୋଧରେ ରହିବେ। ତେବେ ସିଧାସଳଖ ଏମାନେ ଭାରତରୁ ଯାଉନଥିବାରୁ ଟୋକିଓରେ ଅଧିକ ଦିନର ବାଧ୍ୟତାମୂଳକ ସଂଗରୋଧରୁ ରକ୍ଷା ପାଇଯିବେ ବୋଲି ଭାରତୀୟ ରାଇଫଲ ସଂଘ ସୂତରୁ ଜଣାପଡ଼ିଛି। ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ରେକର୍ଡ ସଂଖ୍ୟକ ୧୫ ବନ୍ଧୁକଚାଳକ ଭାରତରୁ ପ୍ରତିନିଧିତ୍ବ କରିବେ।

ଭାରତର ସବୁଠୁ ଅଧିକ ପଦକ ଆଶାୟୀ ଥିବା ବନ୍ଧୁକଚାଳକ ଓ ସପୋର୍ଟ ଷ୍ଟାଫ୍‌ମାନେ ମେ’ ୧୧ ତାରିଖରେ ଏକ ଚାର୍ଟର ବିମାନରେ ସେମାନଙ୍କ ଚୂଡାନ୍ତ ପ୍ରସ୍ତୁତି ନିମନ୍ତେ ଜାଗ୍ରେବ୍‌ ଯାତ୍ରା କରିଥିଲେ। ସେଥିରେ ୮ ରାଇଫଲ ଓ ୫ ପିସ୍ତଲ ସୁଟରଙ୍କ ବ୍ୟତୀତ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ ସାମିଲ ଥିଲେ। କ୍ରୋଏସିଆ ଜାତୀୟ ଦଳ ସହ ମଧ୍ୟ ସେମାନେ ପ୍ରଶିକ୍ଷଣ ନେଇଥିଲେ। ସେଠାରେ ଖୁବ୍‌ ଭଲ ପ୍ରସ୍ତୁତି ହୋଇଛି ଏବଂ ପଦକ ଜିତିବାର ମାନସିକତା ବଢ଼ିଯାଇଛି ବୋଲି ବନ୍ଧୁକଚାଳକମାନେ କହିଛନ୍ତି। କ୍ରୋଏସିଆରେ ନିକଟରେ ଶେଷ ହୋଇଥିବା ବିଶ୍ବକପ୍‌ରେ ଭାରତ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସାଙ୍ଗକୁ ୨ଟି କାଂସ୍ୟ ପଦକ ଜିତିଥିଲା। ଭାରତ ବିଶ୍ବକପ୍‌ରେ ଦଶମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଭାରତୀୟ ବନ୍ଧୁକଚାଳକମାନେ କ୍ରୋଏସିଆ ରହଣୀ ମଧ୍ୟରେ ମେ’ ୨୯ରୁ ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ୟୁରୋପିଆନ୍‌ ଚାମ୍ପିଅନ୍‌ସିପ୍‌ରେ ଭାଗ ନେଇଥିଲା ବେଳେ ଜୁନ୍‌ ୨୨ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଅଲିମ୍ପିକ୍‌ ପୂର୍ବ ଶେଷ ବିଶ୍ବକପ୍‌ରେ ଅଂଶଗ୍ରହଣ କରିଥିଲେ। ଶେଷରେ କରୋନାଠୁ ନିରାପଦରେ ରହିବା ପାଇଁ ଭାରତୀୟ ପ୍ରତିଯୋଗୀମାନେ ରହଣୀ ସ୍ଥାନକୁ ଜାଗ୍ରେବ୍‌ ସ୍ଥାନାନ୍ତର କରିଛନ୍ତି।

ପ୍ରଥମ ଦଫା ଭାରତୀୟ ୧୭ରେ ଯିବେ
ଅଲିମ୍ପିକ୍‌ ଯୋଗ୍ୟ ଭାରତୀୟ ଆଥ୍‌ଲେଟ୍‌ମାନଙ୍କର ପ୍ରଥମ ଦଫା ଆସନ୍ତା ୧୭ ତାରିଖରେ ଟୋକିଓ ଅଭିମୁଖେ ଯାତ୍ରା କରିବେ। ଗୁରୁବାର ଏନେଇ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା କହିଛନ୍ତି। ତେବେ ଏହା ପୂର୍ବରୁ ଟୋକିଓରେ ପହଞ୍ଚିବାର ଅନୁରୋଧକୁ କ୍ରୀଡ଼ା ଆୟୋଜକ ନାମଞ୍ଜୁର କରିଦେବାରୁ ଆଇଓଏ ଅସନ୍ତୋଷ ଜାହିର କରିଛି। କାରଣ ପ୍ରଥମ ଦଫାରେ ଆଥ୍‌ଲେଟ୍‌ ଓ ଅଧିକାରୀମାନେ ଜୁଲାଇ ୧୪ରେ ଟୋକିଓ ଯାତ୍ରା କରିବାକୁ ଆଇଓଏ ଚାହିଥିଲା। ସେଠାରେ ପହଞ୍ଚିବା ପରେ ୩ ଦିନିଆ ବାଧ୍ୟତାମୂଳକ ସଂଗରୋଧ ରହିଥା’ନ୍ତେ। ଏନେଇ ବାତ୍ରା ମଧ୍ୟ ଆୟୋଜନ ସମିତିକୁ ଚିଠି ଲେଖିଥିଲେ। ମାତ୍ର ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିଲାନି। ତେଣୁ ଅନ୍ୟ କୌଣସି ବିକଳ୍ପ ନଦେଖି ପ୍ରଥମ ଦଫା ଆଥ୍‌ଲେଟ୍‌ଙ୍କୁ ୧୭ ତାରିଖରେ ପଠାଇବାକୁ ଆଇଓଏ ବାଧ୍ୟ ହେଲା ବୋଲି ବାତ୍ରା କହିଛନ୍ତି। ତେବେ ପ୍ରଥମ ଦଫାରେ କେତେ ସଂଖ୍ୟକ ଆଥ୍‌ଲେଟ୍‌ ଯିବେ ସେନେଇ କୌଣସି ଚିତ୍ର ଦିଆଯାଇନାହିଁ।

ସମ୍ବନ୍ଧିତ ଖବର