ଲସ୍ ଆଞ୍ଜେଲ୍ସ: ଅଲିମ୍ପିକ୍ ବିଜେତା ସଟ୍ ପୁଟର ରୢାନ୍ କ୍ରୋଉଜର ନୂଆ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଡ୍ରାକେ ଷ୍ଟାଡିୟମ୍ରେ ଆୟୋଜିତ ଲସ୍ ଆଞ୍ଜେଲ୍ସ ଗ୍ରାଁ ପ୍ରି ଅବସରରେ ଏହି ଆମେରିକୀୟ ଆଥ୍ଲେଟ୍ ୨୩.୫୬ ମିଟର ଦୂରକୁ ସଟ୍ ପୁଟ୍ ଫିଙ୍ଗି ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ଏହା ବିଶ୍ବ କୀର୍ତ୍ତିମାନ ଥିଲା ବେଳେ କ୍ରୋଉଜର ମଧ୍ୟ ନିଜର ପୂର୍ବ ବିଶ୍ବ କୀର୍ତ୍ତିମାନକୁ ପଛରେ ପକାଇ ଦେଇଥିଲେ।
ଦୁଇ ଥର ଅଲିମ୍ପିକ୍ ବିଜେତା କ୍ରୋଉଜର ୨୦୨୧ ଜୁନ୍ ମାସରେ ଓରେଗନ୍ର ଇଉଭେନିଠାରେ ଆୟୋଜିତ ୟୁଏସ୍ ଅଲିମ୍ପିକ୍ ଟ୍ରାଏଲ୍ସରେ ୨୩.୩୭ ମିଟର ଫିଙ୍ଗି ନିଜ ନାମରେ ବିଶ୍ବ କୀର୍ତ୍ତିମାନ ରଖିଥିଲେ। ଫଳରେ କ୍ରୋଉଜର ଏକମାତ୍ର ଆଥ୍ଲେଟ୍ ଭାବେ ପୁନର୍ବାର ୨୩.୫୦ ମିଟରରୁ ଅଧିକ ଦୂରକୁ ଫିଙ୍ଗିବାର ସଫଳତା ହାତେଇଥିଲେ। ଲସ୍ ଆଞ୍ଜେଲ୍ସରେ କ୍ରୋଉଜରଙ୍କ ପଛକୁ ନ୍ୟୁଜିଲାଣ୍ଡର ଦୁଇ ଥର ଅଲିମ୍ପିକ୍ କାଂସ୍ୟ ବିଜେତା ଟମ୍ ୱାଲ୍ସ (୨୨.୧୨ ମିଟର) ଏବଂ ଆମେରିକାର ପେଟନ୍ ଓଟେରଡାଲ୍ (୨୧.୯୯ ମିଟର) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହି ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।