ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ରେ କାଂସ୍ୟ ପଦକ ଜିତି ଇତିହାସ ରଚିଥିବା ସ୍ବପ୍ନିଲ କୁଶାଲେ ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଖେଳ ଜୀବନରେ ଢେର ସାମଞ୍ଜସ୍ୟ ରହିଛି। ଭାରତୀୟ କ୍ରିକେଟ୍ ଦଳରେ ସ୍ଥାନ ପାଇ ଦେଶର ସଫଳତମ ଅଧିନାୟକ ହେବା ପୂର୍ବରୁ ଧୋନି ଯେମିତି ରେଳବାଇରେ ଟିକେଟ୍ ସଂଗ୍ରାହକ ବା ଟିଟି ଚାକିରି କରୁଥିଲେ ଠିକ୍ ସେହିଭଳି ଅଲିମ୍ପିକ୍ସରେ ପଦକ ଜିତି ଜାତୀୟ ହିରୋ ପାଲଟିଥିବା ସ୍ବପ୍ନିଲ ମଧ୍ୟ ସଂପ୍ରତି କେନ୍ଦ୍ରୀୟ ରେଳବାଇରେ ଟିଟି ଅଛନ୍ତି। ଗତ ୯ ବର୍ଷ ହେବ ସେ ସେଠାରେ ଚାକିରି କରୁଛନ୍ତି। ସବୁଠୁ ବଡ଼ କଥା ହେଲା ସ୍ବପ୍ନିଲ ମଧ୍ୟ ଧୋନିଙ୍କୁ ନିଜ ଆଦର୍ଶ କରି ଆଗକୁ ବଢ଼ିଛନ୍ତି।
୨୮ ବର୍ଷୀୟ ସ୍ବପ୍ନିଲ ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭରେ ନିଜ ଚମକ ଛାଡ଼ିବା ପଛରେ କିନ୍ତୁ ରହିଛି ତାଙ୍କ ଦେଢ଼ ଦଶନ୍ଧିର କଠୋର ତପସ୍ୟା। ୨୦୦୯ରେ ମହାରାଷ୍ଟ୍ର ସରକାରଙ୍କ କ୍ରୀଡ଼ା ଯୋଜନାରେ ସାମିଲ ହେବା ତାଙ୍କ ଖେଳ ଜୀବନକୁ ଦେଇଥିଲା ନୂଆ ମୋଡ଼। ବର୍ଷକର କଠିନ ଶାରୀରିକ ପ୍ରଶିକ୍ଷଣ ପରେ ବନ୍ଧୁକଚାଳନାକୁ କ୍ୟାରିୟର୍ କରିବାକୁ ବାଛିଥିଲେ ସ୍ବପ୍ନିଲ। ୨୦୧୨ରେ ରାଜ୍ୟସ୍ତରୀୟ ସଫଳତା ପରେ ଆଉ ପଛକୁ ଫେରି ନଥିଲେ ସେ। ଗତ ୧୨ ବର୍ଷ ହେବ ସୁଟିଂ ରେଞ୍ଜ୍ରେ କମାଲ କରୁଥିବା ସ୍ବପ୍ନିଲ ୨୦୨୨ ଆଇଏସ୍ଏସ୍ଏଫ୍ ବିଶ୍ବ ସୁଟିଂ ଚାମ୍ପିଅନସିପ୍ରେ ଚତୁର୍ଥ ସ୍ଥାନ ଅଧିକାର କରି ପ୍ରଥମ ଥର ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଦିଲ୍ଲୀ ଓ ଭୋପାଳରେ ଅନୁଷ୍ଠିତ ଟ୍ରାଏଲ୍ସରେ ସେତେଟା ଭଲ ପ୍ରଦର୍ଶନ କରି ନଥିଲେ। ଅନ୍ତିମ ଟ୍ରାଏଲ୍ସରେ ପଞ୍ଚମ ସ୍ଥାନରେ ରହିଥିଲେ। ତଥାପି ପ୍ରଥମ ତିନିଟି ଟ୍ରାଏଲ୍ସର ପ୍ରଦର୍ଶନ ଆଧାରରେ ଭାରତୀୟ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇଥିଲେ। ଜାତୀୟ ଚୟନକର୍ତ୍ତା ତାଙ୍କୁ ନେଇ ଖେଳିଥିବା ଜୁଆ କିନ୍ତୁ ଆଜି କାମ ଦେଇଛି। ଏହା ପରେ ସ୍ବପ୍ନିଲଙ୍କ ପ୍ରଶିକ୍ଷକ ଦୀପାଳି ଦେଶପାଣ୍ଡେ ବେଶ୍ ଉଲ୍ଲସିତ ଅଛନ୍ତି।
ତେବେ ଆଶ୍ଚର୍ଯ୍ୟଜନକ ଭାବେ ସ୍ବପ୍ନିଲଙ୍କ ପରିବାରରେ ଜଣେ ହେଲେ ବି କେହି କ୍ରୀଡ଼ାବିତ୍ ନାହାନ୍ତି କିମ୍ବା କ୍ରୀଡ଼ାକୁ କ୍ୟାରିୟର୍ କରିନାହାନ୍ତି। ଅଜଣା ଇଲାକାରେ ପାଦ ଥାପି ସ୍ବପ୍ନିଲ ହିଁ ନିଜ ପରିବାରକୁ ନୂଆ ପରିଚୟ ଦେଇଥିଲା ବେଳେ ସମଗ୍ର ଭାରତବର୍ଷର ଶହେ ବର୍ଷର ସ୍ବପ୍ନକୁ ସାକାର କରିଛନ୍ତି। ତାଙ୍କ ଭାଇ ଓ ବାପା ପେସାର ଶିକ୍ଷକ ହୋଇଥିଲା ବେଳେ ମା’ ହେଉଛନ୍ତି ମହାରାଷ୍ଟ୍ରର କୋହ୍ଲାପୁର ନିକଟସ୍ଥ କମ୍ବଲବାଡ଼ି ଗ୍ରାମପଞ୍ଚାୟତର ସରପଞ୍ଚ। ୧୯୯୫ ମସିହା ଅଗଷ୍ଟ ୬ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ବପ୍ନିଳ ନିଜ ୨୯ତମ ଜନ୍ମଦିବସ ପୂର୍ବରୁ କେବଳ ନିଜ ପରିବାରକୁ ନୁହେଁ ପ୍ରତିଟି ଭାରତୀୟକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସ ପୋଡିୟମ୍ରେ ଠିଆ ହୋଇ ପଦକ ଗ୍ରହଣ କରିବା ପୂର୍ବରୁ ସେ ୨୦୧୭ ବ୍ରିସବେନ୍ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପ୍ରେ କାଂସ୍ୟ, ୨୦୨୧ ନୂଆଦିଲ୍ଲୀ ବିଶ୍ବକପ୍ରେ ସ୍ବର୍ଣ୍ଣ, ୨୦୨୨ ହାଙ୍ଗ୍ଝୌ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ, ୨୦୨୨ କାଇରୋ ବିଶ୍ବ ଚାମ୍ପିଅନସିପ୍ରେ କଂସ୍ୟ, ୨୦୨୩ ଚଙ୍ଗଓନ୍ ଏସିଆନ୍ ସୁଟିଂ ଚାମ୍ପିଅନସିପ୍ରେ ରୌପ୍ୟ ଏବଂ ୨୦୨୪ ଜାକର୍ତ୍ତା ଏସିଆନ୍ ରାଇଫଲ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ସୁନାଠୁ ବି ମୂଲ୍ୟବାନ
ଐତିହାସିକ ପଦକ ଜିତିବା ପରେ ସ୍ବପ୍ନିଲଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଏକ୍ସ’ ପୃଷ୍ଠାରେ ଲେଖିଛନ୍ତି, ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବାରୁ ସ୍ବପ୍ନିଲ କୁଶାଲେଙ୍କୁ ହୃଦୟର ଗଭୀରତମ କୋଣରୁ ଅଭିନନ୍ଦନ। ଭାରତ ପ୍ରଥମ ଥର ପାଇଁ ସୁଟିଂରୁ ତିନିଟି ପଦକ ଜିତିଛି। ଭାରତୀୟ ସୁଟିଂ ଦଳ ଦେଶବାସୀଙ୍କୁ ଗର୍ବିତ କରିଛି। ସ୍ବପ୍ନିଲ ଭବିଷ୍ୟତରେ ଭାରତ ପାଇଁ ଆହୁରି ଅନେକ ଗର୍ବ ଓ ଗୌରବ ଆଣିବେ ବୋଲି କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ସ୍ବପ୍ନିଲ କୁଶାଲେ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ରାଇଫଲ୍ ଥ୍ରୀ ପୋଜିସନ୍ରେ କାଂସ୍ୟ ପଦକ ଜିତିଥିବାରୁ ତାଙ୍କୁ ବହୁତ ବହୁତ ଅଭିନନ୍ଦନ। ଏହି ଇଭେଣ୍ଟ୍ରେ ଭାରତ ପ୍ରଥମ ପଦକ ଜିତିଛନ୍ତି। ଯାହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଖୁସିରେ ଭରି ଦେଇଛି। ତୁମ ସଫଳତା ଆମକୁ ଗର୍ବିତ କରିଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି। ଭାରତୀୟ ପ୍ୟାରିସ୍ ଅଲିମ୍ପିକ୍ସ ଦଳର ଶେଫ୍ ଡି ମିସନ୍ ଗଗନ ନାରଙ୍ଗ ସ୍ବପ୍ନିଲଙ୍କ କାଂସ୍ୟ ସ୍ବର୍ଣ୍ଣଠାରୁ ବି ମୂଲ୍ୟବାନ ବୋଲି ଭାବବିହ୍ବଳ ଭାବେ କହିଛନ୍ତି। ଏପରିକି ଏକ ଟେଲିଭିଜନ୍ ସାକ୍ଷାତକାର ବେଳେ ସେ ଖୁସିରେ କାନ୍ଦି ପକାଇଛନ୍ତି। ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ମଧ୍ୟ ନିଜ ଉଲ୍ଲାସକୁ ରୋକି ପାରିନାହାନ୍ତି। ସେ ଲେଖିଛନ୍ତି, ସ୍ବପ୍ନିଲ ତୁମ ସଫଳତା ମୋ ମନରେ ଅସୀମ ଆନନ୍ଦ ଭରି ଦେଇଛି। ତୁମ କଠିନ ପରିଶ୍ରମ ଏକାଗ୍ରତା, ନିଷ୍ଠାର ଫଳ ତୁମକୁ ମିଳିଛି। ଏହା ମଧ୍ୟ ତୁମ ଅତୁଳନୀୟ ପ୍ରତିଭାର ବଳିଷ୍ଠ ନିଦର୍ଶନ।
ଗଗନଙ୍କ ଆଖିରୁ ଲୁହ ଝରିଲା
ସ୍ବପ୍ନିଲ କୁଶାଲେ ଗୁରୁବାର ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ରେ ଐତିହାସିକ କାଂସ୍ୟ ଜିତିଥିଲେ। ଏହି ସମୟରେ ଭାରତର ଶେଫ୍ ଡି’ ମିସନ ଗଗନ ନାରଙ୍ଗ ପୂର୍ବତନ ସାଥୀ ଖେଳାଳି ଜୟଦୀପ କର୍ମକାରଙ୍କ ସହ ଟିଭି ସୋ’ରେ ଆଲୋଚନା କରୁଥିଲେ। ସ୍ବପ୍ନିଲ ଏହି ଇଭେଣ୍ଟ୍ରେ ଭାରତ ପାଇଁ କାଂସ୍ୟ ଜିତିବା ଖବର ମିଳିବା ପରେ ଗଗନଙ୍କ ଆଖିରୁ ଲୁହ ଝରି ଆସିଥିଲା। ଜୟଦୀପ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ୫୦ ମିଟର ରାଇଫଲ୍ ପ୍ରୋନ୍ରେ ଅଂଶଗ୍ରହଣ କରି ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ‘‘୧୯୯୮ରେ ମୁଁ ବିଶ୍ବ ପ୍ରତିଯୋଗିତା ଲାଗି ଏହି ଇଭେଣ୍ଟ୍ରେ ଯୋଗ୍ୟତା ଅର୍ଜନ କରିଥିଲି। କିନ୍ତୁ ଏହି ଇଭେଣ୍ଟ୍ ଗୁରୁତ୍ବପୂର୍ଣ୍ଣ ନଥିବାରୁ ଦଳ ପଠାଯାଇ ନଥିଲା। ସ୍ବପ୍ନିଲ ଏବେ ଏହି ଇଭେଣ୍ଟ୍ରେ ପଦକ ଜିତିଛନ୍ତି। ଆପଣ ଭାବୁଛନ୍ତି ଏହି ଇଭେଣ୍ଟ୍କୁ ଏବେ ଗୁରୁତ୍ବ ମିଳିବ’’ ବୋଲି ଗଗନଙ୍କୁ ପ୍ରଶ୍ନ କରିଥିଲେ ଜୟଦୀପ। ଏହାର ଉତ୍ତର ରଖି ସେ କହିଥିଲେ, ‘‘ସ୍ବପ୍ନିଲଙ୍କ ଏହି ଐତିହାସିକ ସ୍ବର୍ଣ୍ଣଠୁ କିଛି କମ୍ ନୁହେଁ। ତାଙ୍କ ପାଇଁ ମୁଁ ଗର୍ବିତ’’।