ବୋତଲ କଳାରେ ଈଶ୍ବରଙ୍କ ଅଲିମ୍ପିକ୍ସ ଶୁଭେଚ୍ଛା

ଭୁବନେଶ୍ବର: ବୋତଲ ଭିତରେ ବିଭିନ୍ନ ସୁକ୍ଷ୍ମ ଓ ସୁନ୍ଦର କାରୁକାର୍ଯ୍ୟ କରି ଜାତୀୟ ସ୍ତରରେ ଓଡ଼ିଶାର ନାଁ ରଖିଥିବା ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍‌ ଗୋପୀନାଥପୁର ଅଞ୍ଚଳର ଯୁବ ସ୍ଥପତି ଏଲ୍ ଈଶ୍ବର ରାଓ ଭାରତୀୟ ଅଲିମ୍ପିକ୍ସ ଦଳକୁ ନିଆରା ଢଙ୍ଗରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଟୋକିଓଗାମୀ ଭାରତୀୟ ଖେଳାଳିଙ୍କୁ ମାତ୍ର ୭ ଇଞ୍ଚର ବୋଲର ଭିତରେ ‘ଚିୟର ଫର୍ ଇଣ୍ଡିଆ’ ସ୍ଲୋଗାନ ଲେଖି ଉତ୍ସାସିତ କରିଛନ୍ତି ସେ। ଏହାକୁ ସେ କାଗଜ, କାଚ ଓ ମାଟି ଉପଯୋଗ କରି ନିର୍ମାଣ କରିଛନ୍ତି। ବିଶେଷ କରି ନିଜର ଏହି ନିଆରା କଳା ଜରିଆରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ୪ ଓଡ଼ିଆ ଯଥା ଦୌଡ଼ରାଣୀ ଦୂତି ଚାନ୍ଦ, ହକି ତାରକା ଅମିତ ରୋହି ଦାସ, ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ୍ ଏକ୍କାଙ୍କ ମନୋବଳ ବଢ଼ାଇବା ଲାଗି ଚେଷ୍ଟା କରିଛନ୍ତି ଈଶ୍ବର।

ଅତୀତରେ ମଧ୍ୟ ଈଶ୍ବର କ୍ରିକେଟ୍ ଓ ହକି ବିଶ୍ବକପ୍ ଟ୍ରଫି ସହ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଆଖି ଆଗରେ ରଖି ବୋତଲ ଭିତରେ ଅତି ସୁନ୍ଦର କଳାକୃତି ନିର୍ମାଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ତାଙ୍କ କଳାତ୍ମକ କାର୍ଯ୍ୟରେ ଓଡ଼ିଶାର ପର୍ବ ପର୍ବାଣୀ, ପବିତ୍ର ରଥଯାତ୍ରା ମଧ୍ୟ ସ୍ଥାନ ପାଇଛି। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ବୋତଲ କଳା ପ୍ରତି ସଚେତନତା ସୃଷ୍ଟି କରିବା ତାଙ୍କର ଏହି ନୂଆ ସଂରଚନାର ମୂଳ ଉଦ୍ଦେଶ୍ୟ ବୋଲି ଈଶ୍ବର କହିଛନ୍ତି। ଏଥର ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ନିଶ୍ଚିତ ଭାବେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କ୍ରୀଡ଼ାପ୍ରେମୀ ଈଶ୍ବର।

ସମ୍ବନ୍ଧିତ ଖବର