କରୋନା ଯୋଗୁଁ ଟୋକିଓ ଅଲମ୍ପିକ୍ସ ବାତିଲ ହେବା ଆଶଙ୍କା

ଟୋକିଓ : ପୁଣି ଥରେ ଟୋକିଓ ଅଲମ୍ପିକ୍ସ ଉପରେ କରୋନାର କଳାବାଦଲ ଦେଖାଦେଇଛି । ଗତ ବର୍ଷ କରୋନା ମହାମାରୀ ପାଇଁ ସ୍ଥଗିତ ରହିଥିବା ବିଶ୍ବର ଏହି ସର୍ବବୃହତ୍ କ୍ରୀଡ଼ା ପ୍ରତିଯୋଗିତା ଏ ବର୍ଷ ମଧ୍ୟ ନ ହେବାର ଆଶଙ୍କା ଦେଖାଦେଲାଣି । ଏପରିକି ସଂପୂର୍ଣ୍ଣ ବାତିଲ ହେବାର ଆଶଙ୍କା ମଧ୍ୟ ରହିଛି ।

ଜାପାନର ଶାସକ ଦଳର ଜଣେ ସଦସ୍ୟ ତୋସିହିରୋ ନିକାଇ କହିଛନ୍ତି ଯେ କରୋନା ମହାମାରୀ ବ୍ୟାପିଚାଲିଲେ ଟୋକିଓ ଅଲମ୍ପିକ୍ସ ଆୟୋଜନ କରିବା ସମ୍ଭବ ହେବ ନାହିଁ । ଆବଶ୍ୟକ ପଡ଼ିଲେ ଏହାକୁ ସମ୍ପୂର୍ଣ୍ଣ ବାତିଲ  କରିବାକୁ ପଛଘୁଞ୍ଚା ଦିଆଯିବ ନାହିଁ  ବୋଲି ସେ ଜିଜି ନ୍ୟୁଜ ଏଜେନ୍ସିକୁ କହିଛନ୍ତି ।

ନିକାଇ ହେଉଛନ୍ତି ଜାପାନର କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟିର ମହାସଚିବ ଓ ଦଳର ୨ୟ ସର୍ବାଧିକ କ୍ଷମତାଶାଳୀ ନେତା । ସେ କହିଛନ୍ତି ଯେ ଅଲମ୍ପିକ୍ସ ଯଦି ସଂକ୍ରମଣ ବଢାଇବାରେ ସାହାଯ୍ୟ କରିବ, ତେବେ ଅଲମ୍ପିକ୍ସର କାମ କଣ ?

ସୂଚନାଯୋଗ୍ୟ ଯେ ଜାପାନରେ ଏବେ କରୋନାର ୨ୟ ସଂକ୍ରମଣ ଦେଖାଦେଇଛି । ନିକଟରେ ଜାପାନର ଏକ ପ୍ରମୁଖ ସହର ଓସାକାରେ ରେକର୍ଡ ସଂଖ୍ୟକ ସଂକ୍ରମଣ ମାମଲା ଦେଖାଦେଇଛି । ଏହା ପରେ ଜାପାନ ସରକାର କେତେକ କଟକଣା ଲାଗୁ କରିଛନ୍ତି ।

 

ସମ୍ବନ୍ଧିତ ଖବର