ବର୍ଷ ଶେଷକୁ ଘୁଞ୍ଚିପାରେ ଟୋକିଓ ଅଲିମ୍ପିକ୍ସ, ଜାପାନ ମନ୍ତ୍ରୀଙ୍କ ସୂଚନା

ଟୋକିଓ : କରୋନା ଭାଇରସ ପ୍ରଭାବ ଏବେ ଅର୍ଥନୀତି ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ବିଶ୍ୱର ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ପ୍ରଭାବିତ କରିବା ଆରମ୍ଭ କଲାଣି । ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସ ଉପରେ ମଧ୍ୟ କରୋନାର କଳାବାଦଲ ଦେଖାଦେଲାଣି । ଆସନ୍ତା ଜୁଲାଇ ସୁଦ୍ଧା କରୋନାଭାଇରସ ସ୍ଥିତି ନ ସୁଧୁରିଲେ ଜାପାନରେ ହେବାକୁ ଥିବା ଅଲିମ୍ପିକ୍ସ ବର୍ଷ ଶେଷ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ବିଚାର କରାଯାଉଛି ।
ଜାପାନର ଅଲମ୍ପିକ୍ସ ମନ୍ତ୍ରୀ ସେଇକୋ ହାସିମୋଟୋ ଜାପାନି ସଂସଦରେ ମଙ୍ଗଳବାରଦିନ କହିଛନ୍ତି ଯେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ସହିତ ଜାପାନ ସରକାରଙ୍କର ହୋଇଥିବା ଚୁକ୍ତି ଅନୁସାରେ ଏହାକୁ ବର୍ଷ ଶେଷ ପର୍ଯ୍ୟନ୍ତ ଘୁଞ୍ଚାଇବାରେ କୌଣସି ଅସୁବିଧା ନାହିଁ ।

ସେପଟେ ଆଇଓସିର କାର୍ଯ୍ୟନିର୍ବାହୀ କମିଟି ପକ୍ଷରୁ ମଧ୍ୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ଏ ସଂପର୍କରେ ଆଲୋଚନା କରାଯାଉଛି । ତେବେ ପୂର୍ବନିର୍ଦ୍ଧାରିତ ସମୟ ଜୁଲାଇ୨୪ରୁ ଅଗଷ୍ଟ ୯ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ କମିଟି ଚାହୁଁଛି । କେବଳ ଅତି ଜରୁରୀପରିସ୍ଥିତି ପଡ଼ିଲେ ପ୍ରତିଯୋଗିତା ଘୁଞ୍ଚାଯିବା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଇଓସିର ସଭାପତି ଥମାସ ବେକ୍‌ କହିଛନ୍ତି ।
ତେବେ ବର୍ତ୍ତମାନ ସାରା ବିଶ୍ୱରେ କରୋନାଭଇରସ ଯେପରି ନିଜର କାୟାବିସ୍ତାର କରିଚାଲିଛି, ଅଲମ୍ପିକ୍ସ ଘୁଞ୍ଚିବା ନିଶ୍ଚିତ ଜଣାପଡ଼ୁଛି ।

ସମ୍ବନ୍ଧିତ ଖବର