ପ୍ୟାରିସ୍: ୧୦ ମିଟର ଏୟାର ପିସ୍ତଲର ମିଶ୍ରିତ ବର୍ଗରେ ମନୁ ଭାକରଙ୍କ ସହ ଭାରତକୁ କାଂସ୍ୟ ପଦକ ଉପହାର ଦେଇଥିବା ସରବଜୋତ ସିଂହ ନାଟକୀୟ ଢଙ୍ଗରେ ଜିରୋରୁ ହିରୋ ପାଲଟିଛନ୍ତି। ଶନିବାର ପୁରୁଷ ୧୦ ମିଟର ଏୟାର ପିସ୍ତଲର ଯୋଗ୍ୟତା ପର୍ଯ୍ୟାୟରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରି ଜର୍ମାନୀର ରବିନ ୱାଲଟରଙ୍କଠାରୁ ହାରି ଯାଇଥିଲେ ସେ। ସେଥିପାଇଁ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ନିଜର ଏହି ଅପ୍ରତ୍ୟାଶିତ ପରାଜୟ ତାଙ୍କୁ ଏତେ ବାଧିଥିଲା ଯେ ସୁଟିଂ ରେଞ୍ଜ୍ରେ ହିଁ କାନ୍ଦି ପକାଇଥିଲେ ସେ। ହେଲେ ସେହି ଦିନ ସଂଧ୍ୟାରେ ପିତା ଜତିନ୍ଦର ସିଂହଙ୍କଠାରୁ ପାଇଥିବା ଏକ ଫୋନ୍ କଲ୍ ପରେ ଆତ୍ମବିଶ୍ବାସ ଫେରି ପାଇଥିଲେ ସରବଜୋତ। ମଙ୍ଗଳବାରର ମିଶ୍ରିତ ଯୁଗଳ ତୃତୀୟ ଓ ଚତୁର୍ଥ ସ୍ଥାନ ମ୍ୟାଚ୍ର ପ୍ରଥମ କିଛି ରାଉଣ୍ଡ୍ରେ ମଧ୍ୟ ସେତେଟା ଭଲ କରିପାରି ନଥିଲେ ସେ। ତେବେ ପରବର୍ତ୍ତୀ ରାଉଣ୍ଡ୍ଗୁଡ଼ିକରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମନୁଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ସହ ଅଲିମ୍ପିକ୍ସ ପୋଡିୟମ୍ରେ ଛିଡ଼ା ହେବାର ଗୌରବ ହାସଲ କରିଥିଲେ। ପ୍ରଶିକ୍ଷକ ଅଭିଷେକ ରାଣାଙ୍କ ଉପସ୍ଥିତି ଓ ମାର୍ଗଦର୍ଶନ ମଧ୍ୟ ତାଙ୍କ ଆତ୍ବବିଶ୍ବାସକୁ ବଢ଼ାଇଥିଲା। ସେଥିପାଇଁ ସରବଜୋତ ପଦକ ଜିତିବା ପରେ ଅଭିଷେକ ମଧ୍ୟ ଭାବବିହ୍ବଳ ହୋଇଯାଇଥିଲେ। ମନୁ ଭାକର ଓ ସରବଜୋତ ନିଜର ୨୬ ସଟ୍ରୁ ଅନ୍ୟୂନ ୧୯ଟି ୧୦ ପଏଣ୍ଟ୍ ପାଇଥିଲେ। ପ୍ରତିପକ୍ଷ ଦକ୍ଷିଣ କୋରିଆ ଯୋଡ଼ି ମାତ୍ର ୧୨ଥର ଏହି ସଫଳତା ଲାଭ କରିଥିଲା। ଶନିବାରର ବିଫଳତାକୁ ଭୁଲି ସରବଜୋତ ସାଥୀ ମନୁ ଭାକରଙ୍କ ସହ ମିଶି ସୋମବାର ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ସ୍ଥାନରେ ରହିଥିଲେ ଓ ତୃତୀୟ/ଚତୁର୍ଥ ସ୍ଥାନ ଲଢ଼େଇ ଲାଗି ଟିକେଟ ହାସଲ କରିଥିଲେ।
ସରବଜୋତ ହେଉଛନ୍ତି ହରିୟାଣାର ବରାରା ବ୍ଲକ୍ର ଜାଠ୍ ଗାଁ ଧିନାର ମୂଳବାସିନ୍ଦା। ୨୦୦୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ପିତା ଜତିନ୍ଦର ସିଂହ ହେଉଛନ୍ତି ଜଣେ ସଫଳ କୃଷକ। ଚଣ୍ଡିଗଡ଼ର ସେକ୍ଟର ୧୦ସ୍ଥିତ ଡିଏଭି କଲେଜ୍ରେ ପଢ଼ିଥିବା ସରବଜୋତ ଅମ୍ବାଲାର ଏଆର୍ ସୁଟିଂ ଏକାଡେମିରୁ ବନ୍ଧୁକଚାଳନା ଶିଖିଛନ୍ତି। ଖୁବ୍ କମ୍ ବୟସରୁ ସେ ସୁଟିଂରେ ନିଜ ଯାଦୁ ଦେଖାଇବା ଆରମ୍ଭ କରି ଦେଇଥିଲେ। ୨୦୧୯ ଆଇଏସ୍ଏସ୍ଏଫ୍ କନିଷ୍ଠ ବିଶ୍ବକପ୍ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ଜିତି ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ସେହିବର୍ଷ ବିଶ୍ବ ଚାମ୍ପିଅନସିପ୍ରେ ମଧ୍ୟ ସ୍ବର୍ଣ୍ଣ ପଦକ ପାଇଥିଲେ। ସେ ମଧ୍ୟ ଏସିଆନ୍ ଚାମ୍ପିଅନ୍ସିପ୍ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି କାଂସ୍ୟ ପଦକ ଜିତିଥିଲେ। ତେବେ ବରିଷ୍ଠ ବର୍ଗରେ ସବୁଠୁ ବଡ଼ ସଫଳତା ଗତବର୍ଷର ବିଶ୍ବକପ୍ରେ ହାସଲ କରି ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ପୂର୍ବରୁ ୨୦୨୨ ଏସୀୟ କ୍ରୀଡ଼ାରେ ମଧ୍ୟ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ପାଇଥିଲେ। ଏବେ ଅଲିମ୍ପିକ୍ସ ପଦକ ମଧ୍ୟ ନିଜ ନାଁରେ ସାମିଲ କରିଛନ୍ତି। ତେବେ ପ୍ୟାରିସ୍ ଅଲିମ୍ପିକ୍ସରେ ନିଜ ପ୍ରଦର୍ଶନକୁ ନେଇ ସେ ସେତେଟା ଖୁସି ନାହାନ୍ତି। ମୁଁ ଆହୁରି ଭଲ କରିପାରି ଥା’ନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।