ଅଲିମ୍ପିକ୍ସ ପଦକ ଆଶାରେ ଶ୍ରୀୟଙ୍କା

ନୂଆଦିଲ୍ଲୀ: ଜର୍ମାନି ଆନ୍ତର୍ଜାତିକ ବନ୍ଧୁକଚାଳନା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ। ଚଳିତ ମାସ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଜର୍ମାନିର ମ୍ୟୁନିକ୍‌ ସହରରେ ଆୟୋଜିତ ଏଚ୍‌ ଆଣ୍ଡ୍‌ ଏନ୍‌ କପ୍‌ ପ୍ରତିଯୋଗିତାରେ ଏକମାତ୍ର ଓଡ଼ିଆ ଭାବେ ସେ ଭାରତୀୟ ଦଳର ସଦସ୍ୟ ଥିଲେ। ୧୦ ମିଟର ଏୟା‌ର ରାଇଫଲ୍‌ ମିଶ୍ରିତ ବର୍ଗରେ ରୁଷିଆ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରୀୟଙ୍କା ହାତେଇଥିଲେ ସ୍ବର୍ଣ୍ଣ। ଜର୍ମାନିରୁ ଫେରି ମଙ୍ଗଳବାର ଅପରାହ୍ନରେ ସେ ନୂଆଦିଲ୍ଲୀରେ ପହଞ୍ଚିଥିଲା ବେଳେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍‌ସ୍ଥିତ ବାସଭବନରେ ତାଙ୍କୁ ଭେଟିଥିଲେ ‘ସମ୍ବାଦ’ର ନୂଆଦିଲ୍ଲୀ ପ୍ରତିନିଧି ନଇମ୍‌ ଅଖ୍‌ତର।

ପ୍ରଶ୍ନ : ଜର୍ମାନିରେ ସ୍ବର୍ଣ୍ଣ ପଦକ ଜିତିବାର ଅନୁଭୂତି କେମିତି ରହିଲା?
ଉତ୍ତର : ଏଚ୍‌ ଆଣ୍ଡ୍‌ ଏନ୍‌ କପ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିବା ଏକ ସୁଖଦ ଅନୁଭୂତି। ଦଳଗତ ମିଶ୍ରିତ ବର୍ଗରେ ମୋତେ ସଫଳତା ମିଳିଛି। ପଏଣ୍ଟ୍‌ ବ୍ୟବଧାନରେ ରୁଷିଆ ଦଳକୁ ପରାସ୍ତ କରି ସ୍ବର୍ଣ୍ଣ ପଦକର ହକ୍‌ଦାର ହୋଇଛୁ। ୨୦୦୯ରୁ ମୁଁ ବନ୍ଧୁକଚାଳନା ପ୍ରତିଯୋଗିତାରେ ଭାଗ ନେଇଆସୁଛି। ଅନେକ ଉପଲବ୍‌ଧି ହାସଲ ହୋଇଛି। ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ରହିଥିବାରୁ ଗର୍ବ ଅନୁଭବ କରୁଛି। ମ୍ୟୁନିକ୍‌ରେ ଭଲ ପ୍ରଦର୍ଶନ କରିବାର ଆଶା ରଖିଥିଲି। ଜାନୁଆରି ୨୬ରେ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିଲା ବେଳେ ମୋର ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଥିଲା। ପୋଡିୟମ୍‌ରେ ତ୍ରିରଙ୍ଗା ଆଛା‌ଦିତ ପରିବେଶରେ ଦେଶକୁ ମୁଁ କିଭଳି ସ୍ବର୍ଣ୍ଣ ପଦକ ଦେଇପାରିବି। ତେବେ ୨୭ ତାରିଖ ଦିନ ଏହି ସ୍ବପ୍ନ ସାକାର ହେଲା। ଦଳଗତ ମିଶ୍ରିତ ବର୍ଗରେ ପ୍ରଥମ ସ୍ଥାନ ଅକ୍ତିଆର କରି ତ୍ରିରଙ୍ଗା ଉଡାଇଲୁ। ବିଶେଷକରି ସ୍ବର୍ଣ୍ଣ ପଦକ ସହ ତ୍ରିରଙ୍ଗାର ପୃଷ୍ଠଭୂମିରେ ଓ ଜାତୀୟ ସଂଗୀତ ଗାନ ମଧ୍ୟରେ ଜଣେ ଭାରତୀୟ ଖେଳାଳିଙ୍କୁ ଯେଉଁ ଗର୍ବ ଅନୁଭବ ହୋଇଥାଏ ତାହା ଭାଷାରେ ବର୍ଣ୍ଣନା କରିହୁଏ ନାର୍ହି। ଜର୍ମାନିରେ ଜିତିଥିବା ସ୍ବର୍ଣ୍ଣ ପଦକ ନିଶ୍ଚିତ ଆମପାଇଁ ସ୍ବତନ୍ତ୍ର ସ୍ଥାନ ବହନ କରିବ।
ପ୍ରଶ୍ନ : ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କିପରି ଥିଲା?
ଉତ୍ତର : ୨୦୦୯ ମସିହାରୁ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରୁଥିବା ଯୋଗୁଁ ସର୍ବଦା ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦେଇଥାଏ। ମୋର ପ୍ରଶିକ୍ଷଣ ଓ ପ୍ରସ୍ତୁତି ସବୁବେଳେ ସ୍ଥିର ରହିଥାଏ। ପ୍ରଶିକ୍ଷକଙ୍କ ସହିତ ବିଭିନ୍ନ ସମୟରେ ମନୋନୟନ ଟ୍ରାଏଲ୍‌‌ରେ ସ୍ଥିର ପ୍ରଦର୍ଶନ ଉପରେ ଜୋର୍‌ ଦେଇଥାଏ। ମୋଟାମୋଟି ଭାବେ ମୋର ପ୍ରସ୍ତୁତି ଖୁବ୍‌ ଭଲ ଥିଲା। ଦଳଗତ ମିଶ୍ରିତ ବର୍ଗ ହେଲା ମୋର ପ୍ରିୟ ଇଭେଣ୍ଟ୍‌। ସେଥିରେ କିପରି ଅଧିକ ସ୍କୋର୍‌ କରିବା ତଥା ପଦକ ହାସଲ କରିବା ଉପରେ ଅଧିକ ଧ୍ୟାନ ନଦେଇ ପ୍ରଶିକ୍ଷଣ ଓ ପ୍ରସ୍ତୁତିକୁ ଅଧିକ ଗୁରୁତ୍ବ ଦେଇଥାଉ। ଯାହାଫଳରେ ଆମର ପ୍ରବଳ ଆତ୍ମବିଶ୍ବାସ ବଢ଼ିଥାଏ ଏବଂ ଶତପ୍ରତିଶତ ପ୍ରଦର୍ଶନ ଦେବାକୁ ପ୍ରେରିତ କରିଥାଏ। ଫାଇନାଲ୍‌ରେ ରୁଷିଆ ଭଳି ଶକ୍ତିଶାଳୀ ଦଳକୁ ୨ ପଏଣ୍ଟ୍‌ ବ୍ୟବଧାନରେ ପରାସ୍ତ କରିବା କଠିନ ପ୍ରଶିକ୍ଷଣ ଯୋଗୁଁ ସମ୍ଭବ ହୋଇଥିଲା। ଚାପ ପରିସ୍ଥିତିରେ ସୁଟ୍‌ କରିପାରିବାର ମଜା ଏକବାର ନିଆରା। ସେଥିରେ ହିଁ ମୋତେ ସଫଳତା ମିଳିଛି।
ପ୍ରଶ୍ନ : ଏଚ୍‌ ଆଣ୍ଡ୍‌ ଏନ୍‌ କପ୍ ପ୍ରତିଯୋଗିତାର ବିଶେଷତ୍ବ କ’ଣ ଥିଲା?
ଉତ୍ତର : ଏହା ଏକ ଅତ୍ୟନ୍ତ ଉଚ୍ଚକୋଟୀର ପ୍ରତିଯୋଗିତା। ଅଷ୍ଟ୍ରେଲିଆ, ଆମେରିକା, ରୁଷିଆ ସହିତ ବିଶ୍ବର ୨୦ ଦେଶର ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅଧିକାଂଶ ସେମାନଙ୍କ ମଧ୍ୟରୁ ବିଶ୍ବସ୍ତରର ଖେଳାଳି। ଫଳରେ ପ୍ରତିଯୋଗିତାର ସ୍ତର ଉଚ୍ଚା ରହିଥିଲା। ବିଶ୍ବକପ୍‌ ସ୍କୋର୍‌ ତୁଳନାରେ ଏଠାରେ ଅଧିକ ସ୍କୋର୍‌ ହୋଇଥାଏ। ମୁଖ୍ୟତଃ ପ୍ରତିଦ୍ବନ୍ଦ୍ବିତାମୂଳକ ବନ୍ଧୁକଚାଳକ ସେମାନଙ୍କ ଦବ୍‌ଦବା ଦେଖାଇଥାନ୍ତି। ଏଭଳି ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବା ନିଜ ଖେଳ ଜୀବନକୁ ଆହୁରି ରୋମାଞ୍ଚିତ କରିଦିଏ। ୨୦୦୯ରୁ ଏପର୍ଯ୍ୟନ୍ତ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିତାରେ କିଛି ନା କିଛି ନୂଆ ଅନୁଭୂତି ସାଉଁଟିଛି। ଚାପ ପରିସ୍ଥିତି ଅନେକ ସମୟରେ ସକାରାତ୍ମକ ଫଳ ଆଣି ଦେଇଥାଏ।
ପ୍ରଶ୍ନ : ସଫଳତାର ଶ୍ରେୟ କାହାକୁ ଦେବେ?
ଉତ୍ତର : କୌଣସି ନିର୍ଦିଷ୍ଟ ବ୍ୟକ୍ତିଙ୍କୁ ସଫଳତାର ଶ୍ରେୟ ଦିଆଯାଇପାରିବ ନାହିଁ। ମୋର ସଫଳତା ପାଇଁ ବାପା, ମାଆ, ଆଇ, ଅଜା, ଭାଇ ଓ ପ୍ରଶିକ୍ଷକ ତଥା ଦଳର ସମସ୍ତ ସଦସ୍ୟଙ୍କୁ ଶ୍ରେୟ ଦେବାକୁ ଚାହିଁବି। ମୋତେ ଜଣେ ସଫଳ କ୍ରୀଡ଼ବିତ୍‌ ବନାଇବାରେ ଯେଉଁମାନଙ୍କ ଭୂମିକା ରହିଛି ସେମାନଙ୍କୁ ମଧ୍ୟ ଶ୍ରେୟ ଦେବା ପାଇଁ ଚାହିଁବି। ପ୍ରାୟୋଜକ ତଥା ଟ୍ରେନର ମଧ୍ୟ ଶ୍ରେୟ ପାଇବାର ହକ୍‌ଦାର।
ପ୍ରଶ୍ନ : କେଉଁ ଭାରତୀୟ ବନ୍ଧୁକଚାଳକ ଆପଣଙ୍କୁ ପ୍ରଭାବିତ କରିଛନ୍ତି?
ଉତ୍ତର : ନିସନ୍ଦେହରେ କହିପାରେ କର୍ଣ୍ଣେଲ ରାଜ୍ୟବର୍ଧନ ସିଂହ ରାଠୋର। ତାଙ୍କ ଦ୍ବାରା ମୋର ବନ୍ଧୁକଚାଳନା ଆରମ୍ଭ ହୋଇପାରିଥିଲା।
ପ୍ରଶ୍ନ : ବନ୍ଧୁକଚାଳନାରେ ଦେଶରୁ ପ୍ରତିନିଧିତ୍ବ କରିବାରେ ଆପଣ ଏକମାତ୍ର ଓଡ଼ିଆ। ଆଗକୁ କ’ଣ ଲକ୍ଷ୍ୟ ରହିଛି?
ଉତ୍ତର : ଅଲିମ୍ପିକ୍ସରେ ପଦକ ଜିତିବା ଜଣେ କ୍ରୀଡ଼ାବିତ୍‌ର ସବୁଠୁ ବଡ଼ ଲକ୍ଷ୍ୟ। ଏଥିରେ ଆଦୌ ଦ୍ବିମତ ନାହିଁ। ମୋର ମଧ୍ୟ ସେହି ଲକ୍ଷ୍ୟ ରହିଛି। ଆଉ ଅଧିକ ସମୟ ନାହିଁ। ଆସନ୍ତାବର୍ଷ ଅଲିମ୍ପିକ୍ସ। ଏହା ପୂର୍ବରୁ ଆନ୍ତର୍ଜାତିକ ପ୍ରତିଯୋଗିତାରେ ସ୍ଥିର ପ୍ରଦର୍ଶନ ବଜାୟ ରଖିବା ଉପରେ ପ୍ରାଥମିକତା ଦେବି। ଦେଶର ଜଣେ ଶ୍ରେଷ୍ଠ ବନ୍ଧୁକଚାଳକ ଭାବେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଲଗାତାର ପ୍ରୟ‌ାସ ଜାରି ରଖିବି।
ପ୍ରଶ୍ନ : ବର୍ତମାନ ସୁଦ୍ଧା କେତୋଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି?
ଉତ୍ତର : ୨୦୦୯ରୁ ଆନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିଲା ବେଳେ ୨୦୧୧ରେ ପ୍ରଥମ ପଦକ ଜିତିଥିଲି। କୁଏତ୍‌ ଏସୀୟ ପ୍ରତିଯୋଗିତାରୁ ଆରମ୍ଭ କରିଥିବା ଅନ୍ତର୍ଜାତୀୟ ପଦକ ସଂଖ୍ୟା ଏମଧ୍ୟରେ ୨୦ ଛୁଇଁ ସାରିଲାଣି। ଆଗକୁ ଆହୁରି ପଦକ ଜିତି ଦେଶପାଇଁ ଗର୍ବ ଓ ଗୌରବ ଆଣିବି ବୋଲି ଆଶା ରଖିଛି।

ସମ୍ବନ୍ଧିତ ଖବର