ନୋ ବଲ୍‌ ବିବାଦ: ଦୋଷ ସ୍ବୀକାର କଲେ ଅମ୍ପାୟାର

ଢାକା,: ଶନିବାର ଏଠାରେ ଖେଳାଯାଇଥିବା ବାଂଲାଦେଶ-ୱେଷ୍ଟଇଣ୍ଡିଜ୍‌ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ‌ବେଳେ ବିବାଦୀୟ ନୋ ବଲ୍‌କୁ ନେଇ ଅମ୍ପାୟାର ତନ୍‌ବୀର ଅହମ୍ମଦ ଦୋଷ ସ୍ବୀକାର କରିବା ସାଙ୍ଗକୁ କ୍ଷମା ପ୍ରାର୍ଥନା କରିଛନ୍ତି। ବାଂଲାଦେଶ ପାଳିର ଚତୁଥର୍ ଓଭରରେ ଓସାନେ ଥୋମାସ୍‌ଙ୍କ ବଲ୍‌କୁ ତନ୍‌ବୀର ନୋ ବଲ୍‌ ଡାକିଥିଲେ। ହେଲେ ଥୋମାସ୍‌ଙ୍କ ପାଦ ଲାଇନ୍‌ ଭିତରେ ରହିଥିବା ରିପ୍ଲେରେ ସ୍ପଷ୍ଟ ହୋଇଥିଲା। ଏହାର କିଛି ମିନିଟ୍‌ ପରେ ମଧ୍ୟ ତନ୍‌ବୀର ଆଉ ଏକ ନୋ ବଲ୍‌ ଡାକିଥିଲେ। ଫଳରେ ବ୍ୟାଟ୍‌ସମ୍ୟାନ୍‌ ଫ୍ରିହିଟ୍‌ ପାଇବା ସାଙ୍ଗକୁ ଛକା ମଧ୍ୟ ମାରିଥିଲେ। ଏହାକୁ ନେଇ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ କାର୍ଲୋସ୍‌ ବ୍ରାଥ୍‌ୱେଟ୍‌ ପ୍ରତିବାଦ କରିଥିଲା ବେଳେ ମ୍ୟାଚ୍‌ ମଧ୍ୟ ୧୦ ମିନିଟ୍‌ ବନ୍ଦ ରହିଥିଲା। ଅମ୍ପାୟାର ଓ ଇଣ୍ଡିଜ୍‌ ଖେଳାଳିଙ୍କ ମଧ୍ୟରେ କିଛଇ ସମୟ ଯୁକ୍ତିତର୍କ ଚାଲିଥିଲା। ଶେଷରେ ମ୍ୟାଚ୍‌ ରେଫରି ନୋ-ବଲ୍‌ର ରିଭ୍ୟୁ ହୋଇପାରିବ ନାହିଁ ବୋଲି କହିଥିଲେ। ହେଲେ ତନ୍‌ବୀରଙ୍କ ନୋ-ବଲ୍‌ ନିଷ୍ପତ୍ତି ଭୁଲ୍‌ ଥିଲା ବେଳେ ସେ ନିଜେ ପରେ ସ୍ବୀକାର କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରେ ମୁଁ ନୂଆ, ସେଥିପାଇଁ ଭୁଲ୍‌ କରିଦେଇଛି ବୋଲି ତନ୍‌ବୀର ସ୍ବୀକାର କରିବା ସହିତ କ୍ଷମା ମାଗିଛନ୍ତି।

ସମ୍ବନ୍ଧିତ ଖବର