ଅନୁଷ୍କାଙ୍କ ଜନ୍ମଦିନରେ ପ୍ରଶଂସକ ମନେ ପକାଇଲେ ‘ବୀରୁଷ୍କା’ଙ୍କ ବିଶେଷ ମୁହୂର୍ତ୍ତ

ନୂଆଦିଲ୍ଲୀ : ମେ’ ପହିଲା ଥିଲା ବଲିଉଡ୍ ଅଭିନେତ୍ରୀ ଓ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ୩୩ତମ ଜନ୍ମଦିବସ। ଏହି ଅବସରରେ ପତି କୋହଲିଙ୍କ ସହ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ହେଲେ ଦେଶ ଏବେ କୋଭିଡ୍ ସଙ୍କଟ ଦେଇ ଗତି କରୁଥିବାରୁ ଅନୁଷ୍କା ନିଜ ଜନ୍ମଦିନ ପାଳନ କରିନଥିଲେ। ବରଂ ଏଭଳି ଏକ ଅସ୍ବାଭାବିକ ସମୟରେ ‌କୋହଲି ଓ ସେ ଦେଶବାସୀଙ୍କୁ ଯଥାସମ୍ଭବ ସହାୟତା କରିବେ ବୋଲି ଭିଡିଓ ବାର୍ତ୍ତାରେ ପ୍ରତିଶ୍ରୁତି ଦେଇଥିଲେ। ସେପଟେ କିଛି ପ୍ରଶଂସକ ବିରାଟ ଓ ତାଙ୍କର କିଛି ରୋମାଣ୍ଟିକ୍ ମୁହୂର୍ତ୍ତକୁ ମନେ ପକାଇଥିଲେ। ସେହିଭଳି କ୍ରିକେଟ୍ ମ୍ୟାଚ୍ ବେଳେ ଉଭୟ କିଭଳି ସାଙ୍କେତିକ ଭାଷାରେ ପରସ୍ପର ପ୍ରତି ଥିବା ଭଲପାଇବାକୁ ଦର୍ଶାଉଥିଲେ ତାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବାକୁ ଭୁଲି ନଥିଲେ। କ୍ରିକେଟ୍ ଷ୍ଟାଡିୟମ୍ ଭିତରେ ବୀରୁଷ୍କାଙ୍କ ସେହି ସାଙ୍କେତିକ ହେଲେ କିଛି ପ୍ରେମଭରା କ୍ଷଣକୁ ମନେ ପକାଇବା।

୧. ବୀରୁଷ୍କାଙ୍କ ଜୀବନର ସେହି ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରୁ ନିକଟ ଅତୀତରେ ଘଟିଥିବା ଘଟଣାରେ କୋହଲି ବ୍ୟାଟିଂ କରୁଥିଲା ବେଳେ ଅନୁଷ୍କାଙ୍କୁ ଖାଇଛ କି ନାହିଁ? ପଚାରୁଥିବା ଦେଖିବାକୁ ମିଳିଥିଲା। ଅନୁଷ୍କା ବି ବୁଢ଼ା ଆଙ୍ଗୁଠି ଦେଖାଇ, ସେ ଖାଇ ସାରିଥିବା ଜଣାଇ ଦେଇଥିଲେ। ସେତେବେଳେ ସେ ଗର୍ଭବତୀ ଥିଲେ। ଏହି ଘଟଣା ଗତବର୍ଷ ଆଇପିଏଲ୍‌ର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ଟି ଅକ୍ଟୋବର ୨୫, ୨୦୨୦ରେ ଘଟିଥିଲା। କୋହଲି ନିଜ ଦଳର ସବୁଜ ରଙ୍ଗର ଜର୍ସି ପିନ୍ଧିଥିଲା ବେଳେ ଅନୁଷ୍କା ଲାଲ୍‌ ରଙ୍ଗର ପୋଷାକ ପିନ୍ଧିଥିଲେ।

୨. ଏହା ପୂର୍ବରୁ ଗତବର୍ଷ ଆଇପିଏଲ୍‌ର ଅକ୍ଟୋବର ୧୦ ତାରିଖରେ ଖେଳାଯାଇଥିବା ମ୍ୟାଚ୍‌ରେ କୋହଲି ଯେତେବେଳେ ୯୦ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ, ଅନୁଷ୍କା ସେତେବେଳେ ତାଙ୍କୁ ଉଡ଼ନ୍ତା ଚୁମା ଦେଉଥିବା ଦେଖିବାକୁ ମିଳିଥିଲା। ପତି-ପତ୍ନୀଙ୍କ ଏହି ସ୍ବତନ୍ତ୍ର ମୁହୂର୍ତ୍ତର ଭିଡିଓକୁ ଉଭୟଙ୍କ ପ୍ରଶଂସକ ବେଶ୍ ପସନ୍ଦ କରିଥିଲେ।

୩. ଅଗଷ୍ଟ ୨୦୧୮ରେ ନଟିଂହାମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ମ୍ୟାଚ୍ ଅବସରରେ କୋହଲି ଓ ଅନୁଷ୍କା ପରସ୍ପରକୁ ଉଡ଼ନ୍ତା ଚୁମାର ବର୍ଷା କରୁଥିବା ଦେଖିବାକୁ ମିଳିଥିଲା। କୋହଲି ଏହି ମ୍ୟାଚ୍‌ରେ ଶତକ ଅର୍ଜନ କରିବା ପରେ ଅନୁଷ୍କାଙ୍କୁ ଉଡ଼ନ୍ତା ଚୁମା ଦେଇଥିଲେ। ଅନୁଷ୍କା ମଧ୍ୟ ତୁରନ୍ତ ଏହାର ପ୍ରତିଉତ୍ତର ଦେଇ ପ୍ରେମଭରା ଚୁମା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର