ଚେନ୍ନାଇ: ଚତୁର୍ଥ ଦିନର ଘଟଣା ବହୁଳ ଖେଳ ପରେ ଚେନ୍ନାଇ ଟେଷ୍ଟ୍ ନାଟକୀୟ ମୋଡ଼ ନେଇଛି। ଇଂଲଣ୍ଡ ଫଲୋଅନ୍ ନ ଡାକି ଦ୍ବିତୀୟ ପାଳିରେ ମାତ୍ର ୧୭୮ ରନ୍ରେ ଅଲଆଉଟ୍ ହୋଇଯିବା ପରେ ଭାରତ ସମ୍ମୁଖରେ ୪୨୦ ରନ୍ର କଷ୍ଟକର ଓ ଅସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିଭଳି ସୋମବାର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ହିଟ୍ ମ୍ୟାନ୍ ରୋହିତ ଶର୍ମା (୧୨)ଙ୍କ ୱିକେଟ୍ ହରାଇ ୩୯ ରନ୍ କରିବା ପରେ ପଞ୍ଚମ ଦିନର ସମ୍ଭାବ୍ୟ ୯୦ ଓଭର ଖେଳ ପୂରା ଉତ୍କଣ୍ଠାପୂର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଭାରତକୁ ବିଶ୍ବ କୀର୍ତ୍ତିମାନ ବିଜୟ ପାଇଁ ଆହୁରି ୩୮୧ ରନ୍ର ଦରକାର ରହିଛି। ଅନ୍ୟପକ୍ଷରେ ଚେନ୍ନାଇରେ ବିଜୟ ବାନା ଉଡ଼ାଇ ଚାରି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହେବା ଲାଗି ଇଂଲଣ୍ଡକୁ ଆଉ ୯ ୱିକେଟ୍ର ଦରକାର ରହିଛି। ସଂପ୍ରତି ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା (୧୨*) ଓ ଯୁବ ତାରକା ଶୁବମନ ଗିଲ୍ (୧୫*) ଅପରାଜିତ ରହିଛନ୍ତି।
ଯାହା ଭାରତର ବ୍ରିସବେନ୍ ବିଜୟର ସ୍ଥିତିକୁ ମନେ ପକାଇ ଦେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବ୍ରିସବେନ୍ ଟେଷ୍ଟ୍ରେ ଭାରତ ଆପାତତଃ ସମାନ ସ୍ଥିତିରେ ଥାଇ ରୋମାଞ୍ଚକର ବିଜୟ ହାସଲ କରିଥିବାରୁ ଚେନ୍ନାଇରେ ମଧ୍ୟ ସେହି ସଫଳତା ଦୋହରାଇବ ବୋଲି ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆଜିର ଷ୍ଟମ୍ପ୍ସ ଅପସାରଣ ପରେ ଦମ୍ଭ ଭରିଛନ୍ତି। ତେବେ ରୋହିତଙ୍କ ୱିକେଟ୍ କରାୟତ୍ତ କରି ନେଇଥିବାରୁ ଇଂଲଣ୍ଡର ପଲା ଅପେକ୍ଷାକୃତ ଭାରୀ ରହିଥିବା କ୍ରିକେଟ୍ ପଣ୍ଡିତମାନେ ଆକଳନ କରିଛନ୍ତି। ଭାରତ ଯଦି ମ୍ୟାଚ୍ ଜିତିନିଏ କ୍ରିକେଟ୍ ଇତିହାସରେ ନୂଆ ଫର୍ଦ ଯୋଡ଼ିହେବ। କାରଣ ଆଜି ପର୍ଯ୍ୟନ୍ତ ଏତେ ରନ୍କୁ ପିଛା କରି କୌଣସି ଦଳ କେବେବି ବିଜୟୀ ହୋଇ ନାହାନ୍ତି। ୨୦୦୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ୪୧୮ ରନ୍ର ଲକ୍ଷ୍ୟକୁ ସଫଳତାର ସହ ହାସଲ କରି ନେଇଥିଲା। ଯାହା ଆଜି ପର୍ଯ୍ୟନ୍ତ ଟେଷ୍ଟ୍ କ୍ରିକେଟ୍ର ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ହୋଇ ରହିଛି।
ସୁନ୍ଦରଙ୍କ ସଫଳ ବ୍ୟାଟିଂ, ଫଲୋଅନ୍ ଡାକିଲାନି ଇଂଲଣ୍ଡ
ସୋମବାର ଭାରତ ତା ପ୍ରଥମ ପାଳିରେ ୩୩୭ ରନ୍ କରି ପାରିଥିଲା। ଫଳରେ ଫଲୋଅନ୍ ଏଡ଼ାଇବାଠାରୁ ୪୨ ରନ୍ ପଛରେ ରହି ଯାଇଥିଲା। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ କିନ୍ତୁ ଫଲୋଅନ୍ ନ ଡାକି ଦ୍ବିତୀୟ ପାଳି ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡ କିନ୍ତୁ ନିଜ ୫୭୮ ରନ୍ର ପ୍ରଥମ ପାଳି ସ୍କୋର ବଳରେ ୨୪୧ ରନ୍ର ବିଶାଳ ଅଗ୍ରଣୀ ଲାଭ କରିଥିଲା। ଅବଶ୍ୟ ଶୀର୍ଷକ୍ରମର ବିଫଳତା ପରେ ଭାରତ ଏକଦା ଅଢ଼େଇ ଶହ ରନ୍ ତଳେ ଅଟକି ଯିବାର ଆଶଙ୍କା ଦେଖା ଦେଇଥିଲା। ହେଲେ ଦୁଇ ବୋଲିଂ ଅଲରାଉଣ୍ଡର ଆର୍ ଅଶ୍ବିନ (୩୧) ଏବଂ ୱାସିଂଟନ୍ ସୁନ୍ଦର (୮୫*)ଙ୍କ ସାହସୀ ବ୍ୟାଟିଂ ପାଇଁ ଭାରତ ୩୦୦ ରନ୍ ଟପି ଯାଇଥିଲା।
ଭାରତ ଗତକାଲିର ସ୍କୋର ୨୫୭/୬ରୁ ଆଜିର ଖେଳ ଆରମ୍ଭ କରିଥିଲା। ସେତେବେଳେ ଅଶ୍ବିନ ୮ ଏବଂ ସୁନ୍ଦର ୩୩ ରନ୍ରେ ଅପରାଜିତ ରହିଥିଲେ। ଉଭୟ ସପ୍ତମ ୱିକେଟ୍ରେ ବହୁମୂଲ୍ୟ ୮୦ ରନ୍ ଯୋଡ଼ିଥିଲେ। ଅଶ୍ବିନଙ୍କୁ ଜ୍ୟାକ୍ ଲିଚ୍ ୱିକେଟ୍ରକ୍ଷକ ଜୋସ୍ ବଟଲରଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିବା ପୂର୍ବରୁ ଭାରତ ୩୦୦ ରନ୍ ଟପି ଯାଇଥିଲା। ହେଲେ ଶେଷ ୩ ୱିକେଟ୍ ମାତ୍ର ୩୨ ରନ୍ରେ ହରାଇ ୩୩୭ ରନ୍ରେ ଅଟକି ଯାଇଥିଲା। ସାଥୀ ଅଭାବରୁ ୱାସିଂଟନ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୫ ରନ୍ ପାଇଁ ପ୍ରଥମ ଶତକରୁ ବଞ୍ଚିତ ହୋଇଥିଲେ। ତେବେ ଏହା ପୂର୍ବରୁ ନିଜ ଦ୍ବିତୀୟ ଟେଷ୍ଟ୍ ଅର୍ଦ୍ଧଶତକ ହାସଲ କରି ନେଇଥିଲେ।
ଅଶ୍ବିନଙ୍କ ‘୧୧୩ ବର୍ଷ ପର’ କୀର୍ତ୍ତିମାନ
ଭାରତୀୟ ଅଫ୍ ସ୍ପିନର ଆର ଅଶ୍ବିନଙ୍କ ପାଇଁ ମଧ୍ୟ ସୋମବାରର ଖେଳ ଥିଲା ବେଶ୍ ସ୍ବତନ୍ତ୍ର। ଇଂଲଣ୍ଡ ଦ୍ବିତୀୟ ପାଳିର ପ୍ରଥମ ବଲ୍ରେ ରୋରି ବର୍ନସଙ୍କୁ ଆଉଟ୍ କରି ୧୦୦ରୁ ଅଧିକ ବର୍ଷ ତଳର ସଫଳତାକୁ ଦୋହରାଇଥିଲେ ଏହି ତାମିଲନାଡ଼ୁ ଅଫ୍ ସ୍ପିନର। ରାଉଣ୍ଡ ଦ ୱିକେଟ୍ ବୋଲିଂ କରି ବର୍ଣ୍ଣସଙ୍କୁ ଅଜିଙ୍କ୍ୟ ରହାଣେ (ସ୍ଲିପ୍ରେ)ଙ୍କ ହାତରେ କ୍ୟାଚ୍ କରାଇ କୌଣସି ଟେଷ୍ଟ୍ର ଏକ ପାଳିର ପ୍ରଥମ ବଲ୍ରେ ୱିକେଟ୍ ନେବାରେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍ ବର୍ଟ ବଗଲର ଓ ଇଂଲଣ୍ଡର ବବି ପିଲ୍ଙ୍କ ପରେ ତୃତୀୟ ସ୍ପିନର ହୋଇଥିଲେ ସେ। ବଗଲର ବିଶ୍ବର ଦ୍ବିତୀୟ ସ୍ପିନର ଭାବେ ୧୯୦୭ ମସିହାରେ କୌଣସି ପାଳିର ପ୍ରଥମ ବଲ୍ରେ ୱିକେଟ୍ କରାୟତ୍ତ କରିଥିଲେ। ଅଶ୍ବିନ ଦୀର୍ଘ ୧୧୩ ବର୍ଷ ପରେ ଏହି ସଫଳତା ଦୋହରାଇଥିଲେ। ଗୋଟିଏ ପାଳିର ପ୍ରଥମ ବଲ୍ରେ ୱିକେଟ୍ ନେବାର ପ୍ରଥମ ସ୍ପିନର ଥିଲେ ଇଂଲଣ୍ଡର ବବି ପିଲ୍। ୧୮୮୮ ମସିହାରେ ସେ ଏଭଳି ଐତିହାସିକ ସଫଳତା ପାଇଥିଲେ।
ଈଶାନ୍ତଙ୍କ ୩୦୦ ୱିକେଟ୍ ମାଇଲଖୁଣ୍ଟ
ଭାରତର ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ସୋମବାର ଏକ ସ୍ମରଣୀୟ ମାଇଲଖୁଣ୍ଟ ଛୁଇଁଥିଲେ। ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଡାନ୍ ଲରେନ୍ସଙ୍କୁ ଏଲ୍ବିଡବ୍ଲ୍ୟୁ କରି କପିଳ ଦେବ (୪୩୪) ଓ ଜାହିର ଖାନ୍ (୩୧୧)ଙ୍କ ପରେ ତୃତୀୟ ଭାରତୀୟ ଦ୍ରୁତ ବୋଲର ଭାବେ ଟେଷ୍ଟ୍ କ୍ରିକେଟ୍ରେ ୩୦୦ ୱିକେଟ୍ ପୂରଣ କରିଥିଲେ ସେ। ଏହି ମାଇଲଖୁଣ୍ଟ ଛୁଇଁବାରେ କିନ୍ତୁ ଈଶାନ୍ତ ଦେଶର ଷଷ୍ଠ ବୋଲର ହୋଇଥିଲେ। ତାଙ୍କ ପୂର୍ବରୁ କପିଳ ଓ ଜାହିରଙ୍କ ସହ ସ୍ପିନର ଅନିଲ କୁମ୍ବଲେ (୬୧୯), ରବିଚନ୍ଦ୍ରନ୍ ଅଶ୍ବିନ (୩୭୭) ଓ ହରଭଜନ ସିଂହ (୪୧୭) ଏହି ନିଆରା କ୍ଲବ୍ର ସଦସ୍ୟ ହୋଇ ସାରିଛନ୍ତି। ୩୨ ବର୍ଷୀୟ ଈଶାନ୍ତ ନିଜ ୯୮ତମ ଟେଷ୍ଟ୍ରେ ଏହି ସଫଳତା ଲାଭ କରିଥିଲେ। ଅଶ୍ବିନ ଦ୍ରୁତତମ ଭାବେ ମାତ୍ର ୫୪ ଏବଂ କୁମ୍ବଲେ ୬୬, ହରଭଜନ ୭୨, କପିଳ ୮୩ ଓ ଜାହିର ୮୯ତମ ମ୍ୟାଚ୍ରେ ୩୦୦ ୱିକେଟ୍ ଛୁଇଁଥିଲେ। ୨୦୦୭ରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିବା ଈଶାନ୍ତ ୧୧ ପାଞ୍ଚ ୱିକେଟ୍ ଏବଂ ଗୋଟିଏ ୧୦ ୱିକେଟ୍ ସଫଳତା ଲାଭ କରିଛନ୍ତି।
ଆଣ୍ଡରସନ୍ଙ୍କ ସହ ସମକକ୍ଷ
ଇଂଲଣ୍ଡ ଦ୍ବିତୀୟ ପାଳିରେ ୬୧ ରନ୍ ଦେଇ ୬ ୱିକେଟ୍ ନେଇଥିବା ଅଶ୍ବିନ ଆଉ ଏକ କୀର୍ତ୍ତିମାନ କ୍ରମେ ପ୍ରତିପକ୍ଷ ବୋଲର ତଥା ବିଶ୍ବର ସର୍ବାଧିକ ୱିକେଟ୍ ହାସଲକାରୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ସମକକ୍ଷ ହୋଇଥିଲେ। ଅଶ୍ବିନ ଆଜି ନିଜ ୨୮ତମ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ। ଏସିଆ ମହାଦେଶରେ ଏହା ତାଙ୍କର ୨୬ତମ, ଘରୋଇ ମାଟିରେ ୨୨ତମ ଏବଂ ଚେନ୍ନାଇରେ ତୃତୀୟ ପାଞ୍ଚ ୱିକେଟ୍ ସଫଳତା ଥିଲା। ସେଥିମଧ୍ୟରୁ ଘରୋଇ ମାଟିରେ ସର୍ବାଧିକ ପାଞ୍ଚ ୱିକେଟ୍ ସଫଳତା ଲାଭ କରିବାରେ ସେ ଆଣ୍ଡରସନ୍ଙ୍କ କ୍ଲବ୍ରେ ଯୋଗ ଦେଇଥିଲେ। ଚେନ୍ନାଇରେ ନିଜ ୧୫୮ତମ ଟେଷ୍ଟ୍ ଖେଳୁଥିବା ଆଣ୍ଡରସନ୍ ଇଂଲଣ୍ଡ ମାଟିରେ ଠିକ୍ ୨୨ଟି ପାଞ୍ଚ ୱିକେଟ୍ ସଫଳତା ଲାଭ କରିଛନ୍ତି। ଅଶ୍ବିନ ଏବେ କେବଳ କୁମ୍ବଲେ, ରଙ୍ଗଣା ହେରାଥ ଏବଂ ମୁଥୟା ମୁରଲୀଧରନଙ୍କ ପଛକୁ ଅଛନ୍ତି। ଘରୋଇ ମାଟିରେ କୁମ୍ବଲେ ୨୫, ହେରାଥ ୨୬ ଓ ମୁରଲୀଧରନ୍ ୪୫ଥର ପାଞ୍ଚ ୱିକେଟ୍ ସଫଳତା ଲାଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଇଂଲଣ୍ଡର ପ୍ରଥମ ପାଳିରେ ଅଶ୍ବିନ ୧୪୬ ରନ୍ ବ୍ୟୟ କରି ୩ ୱିକେଟ୍ ଅକ୍ତିଆର କରିଥିଲେ।