ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନକୁ ବାଦ୍ ଦେଲେ ଅବଶିଷ୍ଟ ତିନି ଦିନ ଧରି ଭାରତ ପଦକ ଶୂନ୍ୟ ରହିଛି। ଏହି ୪ ଦିନ ମଧ୍ୟରେ ଭାରତ କେବଳ (ଭାରୋତ୍ତୋଳନରେ ମୀରାବାଇ ଚାନୁଙ୍କ ରୌପ୍ୟ) ଗୋଟିଏ ପଦକରେ ସନ୍ତୁଷ୍ଟ ରହିଛି। ଏଥିସହ ପଦକ ଟେବୁଲରେ ଭାରତ ୧ ରୌପ୍ୟ ସହ ୩୩ତମ ସ୍ଥାନରେ ରହିଛି। ଜାପାନ ୧୩ (୮ ସ୍ବର୍ଣ୍ଣ, ୨ ରୌପ୍ୟ, ୩ କାଂସ୍ୟ) ପଦକ ସହ ଶୀର୍ଷରେ ରହିଥିଲା ବେଳେ ଆମେରିକା ୧୪ (୭ ସ୍ବର୍ଣ୍ଣ, ୩ ରୌପ୍ୟ, ୪ କାଂସ୍ୟ) ଏବଂ ଚୀନ୍ ୧୮ (୬ ସ୍ବର୍ଣ୍ଣ, ୫ ରୌପ୍ୟ, ୭ କାଂସ୍ୟ) ଯଥାକ୍ରମେ ତୃତୀୟ ସ୍ଥାନରେ ରହିଛନ୍ତି।
ଟିଟି: ଶରତଙ୍କ ବିଜୟ ଜାରି, ମନିକା, ସୁତୀର୍ଥା ବିଦା
ଟେବୁଲ ଟେନିସରେ ଶରତ କମଲ ବିଜୟ ଧାରା ଜାରି ରଖି ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସୋମବାର ପୁରୁଷ ଏକକ ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ୩୯ ବର୍ଷୀୟ ଶରତ ୪-୨ (୨-୧୧, ୧୧-୮, ୧୧-୫, ୯-୧୧, ୧୧-୬, ୧୧-୯)ସେଟ୍ରେ ପର୍ତ୍ତୁଗାଲର ତିଆଗୋ ଆପୋଲୋନିଆଙ୍କୁ ପରାସ୍ତ କରିଥିଲେ। ୪୯ ମିନିଟ୍ରେ ଏହି ମ୍ୟାଚ୍ ଜିତିଥିବା ଶରତ ତୃତୀୟ ପର୍ଯ୍ୟାୟରେ ବିଜେତା ଚୀନ୍ର ମା ଲଙ୍ଗଙ୍କୁ ଭେଟିବେ। ତେବେ ମନିକା ବାତ୍ରା ଏବଂ ସୁତୀର୍ଥା ମୁଖାର୍ଜୀ ସୋମବାର ନିଜ ନିଜ ମ୍ୟାଚ୍ ହାରିଯିବାରୁ ମହିଳା ଏକକରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ତୃତୀୟ ପର୍ଯ୍ୟାୟରେ ମନିକା ୦-୪ (୮-୧୧, ୨-୧୧, ୫-୧୧, ୭-୧୧) ସେଟ୍ରେ ଦଶମ ମାନ୍ୟତାପ୍ରାପ୍ତ ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କଠୁ ହାରିଯାଇଥିଲେ। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ସୁତୀର୍ଥା ୦-୪ (୩-୧୧, ୩-୧୧, ୫-୧୧, ୫-୧୧) ସେଟ୍ରେ ପର୍ତୁଗାଲର ଫୁ ୟୁଙ୍କଠୁ ପରାସ୍ତ ହୋଇଥିଲେ।
ତୀରନ୍ଦାଜି: କ୍ବାର୍ଟରରେ ଅଟକିଲା ପୁରୁଷ ଦଳ
ପ୍ରବୀଣ ଯାଦବ, ଅତନୁ ଦାସ ଓ ତରୁଣଦୀପ ରୟଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ କ୍ବାର୍ଟର ଫାଇନାଲ୍ରେ ଅଟକିଯାଇଛି। ସୋମବାର ପ୍ରିକ୍ବାର୍ଟର ଫାଇନାଲ୍ରେ ୨୦୧୯ ବିଶ୍ବ ଚାମ୍ପିଅନ୍ସିପ୍ ରୌପ୍ୟ ବିଜେତା ୬-୨ରେ କାଜଖସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ହେଲେ କ୍ବାର୍ଟର ଫାଇନାଲ୍ରେ ଭାରତ ୦-୬ରେ ୨୦୧୨ ଲଣ୍ଡନ ବିଜେତା କୋରିଆଠୁ ହାରିଯାଇଥିଲା। କୋରିଆ ମଧ୍ୟ ଫାଇନାଲ୍ରେ ଚାଇନିଜ୍ ତାଇପେକୁ ହରାଇ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା। ଟୋକିଓରେ କୋରିଆଠୁ ଭାରତର ଏହା ଦ୍ବିତୀୟ ପରାଜୟ। ମିଶ୍ରିତ ଯୁଗଳରେ ମଧ୍ୟ କୋରିଆଠୁ ହାରି ଭାରତ ପଦକ ଦୌଡ଼ରୁ ବାଦ୍ ପଡ଼ିଥିଲା।
ଟେନିସ: ଏକକରୁ ନଗଲଙ୍କ ଅଭିଯାନ ଶେଷ
ଭାରତୀୟ ଯୁବ ଟେନିସ ତାରକା ସୁମିତ ନଗଲଙ୍କ ଟୋକିଓ ଅଲିମ୍ପିକ୍ସ ଏକକ ବର୍ଗରେ ଅଭିଯାନ ଶେଷ ହୋଇଛି। ୨୫ ବର୍ଷ ପରେ ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଇତିହାସ ରଚିଥିବା ନଗଲ ସୋମବାର ମ୍ୟାଚ୍ରେ ରୁଷୀୟର ଡାନିଲ ମେଦଭେଦେଭଙ୍କଠୁ ହାରିଯାଇଥିଲେ। ବିଶ୍ବର ଦୁଇ ନମ୍ବର ମେଦଭେଦେଭ ସିଧାସଳଖ ୬-୨, ୬-୧ ସେଟ୍ରେ ନଗଲଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ଏବେ ସେ ସାନିଆ ମିର୍ଜାଙ୍କ ସହ ମିଶ୍ରିତ ଯୁଗଳ ଖେଳିବାର ସମ୍ଭାବନା ରହିଛି। ଯାହା ମଙ୍ଗଳବାର ସ୍ପଷ୍ଟ ହେବ। ତାଙ୍କ ପୂର୍ବରୁ ସାନିଆ ଓ ଅଙ୍କିତା ରାଇନା ମହିଳା ଯୁଗଳରୁ ହାରି ବିଦାୟ ନେଇସାରିଛନ୍ତି।
ଅସିଚାଳନା: ଇତିହାସ ରଚିଲେ ଭବାନୀ ଦେବୀ
ଅଲିମ୍ପିକ୍ସ ଅସିଚାଳନାରେ ପ୍ରଥମ ଭାରତୀୟ ଭାବେ ଭାଗନେଇଥିବା ଭବାନୀ ଦେବୀ ସୋମବାର ଇତିହାସ ରଚିଲେ। ମହିଳା ବ୍ୟକ୍ତିଗତ ସାବରେ ଇଭେଣ୍ଟର ପ୍ରଥମ ରାଉଣ୍ଡରେ ସେ ୧୫-୩ରେ ଟ୍ୟୁନିସିଆର ନଦିଆ ବେନ ଅଜିଜିଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ଐତିହାସିକ ପଦାର୍ପଣରେ ଭବାନୀ ଏହା ପରେ ଅଗକୁ ବଢ଼ିପାରିନଥିଲେ। ପରବର୍ତ୍ତୀ ରାଉଣ୍ଡରେ ବିଶ୍ବର ତିନି ନମ୍ବର ଫ୍ରାନ୍ସର ମାନନ ବ୍ରୁନେଟଙ୍କଠୁ ସେ ହାରିଯାଇଥିଲେ। ରିଓ ଅଲିମ୍ପିକ୍ସ ସେମିଫାଇନାଲିଷ୍ଟ ବ୍ରୁନେଟ ୧୫-୭ରେ ଭାବନୀଙ୍କୁ ମାତ୍ ଦେଇ ବିଦାୟ ରାସ୍ତା ଦେଖାଇଥିଲେ।
ବନ୍ଧୁକଚାଳନାରେ ବିଫଳତା ଜାରି
ବନ୍ଧୁକଚାଳନାରେ ଭାରତର ପଦକ ଆଶା ଅଧିକ ରହିଥିଲା। ଚତୁର୍ଥ ଦିନ ସୁଦ୍ଧା ବନ୍ଧୁକଚାଳନାରେ ୧୦ ଜଣ ଖେଳିସାରିଲେଣି। ହେଲେ ଏହି ଇଭେଣ୍ଟରେ ଭାରତ ପଦକ ଖାତା ଖୋଲିପାରିନି। ସୋମବାର ବି ଏହି ଧାରାକୁ ଆଗେଇ ନେଇଛନ୍ତି ଦୁଇ ସ୍କିଟ୍ ତାରକା ଅଙ୍ଗଦ ବଜୱା ଏବଂ ମଇରାଜ ଖାନ। ଯୋଗ୍ୟତା ପର୍ଯ୍ୟାୟରେ ଅଙ୍ଗଦ ୧୮ତମ ଏବଂ ମଇରାଜ ୨୫ତମ ସ୍ଥାନରେ ରହି ଫାଇନାଲ୍ ପୂର୍ବରୁ ବିଦାୟ ନେଇଛନ୍ତି।
ମୁଷ୍ଟିଯୁଦ୍ଧ: ପଦାର୍ପଣରେ ଆଶିଷ ଫିକା
ଭାରତୀୟ ମୁଷ୍ଟିଯୋଦ୍ଧା ଆଶିଷ ଚୌଧୁରୀ (୭୫ କେଜି)ଙ୍କ ଅଲିମ୍ପିକ୍ସ ପଦାର୍ପଣ ଫିକା ପଡ଼ିଛି। ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିବାରେ ପୂର୍ବତନ ଏସୀୟ ରୌପ୍ୟ ବିଜେତା ଆଶିଷ ବିଫଳ ହୋଇଛନ୍ତି। ସୋମବାର ମୁକାବିଲାରେ ୨୭ ବର୍ଷୀୟ ଏହି ହିମାଚଳ ପ୍ରଦେଶ ଯୋଦ୍ଧା ୦-୫ରେ ଚୀନ୍ର ଏର୍ବିକେ ତୋହେତାଙ୍କଠୁ ହାରିଯାଇଥିଲେ।
ସନ୍ତରଣ: ସେମିରେ ପହଞ୍ଚିପାରିଲେନି ସାଜନ
ଭାରତୀୟ ସନ୍ତରଣ ତାରକା ସାଜନ ପ୍ରକାଶ ସୋମବାର ପୁରୁଷ ୨୦୦ ମିଟର ବଟରଫ୍ଲାଏର ହିଟ୍-୨ରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ୧:୫୭.୨୨ ସେକେଣ୍ଡ ସମୟ ନେଇ ରେସ୍ ଶେଷ କରିଥିବା ସାଜନ ମୋଟ ଉପରେ ୩୮ ଜଣ ସନ୍ତରଣକାରୀଙ୍କ ମଧ୍ୟରେ ୨୪ତମ ସ୍ଥାନରେ ରହି ସେମିଫାଇନାଲ୍ ସ୍ଥାନ ପକ୍କା କରିବାରେ ବିଫଳ ହୋଇଥିଲେ। ଶ୍ରେଷ୍ଠ ୧୬ ଜଣଙ୍କୁ ସେମିଫାଇନାଲ୍ ଟିକେଟ୍ ମିଳିଥିଲା।