ଦ୍ବିତୀୟ ଦିନ ୧୫ ୱିକେଟ୍‌ର ପତନ; ଅଶ୍ବିନ, ଉମେଶ, ବୁମରା ଅଗ୍ରଣୀ ଦେଲେ

ପୂଜାରାଙ୍କୁ ଜାତିଆଣ ଆକ୍ଷେପ କରି ୱର୍ନ ସମାଲୋଚିତ

ଆଡିଲେଡ୍: ବରିଷ୍ଠ ଅଫସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନଙ୍କ ନେତୃତ୍ବରେ ବୋଲର୍‌ମାନେ ଆଡିଲେଡ୍‌ ଟେଷ୍ଟରେ ଭାରତକୁ ପ୍ରଥମ ପାଳିରେ ୫୩ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ପ୍ରଦାନ କରିଛନ୍ତି। ବିଦେଶ ମାଟିରେ ଅଶ୍ବିନ୍‌ଙ୍କ ଅନ୍ୟତମ ସ୍ମରଣୀୟ ବୋଲିଂ ଚିତ୍ର (୧୮-୩-୫୫-୪) ସହିତ ପେସ୍‌ ଯୋଡ଼ି ଯଶପ୍ରୀତ୍ ବୁମରା (୨/୫୨) ଓ ଉମେଶ ଯାଦବ (୩/୪୦) ମିଳିତ ଭାବେ ୯ ୱି‌କେଟ୍ ବାଣ୍ଟି ନେବାରୁ ଭାରତ ପ୍ରଥମ ପାଳି ସ୍କୋର୍‌ ନିରାଶାକୁ ଭୁଲିଯାଇଛି। ତଥାପି ଏକାଧିକ କ୍ୟାଚ୍‌ ହାତଛଡ଼ା କରି ଭାରତୀୟ ଖେଳାଳି ଏହ‌ି ଟେଷ୍ଟରେ ନିଜକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା ସୁଯୋଗ ହାତଛଡ଼ା କରିଛନ୍ତି। ଭାରତର ପ୍ରଥମ ପାଳି ୨୪୪ ରନ୍ ଜବାବରେ ଅଷ୍ଟ୍ରେଲିଆ ୧୯୧ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଭାରତର ଦ୍ବିତୀୟ ପାଳି ବି ଖରାପ ରହିଛି। ଖେଳିଥିବା ୬ ଓଭରରେ ୯ ରନ୍‌ରେ ଗୋଟିଏ ୱିକେଟ୍ ହରାଇ ଦେଇଛି। ପୁଣି ଥରେ ପୃଥ୍ବୀ ସ’ (୪ ରନ୍‌) ବିଫଳ ହୋଇଛନ୍ତି। ଦ୍ବିତୀୟ ଦିବସରେ ଉଭୟ ଦଳର ମୋଟ ୧୫ ୱିକେଟ୍‌ର ପତନ ଘଟିଛି। ହାତରେ ୯ ୱିକେଟ୍ ରଖି ଭାରତ ୬୨ ରନ୍‌ରେ ଆଗୁଆ ହୋଇସାରିଛି। ଶନିବାରର ତୃତୀୟ ଦିବସର ଖେଳ ଏହି ଟେଷ୍ଟ୍‌ରେ ନିର୍ଣ୍ଣାୟକ ହେବାକୁ ଯାଉଛି।

୫୬ ରନ୍‌ରେ ୭ ୱିକେଟ୍
ଶୁକ୍ରବାର ଭାରତ ୨୩୩/୬ରୁ ‌ଖେଳିଥିଲା। କୌଣସି ରନ୍ ଯୋଡ଼ିବା ପୂର୍ବରୁ ଦିନର ତୃତୀୟ ବଲରେ ହିଁ ରବିଚନ୍ଦ୍ରନ ଅଶ୍ବିନ (୧୫)ଙ୍କୁ ପ୍ୟାଟ୍ କମିନ୍ସ ଆଉଟ୍ କରି ‌ଦେଇଥିଲେ। ପରବର୍ତୀ ଓଭରରେ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍‌ ଋଦ୍ଧିମାନ ସାହା (୯) ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ୱିକେଟ ପଛପଟେ ଟିମ୍ ପେନ୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ଉମେଶ ଯାଦବ ଏବଂ ମହମ୍ମଦ ସାମିଙ୍କୁ ମଧ୍ୟ ଏହି ଦୁଇ ବୋଲର ଲଗାତାର ଓଭରରେ ଆଉଟ୍ କରି ଦେଇଥିଲେ। ଫଳରେ ଭାରତ ଶୁକ୍ରବାର ମାତ୍ର ୪.୧ ଓଭର ଖେଳି ଶେଷ ୪ ୱିକେଟ୍ ହରାଇଥିଲା। ଏଥି ସହିତ ଭାରତ ନିଜର ଶେଷ ୭ ୱିକେଟ୍‌କୁ ୧୬ ଓଭର ଓ ମାତ୍ର ୫୬ ରନ୍‌ ଭିତରେ ହରାଇଥିଲା। ଗୁରୁବାର ରାତିରେ ଏକଦା ୧୮୮/୩ରେ ଥିବା ଭାରତ ବିରାଟ କୋହଲିଙ୍କ ଭୁଲ ବୁଝାମଣା ରନ୍‌ ଆଉଟ୍‌ ସହିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସମ୍ଭାବ୍ୟ ୩୦୦ ରନ୍‌ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୪ ୱିକେଟ୍‌ ନେଇଥିବା ବେଳେ ପ୍ୟାଟ୍ କମିନ୍ସ ୩ ଏବଂ ଜୋସ୍ ହାଜେଲଉଡ୍‌, ନାଥନ୍ ଲାୟନ ୧-୧ ୱିକେଟ୍ ନେଇଥିଲେ।

ବୁମରା ବ‌ିସ୍ଫୋରଣ, ଅଶ୍ବିନ ଅଗ୍ରସର
ଭାରତକୁ ୨୪୪ ରନ୍‌ରେ ରୋକିଦେବା ପରେ ଅଷ୍ଟ୍ରେଲିଆ ଲଗାତାର ୪ ମେଡେନ୍ ଖେଳି ବ୍ୟା‌ଟିଂ ଆରମ୍ଭ କରିଥିଲା। ଫର୍ମରେ ନ ଥିବା ଜୋ ବର୍ନସ ଏବଂ ୱାର୍ନରଙ୍କ ଅନୁପସ୍ଥିତିରେ ଜୀବନରେ ପ୍ରଥମ ଥର ଓପନିଂ କରିଥିବା ମାଥ୍ୟୁ ୱାଦେ ୧୪ ଓଭର ପର୍ଯ୍ୟନ୍ତ ଭାରତକୁ ୱିକେଟ୍ ‌ନ ଦେଇ ନିରାଶ କରିଥିଲେ। ଏହା ପରେ କିନ୍ତୁ ଲଗାତାର ଓଭରରେ (୧୫ ଓ ୧୭) ଯଶପ୍ରୀତ୍ ବୁମରା ପ୍ରାରମ୍ଭିକ ଯୋଡ଼ି ୱାଦେ ଓ ବର୍ନସଙ୍କୁ ଲେଗ୍‌ବିଫୋର ୱିକେଟ୍ କରାଇ ଭାରତକୁ ପ୍ରତ୍ୟାବର୍ତନ କରାଇଥିଲେ। ଏହା ପରେ ଭାରତ ଏକାଧିକ କ୍ୟାଚ୍‌ ହାତଛଡ଼ା କରିଥିଲା ସତ କିନ୍ତୁ ବୋଲରମାନେ ସେମାନଙ୍କ ଲୟ ବିଗାଡ଼ିବାକୁ ଦେଇନଥିଲେ। ଷ୍ଟିଭେନ ସ୍ମିଥ୍‌, ଟ୍ରାଭିସ୍ ହେଡ୍‌, କାମେରନ୍ ଗ୍ରିନ୍‌ଙ୍କୁ ଆଉଟ୍ କରି କଙ୍ଗାରୁଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଚା’ପାନ ବିରତି ପରେ ଟ୍ବିଲାଇଟ୍‌ରେ ଉମେଶ ଯାଦବ ଗୋଟିଏ ଓଭରରେ ମାର୍ନସ ଲବୁସାନଙ୍କ ବଡ଼ ୱିକେଟ୍‌ ସହ ପ୍ୟାଟ୍ କମିନ୍ସଙ୍କୁ ବି ପ୍ୟାଭିଲିଅନ୍‌ ପଠାଇ‌ ଦେଇଥିଲେ। ଅଷ୍ଟ୍ରେଲିଆ ଏହି ସମୟରେ ୧୧୧/୭ରେ ସଂଘର୍ଷ କରିଥିଲା। ଅଧିନାୟକ ଟିମ୍ ପେନ୍‌ (୭୩*, ୯୯ ବଲ) କିନ୍ତୁ ନିଜ ନିମ୍ନକ୍ରମ ବ୍ୟାଟର୍‌ଙ୍କୁ ସାଥୀ କରି ୮୦ ରନ୍‌ ଯୋଡ଼ି ନେଇଥିଲେ। ଲାୟନଙ୍କୁ ଅଶ୍ବିନ୍‌ ନିଜ ଚତୁର୍ଥ ଶିକାର କରିଥିଲେ। ଉମେଶ ଯାଦବଙ୍କ ବୋଲିଂରେ ହାଜେଲଉଡଙ୍କ ଏଜ୍‌ ସ୍ଲିପ୍‌ ଉପରେ ଯିବାକୁ ବସିଥିବା ବେଳେ ଚେତେଶ୍ବର ପୂଜାରା ଉଚ୍ଚକୁ ଡେଇଁ କ୍ୟାଚ୍ ନେବାରୁ ଅଷ୍ଟ୍ରେଲିଆ ପାଳି ୧୯୧ ରନ୍‌ରେ ଅଟକି ଯାଇଥିଲା।

୪ କ୍ୟାଚ୍‌ ହାତଛଡ଼ା
ଅଷ୍ଟ୍ରେଲିଆର ପ୍ରଥମ ପାଳିକୁ ୧୯୧ ରନ୍‌ରେ ରୋକିଥିଲେ ମଧ୍ୟ ଭାରତୀୟ ଦଳ ଶୁକ୍ରବାର ୪ଟି ସମ୍ଭାବ୍ୟ କ୍ୟାଚ୍‌କୁ ହାତଛଡ଼ା କରିଥିଲା। ୩ ଥର କ୍ୟାଚ୍‌ ଡ୍ରପରୁ ଜୀବନ ଦାନ ପାଇଥିବା ମାର୍ନସ ଲବୁସାନ୍‌ ଏହାର ଫାଇଦା ଉଠାଇ ଦ୍ବିତୀୟ ସର୍ବାଧିକ ୪୭ ରନ୍ କରିଥିଲେ ମଧ୍ୟ ଅର୍ଧଶତକ ପୂର୍ଣ୍ଣ କରିପାରିନଥିଲେ। ଖାତା ଖୋଲିବା ପୂର୍ବରୁ ବୁମରାଙ୍କ ବୋଲିଂରେ ତାଙ୍କ ବ୍ୟାଟ୍‌ରୁ ବାହାରିଥିବା ଏଜ୍‌ ୱିକେଟରକ୍ଷକ ଋଦ୍ଧିମାନ ସାହା ଓ ସ୍ଲିପ୍‌ କ୍ଷେତ୍ରରକ୍ଷକ ଚେତେଶ୍ବର ପୂଜାରାଙ୍କ ମଝିରେ ଥାର୍ଡମ୍ୟାନ୍‌ ସୀମା ରେଖା ଟପିଯାଇଥିଲା। ଏହା ପରେ ମହମ୍ମଦ ସାମିଙ୍କ ବୋଲିଂ ବେଳେ ଲବୁସାନ୍‌ ୧୨ ରନ୍‌ରେ ଥିବାବେଳେ ‌ଲଙ୍ଗ୍ ଲେଗ୍‌ ବାଉଣ୍ଡରି ନିକଟରେ ବୁମରା କ୍ୟାଚ୍‌ ହାତଛଡ଼ା କରିଥିଲେ। ସେହିଭଳି ଲବୁସାନ ୨୧ ରନ୍‌ରେ ଥିବାବେଳେ ବୁମରାଙ୍କ ବୋଲିଂ‌ରେ ସ୍କୋୟାର ଲେଗ୍ ଅଞ୍ଚଳରେ ପୃଥ୍ବୀ ସ’ ଏକ କ୍ୟାଚ୍ ଧରିପାରିନଥିଲେ। ଚତୁର୍ଥ କ୍ୟାଚ୍‌ଟି ମୟଙ୍କ ଅଗ୍ରୱାଲ୍‌ ଛାଡ଼ିଥିଲେ। ଟିମ୍ ପେନ୍‌ ୨୬ ରନ୍‌ରେ ଥିବାବେଳେ ବୁମରାଙ୍କ ବାଉଁସରକୁ ହୁକ୍‌ ଖେଳିଥିଲେ। ସ୍କୋୟାର ଲେଗ୍‌ ଅଞ୍ଚଳରେ ମୟଙ୍କ ଏହାକୁ କାବୁ କରିପାରିନଥିଲେ।

ପୂଜାରାଙ୍କୁ ଜାତିଆଣ ଆକ୍ଷେପ କରି ୱର୍ନ ସମାଲୋଚିତ
ଜାତିଆଣ ବିବାଦରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ବର ପୂଜାରାଙ୍କ ନାମକୁ ଯୋଡ଼ିଥିବାରୁ ଅଷ୍ଟ୍ରେଲିଆ କିଂବଦନ୍ତି ବୋଲର୍‌ ସେନ୍‌ ୱର୍ନଙ୍କୁ କ୍ରିକେଟ୍ ପ୍ରଶଂସକମାନେ ସମାଲୋଚନା କରିଛନ୍ତି। ଫକ୍ସ କ୍ରିକେଟ୍‌ର ଭାଷ୍ୟକାର ମଣ୍ଡଳିରେ ଥିବାବେଳେ ୱର୍ନ ଚଳିତ ଆଡିଲେଡ୍ ଟେଷ୍ଟ୍‌ର ପ୍ରଥମ ଦିନ ପୂଜାରାଙ୍କୁ ‘ଷ୍ଟିଭ୍‌’ ଡାକିବା ସହ ହସିଥିଲେ। ପୂର୍ବରୁ ୨୦୧୮ରେ ପୂଜାରା ୟର୍କସାୟାର୍‌ ପାଇଁ ଖେଳୁଥିବା ବେଳେ ‌ତାଙ୍କୁ ସାଥ‌ୀ ଖେଳାଳିମାନେ ଷ୍ଟିଭ୍ ଡାକୁଥିଲେ। ଏହାକୁ‌ ଜଣେ କ୍ରିକେଟର୍ ଅଜିମ୍ ରଫିକ କ୍ଲବ୍ ନାମରେ ଜାତିଭେଦ ଅଭିଯୋଗ ଆଣିଥିଲେ। ୟର୍କସାୟାର କ୍ଲବ୍‌ର ‌ଦୁଇ ପୂର୍ବତନ କର୍ମଚାରୀ ତାଜ ବଟ୍ଟ ଓ ଟୋନି ବାଓରି ମଧ୍ୟ ଜାତିଆଣ ଭେଦଭାବର ପ୍ରମାଣ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ୟର୍କସାୟାର ପାଇଁ ଖେଳୁଥିବା ସବୁ ବିଦେଶୀଙ୍କୁ କ୍ଲବ୍‌ ପକ୍ଷରୁ ‘ଷ୍ଟିଭ୍‌’ ଉଚ୍ଚାରଣ କରାଯାଇଥାଏ। କାରଣ ସେମାନେ କାହାରି ନାମକୁ ଉଚ୍ଚାରଣ କରିବାରେ ଅକ୍ଷମତା ପ୍ରକାଶ କରିଥାନ୍ତି। ‌ସେନ୍‌ ୱାର୍ନ ଏହି ବିବାଦକୁ ଖୋଲିଥିବାରୁ ଦର୍ଶକମାନେ ତାଙ୍କୁ ଅଣପେସାଦାର ଓ ବର୍ଣ୍ଣବୈଷମ୍ୟବାଦୀ କହିଛନ୍ତି। ସେ ଜଣେ ଭଲ କ୍ରିକେଟର୍ କିନ୍ତୁ ରୁଗଣ, ଅଜ୍ଞାନିଙ୍କ ଭଳି ଆଚରଣ କରୁଛନ୍ତି। କ୍ରିକେଟ୍‌ ଲେଖକ ସିଦ୍ଧାର୍ଥ ବୈଦ୍ୟନାଥନ୍‌ ୱର୍ନଙ୍କୁ ଏଥି ପାଇଁ ‘ମୁକ ସ୍ବର’ ଡାକିଛନ୍ତି।

ସ’ଙ୍କୁ ସମାଲୋଚନା ଜାରି
ଲଗାତାର ଦ୍ବିତୀୟ ଦିନ ପାଇଁ ସାମାଜିକ ଗଣମାଧ୍ୟମରେ କ୍ରିକେଟ୍‌ପ୍ରେମୀଙ୍କ ରୋଷର ଶିକାର ହୋଇଛନ୍ତି ଭାରତୀୟ ଯୁବ ତାରକା ପୃଥ୍ବୀ ସ’। ସ’ ଗୁରୁବାର ଖାତା ଖୋଲି ପାରିନଥିଲେ। ଶନିବାର ଦ୍ବିତୀୟ ପାଳିରେ ମାତ୍ର ୪ ରନ୍ କରି ପୁଣି ଥରେ ବୋଲ୍ଡ ହୋଇଯାଇଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପାଳି ବେଳେ ମାର୍ନସ ଲବୁସାନଙ୍କ କ୍ୟାଚ୍‌ ଛାଡ଼ିଥିଲେ ପୃଥୀ ସ’। ଏଥି ପାଇଁ ଶୁକ୍ରବାର ଟ୍ବିଟର୍‌ ଆକାଉଣ୍ଟ୍ ମାଧ୍ୟରେ ପୃଥ୍ବୀଙ୍କ ଉପରେ ବର୍ଷିଛନ୍ତି କ୍ରିକେଟ୍ ସମାଲୋଚକ। ଗିଲ୍‌, ଧାୱନ, ରାହୁଲଙ୍କୁ ନ‌ ଖେଳାଇ ପୃଥ୍ବୀ କାହିଁକି‌ ଖେଳୁଛନ୍ତି ବୋଲି ଜଣେ ପ୍ରଶ୍ନ କରିଥିଲେ। କ୍ୟାଚ୍‌ ଡ୍ରପକୁ ଇଙ୍ଗିତ କରି ଅନ୍ୟ ଜଣେ ପ୍ରଶଂସକ ବ୍ୟଙ୍ଗାତ୍ମକ ଢଙ୍ଗରେ ଲେଖିଥିଲେ ‘କିଂବଦନ୍ତି ପୃଥ୍ବୀ ସ’ଙ୍କ ନିକଟରେ ବି ଜଣ୍ଟି ରୋଡ୍ସଙ୍କ ଭଳି ‌କ୍ଷେତ୍ରରକ୍ଷଣ କ୍ଷମତା ରହିଛି।’ ଷ୍ଟିଭେନ୍ ସ୍ମିଥ୍‌ ବିଫଳ ହୋଇଥିବାରୁ ଏହା ପୃ୍‌ଥ୍ବୀଙ୍କୁ ବି ଆଶ୍ବସ୍ତ କରିଥିବ ବୋଲି ଜଣେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର