ଦ୍ବିତୀୟ ଦିନରେ ଲେଉଟିଲା ଇଂଲଣ୍ଡ: ଭାରତ ୩୬୪, ଇଂଲଣ୍ଡ ୧୧୯/୩

45

ଲର୍ଡସ: ଐତିହାସିକ ଲର୍ଡସ ଟେଷ୍ଟ୍‌ରେ ଚାଲିଥିବା ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଇଂଲଣ୍ଡ ଚମତ୍କାର ପ୍ରତ୍ୟାବର୍ତନ କରିଛି। ଭାରତର ପ୍ରଥମ ପାଳିକୁ ୩୬୪ ରନ୍‌ରେ ରୋକିବା ସହ ନିଜ ପ୍ରଥମ ପାଳିରେ ମଧ୍ୟ ଲଢ଼ୁଆ ଜବାବ ଦେଇଛି। ଦ୍ବିତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଘରୋଇ ଦଳ ୩ ୱିକେଟ୍ ହରାଇ ୧୧୯ ରନ୍ କରିଛି। ଏବେ ବି ଘରୋଇ ଦଳ ହାତରେ ୭ ୱିକେଟ୍ ଥାଇ ୨୪୬ ରନ୍‌ ପଛରେ ରହିଛି। ଶୁକ୍ରବାର ଭାରତ ଏହାର ପ୍ରଥମ ଦିନର ସ୍କୋର୍‌ ୨୭୬/୩ରୁ‌ ଖେଳିଥିଲେ ମଧ୍ୟ ପ୍ରଥମ ଦୁଇ ଓଭରରେ ଦୁଇ ଓଭରନାଇଟ୍ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ୍ (୧୨୯) ଏବଂ ଅଜିଙ୍କ୍ୟ ରାହାଣେ (୧)ଙ୍କୁ ହରାଇଥିଲା। ରାହୁଲଙ୍କ ପାଇଁ ଦିନିକିଆ ଷ୍ଟାଇଲ୍ ପଡିଆ ସଜାଇ ଇଂଲଣ୍ଡ ତାଙ୍କୁ ଫସାଇ ଦେଇଥିଲା। ରବିନ୍‌ସନଙ୍କ ବଲ୍‌ରେ ସେ ‌ଡମ୍ ଶିବଲେଙ୍କୁ କ୍ୟାଚ୍‌ ‌ଦେଇ ଫେରିଥିଲେ।

ଶୁକ୍ରବାର ସକାଳର ଦ୍ବିତୀୟ ଓଭରରେ ଜେମ୍ସ ଆଣ୍ଡରସନଙ୍କ ବଲ୍‌କୁ ଛାଡ଼ି ନପାରି ଅଜିଙ୍କ୍ୟ ରାହାଣେ ପ୍ରଥମ ସ୍ଲିପ୍‌ରେ ଜୋ ରୁଟଙ୍କୁ କ୍ୟାଚ୍‌ ‌ଦେଇ ପୁଣି ବିଫଳ ହୋଇଥିଲେ। ଭାରତ ହଠାତ୍‌ ୨୮୨/୫ରେ ପହଞ୍ଚିଯାଇଥିଲା। ତ‌େବେ ଋଷଭ ପନ୍ତ୍ (୩୭, ୫୮ ବଲ୍, ୫ ଚୌକା) ଏବଂ ରବୀନ୍ଦ୍ର ଜାଦେଜା (୪୦, ୧୨୦ ବଲ୍‌, ୩ ଚୌକା)ଙ୍କ ମଧ୍ୟରେ ୪୯ ରନ୍‌ ଭାଗୀଦାରି ହେବାରୁ ଭାରତ ୩୫୦ ଆଖପାଖ ପହଞ୍ଚିଯାଇଥିଲା। ତଥାପି ମାର୍କ ଉଡ୍‌ ଉଭୟଙ୍କୁ ଆଉଟ୍ କରି ଭାରତକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ଈଶାନ୍ତ ଶର୍ମା ଏବଂ ଯଶପ୍ରୀତ୍ ବୁମରାଙ୍କୁ ଆଉଟ୍ କରି ଜେମ୍ସ ଆଣ୍ଡରସନ୍‌ ତାଙ୍କ ୩୧ତମ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଭାରତର ପ୍ରଥମ ପାଳି ୧୨୭ତମ ଓଭର ଓ ୩୬୪ ରନ୍‌ରେ ସୀମିତ ରହିଯାଇଥିଲା। ଆଣ୍ଡରସନଙ୍କ ବ୍ୟତୀତ ଓଲି ରବିନସନ ଓ ମାର୍କ ଉଡ୍‌ ୨-୨ ୱିକେଟ୍‌ ଏବଂ ମୋଇନ୍ ଅଲୀ ଗୋଟିଏ ୱିକେଟ୍‌ ନେଇଥିଲେ।

ଜବାବରେ ଇଂଲଣ୍ଡ ଏହାର ପାଳିକୁ ସକର୍ତକତାର ସହ ଆରମ୍ଭ କରିଥିଲା। ଚା’ପାନ ବିରତି ପରେ କିନ୍ତୁ ମହମ୍ମଦ ସିରାଜ୍ ଲଗାତାର ବଲ୍‌ରେ ୱିକେଟ୍ ନେଇ ଇଂଲଣ୍ଡକୁ ଯୁଗଳ ଝଟକା ପହଞ୍ଚାଇଥିଲେ। ଡୋମିନିକ୍ ଶିବଲେ (୧୧)ଙ୍କୁ ସର୍ଟ ମିଡ୍ ୱିକେଟରେ କେଏଲ୍ ରାହୁଲ କ୍ୟାଚ୍‌ କରିଥିଲେ। ଟ୍ରେଣ୍ଟ୍ ବ୍ରିଜ୍‌ ଟେ‌ଷ୍ଟ୍ ଭଳି ଶିବଲେ ନିଜ ତ୍ରୁଟି ଦୋହରାଇଥିଲେ। ଏହା ପରେ ଆସିଥିବା ହସିବ୍ ହମିଦ (୦)ଙ୍କୁ ମହମ୍ମଦ ସିରାଜ କିନ୍ତୁ ଏକ ୟର୍କର ଲେନ୍‌ଥ ବଲ୍‌ରେ ବୋଲ୍ଡ କରି ଦେଇଥିଲେ। ଇଂଲଣ୍ଡ ୨୩ ରନ୍‌ରେ ୨ ୱିକେଟ୍ ହରାଇ ସଂଘର୍ଷ କରୁଥିବା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋରି ବର୍ଣ୍ଣସ (୪୯) ଏବଂ ଅଧିନାୟକ ଜୋ ରୁଟ୍‌ (୪୮*) ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ତୃତୀୟ ୱିକେଟ୍ ଭାଗୀଦାରିରେ ଏମାନେ ୮୪ ରନ୍‌ ଯୋଡ଼ି ନେଇଥିଲେ। ଇତିମଧ୍ୟରେ ସିରାଜଙ୍କ ପାଇଁ କୋହଲି ୨ଟି ରିଭ୍ୟୁ ହରାଇ ବସିଥିଲେ। ଦିନର ଚତୁର୍ଥ ଶେଷ ଓଭରରେ କିନ୍ତୁ ବର୍ଣ୍ଣସଙ୍କୁ ମାତ୍ର ଏକ ରନ୍‌ ଲାଗି ଅର୍ଦ୍ଧଶତକରୁ ବଞ୍ଚିତ ରଖିଥିଲେ ମହମ୍ମଦ ସାମି। ବର୍ଣ୍ଣସ ଅମ୍ପାୟାରଙ୍କ ଏଲବିଡବ୍‌ଲ୍ୟୁ ନିଷ୍ପତ୍ତିର ରିଭ୍ୟୁ କରିଥିଲେ ମଧ୍ୟ ବର୍ତିପାରିନଥିଲେ।

ଲର୍ଡସ ଶତକ: ରାହୁଲ ଦଶମ ଭାରତୀୟ

ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତୀୟ ଓପନର୍‌ କେଏଲ୍‌ ରାହୁଲ ଶତକ ଅର୍ଜନ କରିଛନ୍ତି। ‌ଏଥିସହ ସେ ଲର୍ଡସରେ ଟେଷ୍ଟ୍‌ ମ୍ୟାଚ୍‌ରେ ଶତକ ଅର୍ଜନ କରିବାରେ ଦଶମ ଭାରତୀୟ ହୋଇଛନ୍ତି। ଏହା ଲର୍ଡସରେ ଭାରତ ପକ୍ଷରୁ ଦ୍ବାଦଶତମ ଟେଷ୍ଟ୍‌ ଶତକ। କେବଳ ଦିଲୀପ ଭେଙ୍ଗସରକାର ୩ଟି ଶତକ (୧୯୭୯, ୧୯୮୨, ୧୯୮୬) ସହ ତାଲିକାରେ ଆଗରେ ରହିଛନ୍ତି। ରାହୁଲଙ୍କୁ ମିଶାଇ ୯ ଜଣ ଗୋଟିଏ ଲେଖାଏଁ ଶତକ ମାରିଛନ୍ତି। ହେଲେ କିଂବଦନ୍ତି ସଚିନ ତେନ୍ଦୁଲକର ଲର୍ଡସରେ ଶତକ ଅର୍ଜନ କରିପାରିନାହାନ୍ତି।

ସମ୍ବନ୍ଧିତ ଖବର