କାନ୍ଧରେ ଦିବ୍ୟାଙ୍ଗ ସ୍ବାମୀ, ପୁଅ ଓ ଝିଅର ବୋଝ; ଦାଉ ସାଧୁଛି ମଧୁମେହ

ଚନ୍ଦ୍ରଶେଖରପୁର: ସ୍ବାମୀ ଜନ୍ମରୁ ଦୃଷ୍ଟଶକ୍ତି ହରାଇଛନ୍ତି ଓ ଏବେ ପାରାଲିସିସ୍‌ରେ ପୀଡ଼ିତ ହୋଇ ଶଯ୍ୟାରେ। ଦିବ୍ୟାଙ୍ଗ ପୁଅ ଦୃଷ୍ଟିଶକ୍ତିହୀନ ଓ ମାନସିକ ବିକାରଗ୍ରସ୍ତ। ଝିଅ ମଧ୍ୟ ଜନ୍ମରୁ ଦୃଷ୍ଟିଶକ୍ତିରହିତ। ଏଭଳି ଏକ ପରିବାରର ବୋଝ ବୋହୁଥିବା ମହିଳାଙ୍କ ଉପରେ ମାଡ଼ି ପଡ଼ିଥିବା ଦୁଃଖର ତାଲିକା ଏତିକିରେ ସରିନାହିଁ। ଏବେ ମହିଳାଙ୍କୁ ଗ୍ରାସିଛି ମଧୁ‌ମେହ ରୋଗ। ଅର୍ଥାଭାବରୁ ଚିକିତ୍ସାରେ ଅବହେଳା କରିବାରୁ ରୋଗ ବଢ଼ିଯାଇଛି ଓ ସେ କାମ କରିବାକୁ ଅକ୍ଷମ ହୋଇପଡ଼ିଛନ୍ତି। ଫଳରେ ରୋଜଗାର ହରାଇଥିବା ଏହି ପରିବାର ଏବେ ଭୋକ ଉପାସ ଯନ୍ତ୍ରଣାରେ ଛଟପଟ ହେଉଛି। ଏହା ହେଉଛି ନନ୍ଦନକାନନ ବସ୍ତିରେ ରହୁଥିବା କମଳା ବେହେରାଙ୍କ ପରିବାରର କାହାଣୀ।

ଚନ୍ଦ୍ରଶେଖରପୁର ଥାନା ରଘୁନାଥପୁର ପଞ୍ଚାୟତ ନନ୍ଦନକାନନ ବସ୍ତିରେ ଦୀର୍ଘ ବର୍ଷ ଧରି ରହୁଛନ୍ତି କମଳାଙ୍କ ପରିବାର। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ସ୍ବାମୀ ମହେଶ୍ବର ୪ବର୍ଷ ହେଲା ପାରାଲିସିସ୍ ରୋଗରେ ପୀଡ଼ିତ ଓ ରୋଗଶଯ୍ୟାରେ ପଡ଼ି ରହୁଛନ୍ତି। ପୁଅ ବିଦେଶୀ ଓ ଝିଅ ଗୁରୁବାରି ମଧ୍ୟ ଜନ୍ମରୁ ଦୃଷ୍ଟିଶକ୍ତିବାଧିତ। ସେଥିରେ ପୁଣି ପୁଅ ମାନସିକବିକାରଗ୍ରସ୍ତ। ତେଣୁ କମଳା ହିଁ ଏକମାତ୍ର ରୋଜଗାରକ୍ଷମ ଥିଲେ। ରାସନ୍ କାର୍ଡ ଯୋଗୁଁ ଚାଉଳ ଓ ସାମାଜିକ ସୁରକ୍ଷା ଭତ୍ତା ଟଙ୍କାରେ ଚାରିପ୍ରାଣୀ କୁଟୁମ୍ବ ମାସର କିଛି ଦିନ ଚଳିଯାଆନ୍ତି। ‌ତେଣୁ କମଳା ରୋଜଗାର ପାଇଁ ଘରୁ ଗୋଡ଼ କାଢ଼ିଛନ୍ତି ବହୁ ବର୍ଷ ହେଲା। କିମ୍‌ସ ହସ୍ପିଟାଲରେ ଝାଡୁମରା କାମ କରି ମାସିକ ୩ହଜାର ଟଙ୍କା ପାଉଥିଲେ। କିନ୍ତୁ ମଧୁମେହ ରୋଗରେ ପୀଡ଼ିତ ହେବା ପରଠାରୁ ଅର୍ଥାତ୍ ୨ ବର୍ଷ ହେଲା ଠିକାଦାର ତାଙ୍କୁ କାମରୁ ବାହାର କରିଦେଲା। ତେଣୁ ଏବେ ସେ ଘରେ ବସିଛନ୍ତି। ଫଳରେ ବଡ଼ କଷ୍ଟରେ ଚଳୁଛି କମଳାଙ୍କ ପରିବାର। ଏଣେ ପଇସା ଅଭାବରୁ ନିଜ ପାଇଁ ଔଷଧ କିଣି ପାରୁନାହାନ୍ତି କମଳା। ଫଳରେ ରୋଗ ଯନ୍ତ୍ରଣା ବି ବଳି ପଡ଼ୁଛି। ପଡ଼ୋଶୀ ନନ୍ଦିନୀ ସାହୁଙ୍କ ଭଳି କିଛି ଲୋକଙ୍କ ସାହାଯ୍ୟରେ କମଳାଙ୍କ ପରିବାର ଚଳିଯାଉଛି। କିନ୍ତୁ ତାହା ଯଥେଷ୍ଟ ନୁହେଁ ବୋଲି ନିଜେ ନନ୍ଦିନୀ କହିଛନ୍ତି। ତେଣୁ ଏଭଳି ସ୍ଥିତିରେ କମଳାଙ୍କ ଚିକିତ୍ସା ଖର୍ଚ୍ଚ ସହିତ ତାଙ୍କୁ କେହି କିଛି କାମ ଯୋଗାଇ ଦେଲେ ପରିବାରଟି ଉପକୃତ ହୁଅନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର