ସେହି ବର୍ଷ ଏହି ତାରିଖ, ଲର୍ଡସରେ ଅଗରକର ହାସଲ କରିଥିଲେ ଶତକ

ମୁମ୍ବାଇ: କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲର୍ଡସ ପଡ଼ିଆରେ ଶତକ ଅର୍ଜନ କରିବା ସବୁ କ୍ରିକେଟରଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏଠାରେ ଯିଏ ଶତକ ହସାଲ କରନ୍ତି, କ୍ରିକେଟର୍‌ ଭାବେ ତାଙ୍କ ଜୀବନ ସାର୍ଥକ ହୋଇଗଲା ବୋଲି ଭାବନ୍ତି। ଲର୍ଡସ ଶତକର ମହତ୍ବ ଏମିତି ଯେ ହାତଗଣତି ଖେଳାଳି ହିଁ ଏଠାରେ ତିନି ଅଙ୍କ ଛୁଇଁଛନ୍ତି। ଏପରିକି ବିଶ୍ବ କ୍ରିକେଟ୍‌ର ଦୁଇ ମହାରଥୀ ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଂଙ୍କ ଭଳି ଖେଳାଳି ଲର୍ଡସ ପଡ଼ିଆରେ ଶତକ ଅର୍ଜନ କରିବାର ସୌଭାଗ୍ୟ ପାଇ ନାହାନ୍ତି। ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର କିନ୍ତୁ ଏହି ଐତିହାସିକ କୀର୍ତ୍ତିମାନ କରିଛନ୍ତି। ଲର୍ଡସ ଫଳକରେ ସ୍ଥାନ ପାଇଥିବା କିଂବଦନ୍ତି ଶତକ ହାସଲକାରୀଙ୍କ ତାଲିକାରେ ନିଜକୁ ସାମିଲ କରିପାରିଛନ୍ତି। ୨୦୦୨ ମସିହା ଜୁଲାଇ ୨୯ ତାରିଖ ଅର୍ଥାତ୍ ଆଜିର ଦିନରେ ହିଁ ଅଗରକର ନିଜ ଖେଳ ଜୀବନର ସବୁଠାରୁ ସ୍ମରଣୀୟ ପାଳି ଖେଳିଥିଲେ। ଭାରତୀୟ ଦଳ ସେହି ଗସ୍ତରେ ଚାରିଟି ଟେଷ୍ଟ୍ ଖେଳିଥିଲା।

ପ୍ରଥମ ଟେଷ୍ଟ୍‌ରେ ହିଁ ଅଗରକର ୧୯୦ ବଲ୍‌ରୁ ୧୦୯ ରନ୍‌ର ପାଳି ଖେଳି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଜଣେ ବୋଲର ଭାବେ ଦଳରେ ସାମିଲ ଥିଲେ ମଧ୍ୟ ଦକ୍ଷ ବ୍ୟାଟରଙ୍କ ଭଳି ସେ ନିଜ ଜୀବନର ପ୍ରଥମ ଓ ଏକମାତ୍ର ଶତକ ଲର୍ଡସରେ ହାସଲ କରି ନେଇଥିଲେ। ଇଂଲଣ୍ଡ ସେହି ମ୍ୟାଚ୍‌ରେ ଭାରତ ସମ୍ମୁଖରେ ୫୬୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଅଗରକର ‌‌‌ଶେଷ ଦିନରେ ୧୯ ଚୌକା ଓ ୬୭.୩୬ ଷ୍ଟ୍ରାଇକ୍ ରେଟ୍‌ରେ ଶତକ ଛୁଇଁଥିଲେ। ଯଦିଓ ଅନ୍ୟ କୌଣସି ଭାରତୀୟ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଶତକର ନିକଟତର ବି ହୋଇ ପାରି ନଥିଲେ। ତାଙ୍କର ଏହି ସାହସିକ ବ୍ୟାଟିଂ ଅବଶ୍ୟ ଭାରତ ପରାଜୟକୁ ରୋକି ପାରି ନଥିଲା। ଭାରତ ସେହି ମ୍ୟାଚ୍‌କୁ ୧୭୦ ରନ୍‌ରେ ହାରିଥିଲା। ଅଗରକର କିନ୍ତୁ ନିଜ ନାମକୁ ରେକର୍ଡ ବୁକ୍‌ରେ ଲିପିବଦ୍ଧ କରାଇ‌ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ତା’ର ପ୍ରଥମ ପାଳିରେ ୪୮୭ ରନ୍ କରିଥିଲା। ବୀରେନ୍ଦ୍ର ସେହବାଗଙ୍କ ୮୪ ରନ୍ ସତ୍ତ୍ବେ ଭାରତ ମାତ୍ର ୨୨୧ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ଇଂଲଣ୍ଡକୁ ୨୬୬ ରନ୍‌ର ଅଗ୍ରଣୀ ମିଳିଥିଲା। ଇଂଲଣ୍ଡ ତା’ର ଦ୍ବିତୀୟ ପାଳି ୩୦୧/୬ରେ ଘୋଷଣା କରିଥିଲା। ଫଳରେ ଭାରତ ସମ୍ମୁଖରେ ୫୬୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାର ଜବାବରେ ଭାରତ ଅଗରକରଙ୍କ ଶତକ, ରାହୁଲ ଦ୍ରାବିଡ଼ଙ୍କ ୬୩ ଓ ଭିଭିଏସ୍ ଲକ୍ଷ୍ମଣଙ୍କ ୭୪ ରନ୍ ସତ୍ତ୍ବେ ୩୯୭ ରନ୍ କରି ପରାଜିତ ହୋଇଥିଲା। ଅଷ୍ଟମ ସ୍ଥାନରେ ବ୍ୟାଟିଂ ଆସି ଶତକ ଅର୍ଜନ କରିବା ଅଗରକରଙ୍କ ପାଳିର ଆଉ ଏକ ବିଶେଷତ୍ବ ଥିଲା। ଭାରତ ପାଇଁ ଅଗରକର ୨୬ ଟେଷ୍ଟ୍ ଖେଳିଥିଲେ ତେବେ ଆଉ ଶତକ କିମ୍ବା ଅର୍ଧଶତକ କରି ପାରି ନଥିଲେ। ୧୯୧ ଦିନିକିଆ ଖେଳି ୩ ଅର୍ଧଶତକ ଅର୍ଜନ କରିଥିଲେ ମଧ୍ୟ ସେ ଆଉ ଶତକ ଅର୍ଜନ କରି ପାରି ନଥିଲେ।

ସମ୍ବନ୍ଧିତ ଖବର