ସେହି ବର୍ଷ ଏହି ତାରିଖ, ଲର୍ଡସ ପଦାର୍ପଣକୁ ମନେ ପକାଇଲେ ଗାଙ୍ଗୁଲି

କୋଲକାତା: ଆଜକୁ ପ୍ରାୟ ୨୪ ବର୍ଷ ତଳେ ଅର୍ଥାତ୍ ୧୯୯୬ ମସିହା ଜୁନ୍ ୨୦ ତାରିଖରେ ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲର୍ଡସ ପଡ଼ିଆରେ ଟେଷ୍ଟ୍ ପଦାର୍ପଣ କରିଥିଲେ। ପ୍ରଥମ ମୁକାବିଲାରେ ହିଁ ଶତକ ଅର୍ଜନ କରି ଗାଙ୍ଗୁଲି ଏହାକୁ ଚିର ସ୍ମରଣୀୟ କରି ଦେଇଥିଲେ। ଶନିବାର ନିଜ ଜୀବନର ସେହି ଅଭୁଲା ଦିନକୁ ମନେ ପକାଇଛନ୍ତି ଗାଙ୍ଗୁଲି। ଟେଷ୍ଟ୍ ପଦାର୍ପଣର ୨୪ତମ ପୂର୍ତ୍ତୀ ଅବସରରେ ଟ୍ବିଟ୍ କରି ଏହାକୁ ନିଜ ଜୀବନର ‌ଶ୍ରେଷ୍ଠ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି ଗାଙ୍ଗୁଲି। ସଂପ୍ରତି ବିସିସିଆଇ ସଭାପତି ପଦରେ ଅବସ୍ଥାପିତ ଥିବା ଗାଙ୍ଗୁଲି ନିଜ ପ୍ରଥମ ଟେଷ୍ଟ୍‌ର ଫଟୋ ଗୁଚ୍ଛ ପ୍ରକାଶ କରି ‘‘ଆଜି ମୁଁ ଟେଷ୍ଟ୍ ପଦାର୍ପଣ କରିଥିଲି, ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ’’ ବୋଲି ଲେଖିଛନ୍ତି। ନିଜ ପଦାର୍ପଣ ଟେଷ୍ଟ୍ ଶତକ ଭିଡିଓକୁ ଉପଯୋଗ କରୁଥିବାର ଫଟୋ ମଧ୍ୟ ସେ ପ୍ରଶଂସକଙ୍କ ପାଇଁ ଛାଡ଼ିଛନ୍ତି। ଏହି ଅବସରରେ ଭାରତୀୟ କ୍ରିକେଟ୍ ପ୍ରତି ଗାଙ୍ଗୁଲି ଦେଇଥିବା ଅବଦାନକୁ ଅନେକ ପୂର୍ବତନ କ୍ରିକେଟର ସଲାମ କରିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି।

ବଡ଼ କଥା ହେଲା ଗାଙ୍ଗୁଲିଙ୍କ ସହ ଭାରତୀୟ କ୍ରିକେଟ୍‌ର ଅନ୍ୟତମ କିଂବଦନ୍ତି ତାରକା ରାହୁଲ ଦ୍ରାବିଡ଼ ମଧ୍ୟ ଇଂଲଣ୍ଡ ବିପକ୍ଷ ସେହି ଲର୍ଡସ ଲଢ଼େଇରେ ପଦାର୍ପଣ କରିଥିଲେ। ତେବେ ମାତ୍ର ୫ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇ ଲର୍ଡସର ଶତକ ହାସଲକାରୀ ଖେଳାଳି ତାଲିକାରେ ନିଜ ନାମ ଲିପିବଦ୍ଧ କରିବାରୁ ବଞ୍ଚିତ ହୋଇଥିଲେ। ସେହିବର୍ଷର ତିନି ଟିକିଆ ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ରେ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ବି ଟେଷ୍ଟ୍ ପଦାର୍ପଣ କରିଥିଲେ। ଲର୍ଡସରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍‌ରେ ଗାଙ୍ଗୁଲି ଓ ଦ୍ରାବିଡ଼ ନିଜ ନିଜ ଟେଷ୍ଟ୍ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡ ତା’ ପ୍ରଥମ ପାଳିରେ ୩୪୪ ରନ୍ କରିଥିଲା। ଏହାର ଜବାବରେ ଭାରତ ତୃତୀୟ ସ୍ଥାନରେ ଖେଳିଥିବା ଗାଙ୍ଗୁଲିଙ୍କ ୧୩୧ ରନ୍‌ର ପାଳି ବଳରେ ୪୨୯ ରନ୍ କରି ଆଗୁଆ ରହିଥିଲା। ଇଂଲଣ୍ଡ ତା’ ଦ୍ବିତୀୟ ପାଳି ୨୭୮/୯ରେ ଘୋଷଣା କରିଥିଲା। ତେବେ ସମୟ ସରି ଯାଇଥିବାରୁ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ରହିଥିଲା। ଭାରତକୁ ଦ୍ବିତୀୟ ପାଳି ଖେଳିବାର ସୁଯୋଗ ମିଳିନଥିଲା। ଏଜବାଷ୍ଟନ ଟେଷ୍ଟ୍‌କୁ ୮ ୱିକେଟ୍‌ରେ ଜିତି ୧-୦ରେ ଇଂଲଣ୍ଡ ଆଗୁଆ ରହିବା ପରେ ଶେଷ ଦୁଇ ଟେଷ୍ଟକୁ ଭାରତ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା। ଫଳରେ ଇଂଲଣ୍ଡ ୧-୦ରେ ଶୃଙ୍ଖଳା ଜିତିଥିଲା। ନଟିଂହାମରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟେଷ୍ଟ୍‌ର ପ୍ରଥମ ପାଳିରେ ଗାଙ୍ଗୁଲି ଆଉ ଏକ ଶତକ (୧୩୬ ରନ୍) ଜମାଇଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ୧୭୭ ରନ୍‌ର ପାଳି ଖେଳିଥିଲେ। ଦ୍ରାବିଡ଼ ମଧ୍ୟ ପ୍ରଥମ ପାଳିରେ ୮୪ ରନ୍ କରିଥିଲେ। ଗାଙ୍ଗୁଲି ୨୦୦୮ ମସିହାରେ ନାଗପୁରଠାରେ ନିଜ ଜୀବନର ଶେଷ ଟେଷ୍ଟ୍ ଖେଳିଥିଲେ। ଅନ୍ୟପକ୍ଷରେ ଦ୍ରାବିଡ଼ ୨୦୧୨ ମସିହାରେ ଆଡିଲେଡ୍‌ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଅନ୍ତିମ ଟେଷ୍ଟ୍ ମ୍ୟାଚ୍‌ରେ ଅବତ୍ତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧିତ ଖବର