କଲମ୍ବୋ : ଶ୍ରୀଲଙ୍କାର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ସଚିତ୍ର ସେନାନାୟକଙ୍କୁ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ସେପ୍ଟେମ୍ବର ୬ତାରିଖରେ ଗିରଫ କରାଯାଇଛି। ଶ୍ରୀଲଙ୍କା ପକ୍ଷରୁ ତିନୋଟି ଫର୍ମାଟରେ ଖେଳିଥିବା ସେନାନାୟକ ୨୦୨୦ରେ ଲଙ୍କା ପ୍ରିମିୟର ଲିଗ୍ (ଏଲ୍ପିଏଲ୍) ସମୟରେ ମ୍ୟାଚ୍ ଫିକ୍ସିଂ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ମ୍ୟାଚ୍ ଫିକ୍ସିଂ କରିବା ପାଇଁ ସେ ଦୁଇ ଜଣ ଖେଳାଳିଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି। ତିନି ସପ୍ତାହ ତଳେ ଶ୍ରୀଲଙ୍କାର ଏକ କୋର୍ଟ ସେନାନାୟକେଙ୍କୁ ବିଦେଶ ଯିବା ଉପରେ ମଧ୍ୟ କଟକଣା ଲଗାଇଥିଲେ।
କ୍ରୀଡ଼ା ମନ୍ତ୍ରଣାଳୟର ସ୍ବତନ୍ତ୍ର ତଦନ୍ତ ୟୁନିଟ୍ ନିକଟରେ ଆତ୍ମସମର୍ପଣ କରିବା ପରେ ସଚିତ୍ରା ସେନାନାୟକଙ୍କୁ ଗିରଫ କରାଯାଇଥିଲା। ମ୍ୟାଚ୍କୁ ଫିକ୍ସିଂ କରିବା ପାଇଁ ସେନାନାୟକ ଦୁଇ ଜଣ ଖେଳାଳିଙ୍କ ସହ ଟେଲିଫୋନ୍ ଯୋଗେ ଯୋଗାଯୋଗ କରିଥିବା ଅଭିଯୋଗ ହୋଇଛି। କଲମ୍ବୋ ମୁଖ୍ୟ ମାଜିଷ୍ଟ୍ରେଟ୍ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବା ପରେ ଗତ ମାସରେ ସେନାନାୟକଙ୍କୁ ଦେଶ ଛାଡ଼ିବାକୁ ବାରଣ କରାଯାଇଥିଲା।
ମ୍ୟାଚ୍ ଫିକ୍ସିଂକୁ ନେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ୍ ବୋଲି ସଚିତ୍ର ସେନାନାୟକ କହିଛନ୍ତି। ସେନାନାୟକ ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଏହାପରେ ସେ ଶ୍ରୀଲଙ୍କା ପକ୍ଷରୁ ୪୯ ଦିନିକିଆରେ ୩୫.୩୫ ହାରରେ ୫୩ ୱିକେଟ୍ ନେଇଥିଲେ। ସେହିପରି ସେନାନାୟକେ ୨୪ଟି ଟି-୨୦ ମ୍ୟାଚ୍ ଖେଳି ୨୫ଟି ୱିକେଟ୍ ନେଇଥିବା ବେଳେ ଶ୍ରୀଲଙ୍କା ପକ୍ଷରୁ ୧ଟି ଟେଷ୍ଟମ୍ୟାଚ୍ ଖେଳିବାର ସୁଯୋଗ ମଧ୍ୟ ପାଇଥିଲେ।