ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କଥା ପଡ଼ିଲେ ବିଶ୍ବସ୍ତରୀୟ ରକ୍ଷଣାତ୍ମକ ବ୍ୟାଟିଂ ଓ ବରଫ ଭଳି ଥଣ୍ଡା ମିଜାଜ କଥା ଆପଣାଛାଏଁ ମନକୁ ଆସି ଯାଇଥାଏ। ଦ୍ରାବିଡ଼ଙ୍କ ୱିକେଟରକ୍ଷଣ ଦକ୍ଷତା ବି କିଛି କମ୍ ନଥିଲା। ୨୦୦୩ ବିଶ୍ବକପ୍ ସହ ୭୫ରୁ ଅଧିକ ଦିନିକିଆରେ ସେ ୱିକେଟରକ୍ଷଣ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ହେଲେ ଦ୍ରାବିଡ଼ଙ୍କ ଆଉ ଏକ ଗୁଣ ଅନ୍ୟ କାହାକୁ ନହେଲେ ମଧ୍ୟ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳକୁ ବିସ୍ମିତ କରିଥିଲା। ଏହି ଦଳ ଘାଇଲା ବି ହୋଇଥିଲା। ନିଜ ଜାଜ୍ଜ୍ବଲ୍ୟମାନ ଖେଳ ଜୀବନରେ ‘ଦି ୱାଲ’ ଭାବେ ପରିଚିତ ଦ୍ରାବିଡ଼ ୫୦୯ ମ୍ୟାଚ୍ରେ ମାତ୍ର ୫୧ ଓଭର ବୋଲିଂ କରିଥିଲେ। ସେଥିମଧ୍ୟରେ ସେ ଚାରିଟି ୱିକେଟ୍ କରାୟତ୍ତ କରିଥିଲେ। ଏସବୁ ୱିକେଟ୍ ସେ ୨୦୦୧ ମସିହା ପୂର୍ବରୁ ନେଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକଦା ଦ୍ରାବିଡ଼ଙ୍କ ଯାଦୁଗରୀ ବୋଲିଂ ବଳରେ ଭାରତୀୟ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ ୨୦୦୦ ମସିହାରେ କୋଚିଠାରେ ଖେଳାଯାଇଥିଲା।
ହାଇସ୍କୋରିଂ ବିଶିଷ୍ଟ ଏହି ମ୍ୟାଚ୍ରେ ଘରୋଇ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଗ୍ୟାରି କର୍ଷ୍ଟେନ ଓ ହରଶ୍ଚେଲ ଗିବ୍ସ ୨୩୫ ରନ୍ର ପ୍ରଥମ ୱିକେଟ୍ ଭାଗୀଦାରି କରି ଭାରତକୁ ଚିନ୍ତାରେ ପକାଇଥିଲେ। ସୁନିଲ ଯୋଶୀ ଯୋଡ଼ି ଭାଙ୍ଗିଲା ବେଳକୁ ଗିବ୍ସ ୧୧୧ ରନ୍ର ପାଳି ଖେଳି ସାରିଥିଲେ। ଏତିକି ବେଳେ ଭାରତ ମ୍ୟାଚ୍କୁ ଫେରିବା ଲାଗି ଏକାଥରକେ ଦୁଇ, ତିନିଟି ୱିକେଟ୍ ୱିକେଟ୍ର ଆବଶ୍ୟକତାଥିଲା। ଅଧିନାୟକ ସୌରଭ ଗାଙ୍ଗୁଲି ଏକ ବଡ଼ ଧରଣର ଜୁଆ ଖେଳି ୪୩ତମ ଓଭରରେ ଦ୍ରାବିଡ଼ଙ୍କୁ ବୋଲିଂ କରିବାକୁ କହିଥିଲେ। ଦ୍ରାବିଡ଼ ବି ତାଙ୍କ ଆସ୍ଥାର ପୂରା ସମ୍ମାନ ରଖିଥିଲେ। କର୍ଷ୍ଟେନଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ୍ ନେବା ସହ ଲାନ୍ସ କ୍ଲୁଜନରଙ୍କୁ ବି ସେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଏହି ଦୁଇ ୱିକେଟ୍ ପରେ ଦକ୍ଷିଣ ଆଫ୍ରିକାକୁ ଭାରତ ୩୦୧ ରନ୍ରେ ଅଟକାଇ ଦେଇଥିଲା। ପରେ ସଫଳତାର ସହ ୪୯.୪ ଓଭରରେ ୩୦୨ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଥିଲା।