ମଙ୍ଗାନୁଇ: ମନୀଷ ପାଣ୍ଡେଙ୍କ ନେତୃତ୍ବାଧିନ ଭାରତୀୟ-ଏ ଦଳ ଘରୋଇ ନ୍ୟୁଜିଲାଣ୍ଡ୍-ଏ ଦଳ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ଆଗୁଆ ଜିତିନେଇଛି। ପ୍ରଥମ ମ୍ୟାଚ୍କୁ ୪ ୱିକେଟ୍ରେ ଜିତିଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚ୍କୁ ୫ ୱିକେଟ୍ରେ ଜିତି ନେଇଛି। ଫଳରେ ୨-୦ ଆଗୁଆ ସହ ଭାରତ ଶେଷ ମ୍ୟାଚ୍ ପୂର୍ବରୁ ଶୃଙ୍ଖଳା କବ୍ଜା କରିନେଇଛି। ଆଉ ସଂଯୋଗବଶତଃ ଉଭୟ ମ୍ୟାଚ୍କୁ ଭାରତ ୬ ବଲ୍ ପୂର୍ବରୁ ହିଁ ଜିତି ନେଇଥିଲା।
ରବିବାର ଦ୍ବିତୀୟ ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ତେବେ ୱିଲ୍ ୟଙ୍ଗ୍ (୧୦୨)ଙ୍କ ଚିତାକର୍ଷକ ଶତକ ଏବଂ ଜର୍ଜ ୱକର୍ରଙ୍କ ୯୯ ରନ୍ ବଳରେ ନ୍ୟୁଜିଲାଣ୍ଡ୍ ୯ ୱିକେଟ୍ ବିନିମୟରେ ୨୯୯ ରନ୍ କରିଥିଲା। ଦ୍ବିତୀୟ ୱିକେଟ୍ରେ ୱର୍କର ଓ ୟଙ୍ଗ୍ଙ୍କ ୧୯୦ ରନ୍ର ଭାଗୀଦାରି ଉଲ୍ଲେଖନୀୟ ଥିଲା। ଡାରିଲ୍ ମିଚେଲ୍ ୪୫ ରନ୍ର ଅବଦାନ ରଖିଥିଲେ। ଭାରତର ସଫଳ ବୋଲର ଭାବେ ଖଲିଲ ଅହମ୍ମଦ ଓ ନଭ୍ଦୀପ୍ ସାଇନି ୨ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ଅଧିନାୟକ ମନୀଷ ପାଣ୍ଡେ (୧୧୧*)ଙ୍କ ଅପରାଜିତ ଦ୍ରୁତ ଶତକ ସାଙ୍ଗକୁ ଶ୍ରେୟସ ଆୟର (୫୯) ଓ ବିଜୟ ଶଙ୍କର (୫୯)ଙ୍କ ଅର୍ଧଶତକ ବଳରେ ଭାରତ ଶେଷ ଓଭର ପୂର୍ବରୁ ୫ ୱିକେଟ୍ ବିନିମୟରେ ବିଜୟ ପାଇଁ ଆବଶ୍ୟକ ୩୦୦ ରନ୍ କରିନେଇଥିଲା। ପାଣ୍ଡେ ତୃତୀୟ ୱିକେଟ୍ରେ ଆୟରଙ୍କ ସହ ୯୦ ଏବଂ ଚତୁର୍ଥ ୱିକେଟ୍ରେ ବିଜୟଙ୍କ ସହ ୧୨୩ ରନ୍ ଯୋଡ଼ିବା ଭାରତ ବିଜୟ ପାଇଁ ଯଥେଷ୍ଟ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଯୋଡ଼ି ଶୁଭମନ୍ ଗିଲ୍ ଓ ମୟଙ୍କ ଅଗ୍ରୱାଲ୍ ୨୫ ରନ୍ ଲେଖାଏଁ କରିଥିଲେ। ବିଜୟୀ ପାଳି ପାଇଁ ମନୀଷ ପାଣ୍ଡେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/PD4832114_Action-Images_Cricket-West-Indies-V-New-Zealand-World-1-2.jpg)