ଦିନିକିଆ ମାନ୍ୟତା: କୋହଲି, ବୁମ୍‌ରା ଶୀର୍ଷରେ ସ୍ଥିର

ଦୁବାଇ: ଭା‌ରତୀୟ ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଆଇସିସି ଦିନିକିଆ ଆନ୍ତର୍ଜାତିକ ମାନ୍ୟତାରେ ନିଜ ନିଜ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ମଙ୍ଗଳବାର ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାର ବ୍ୟାଟିଂରେ କୋହଲି ଓ ବୋଲିଂରେ ବୁମ୍‌ରା ଶୀର୍ଷରେ ସ୍ଥିର ରହିଛନ୍ତି। ସର୍ବାଧିକ ୮୯୯ ପଏଣ୍ଟ୍‌ ସହ କୋହଲି ଶୀର୍ଷରେ ଅପରିବର୍ତିତ ରହିଥିଲା ବେଳେ ଉପଅଧିନାୟକ ରୋହିତ ଶର୍ମା ମଧ୍ୟ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। ତେବେ ରୋହିତଙ୍କ ପ୍ରାରମ୍ଭିକ ବ୍ୟାଟିଂ ସାଥୀ ଶିଖର ଧାୱନ୍‌ ତୃତୀୟ ଭାରତୀୟ ଭାବେ ବ୍ୟାଟ୍‌ସମ୍ୟାନ୍‌ଙ୍କ ମା‌ନ୍ୟତା ତାଲିକାର ଶୀର୍ଷ-୧୦ରେ ରହିଛନ୍ତି। ଧାୱନ୍‌ ଗୋଟିଏ ସ୍ଥାନ ଲମ୍ଫ ଦେଇ ଅଷ୍ଟମରେ ପହଞ୍ଚିଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦ତମ ସ୍ଥାନରେ ଅଛନ୍ତି।
ବୋଲରଙ୍କ ମାନ୍ୟତା ତାଲିକାରେ ବୁମ୍‌ରା (୮୪୧ ପଏର୍ଟ୍‌) ଶୀର୍ଷରେ ସ୍ଥିର ରହିଥିଲା ବେଳେ ଅନ୍ୟ ଦୁଇ ବୋଲର ଶୀର୍ଷ-୧୦ରେ ସ୍ଥାନ ବଜାୟ ରଖିଛନ୍ତି। ଚାଇନାମ୍ୟାନ୍‌ ସ୍ପିନର କୁଲ୍‌ଦୀପ୍‌ ଯାଦବ ତୃତୀୟ ସ୍ଥାନରେ ଅବିଚଳିତ ରହିଥିଲା ବେଳେ ତାଙ୍କ ସ୍ପିନ୍‌ ସାଥୀ ୟୁଜ୍‌ବେନ୍ଦ୍ର ଚହଲ୍‌ ୩ ସ୍ଥାନ ଲମ୍ଫ ଦେଇ ପଞ୍ଚମରେ ପହଞ୍ଚି ଯାଇଛନ୍ତି। ଦଳଗତ ବର୍ଗରେ ଭାରତ (୧୨୧ ପଏଣ୍ଟ୍‌) ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ଇଂଲଣ୍ଡ (୧୨୬ ପଏଣ୍ଟ୍‌) ଶୀର୍ଷରେ ସ୍ଥିର ରହିଛି।

ସମ୍ବନ୍ଧିତ ଖବର