ଦିନିକିଆ ଶୃଙ୍ଖଳା ମୂଳପୋଛ କଲା ବାଂଲାଦେଶ: ତମିମ, ଲିଟନଙ୍କ ଶତକ

ସିଲେଟ୍‌: ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳାକୁ ବାଂଲାଦେଶ ମୂଳପୋଛ କରି ନେଇଛି। ପ୍ରଥମକୁ ୧୬୯ ରନ୍‌ ଓ ଦ୍ବିତୀୟକୁ ୪ ରନ୍‌ରେ ଜିତିଥିବା ବାଂଲାଦେଶ ଶୁକ୍ରବାର ଶେଷ ମ୍ୟାଚ୍‌କୁ ୧୨୩ ରନ୍‌ରେ ବିଜୟୀ ହୋଇଛି। ବର୍ଷା ଯୋଗୁଁ ମ୍ୟାଚ୍‌ ୪୩ ଓଭର ଖେଳାଯାଇଥିଲା। ପ୍ରଥମ ବ୍ୟାଟିଂ କରିଥିବା ବାଂଲାଦେଶ ତମିମ ଇକ୍‌ବାଲ୍‌ ଓ ଲିଟନ ଦାସଙ୍କ ଶତକ ସାଙ୍ଗକୁ ପ୍ରଥମ ୱିକେଟ୍‌ରେ ୨୯୨ ରନ୍‌ର ଭାଗୀଦାରି କୀର୍ତ୍ତିମାନ ବଳରେ ୩ ୱିକେଟ୍‌ ହରାଇ ୩୨୨ ରନ୍‌ କରିଥିଲା। ଲିଟନ ୧୭୬ (୧୪୩ ବଲ୍‌ ୧୬ ଚୌକା, ୮ ଛକା) ଏବଂ ତମିମ ଅପରାଜିତ ୧୨୮ (୧୦୯ ବଲ୍‌, ୭ ଚୌକା, ୬ ଛକା) ରନ୍‌ କରିଥିଲେ। କାର୍ଲ ମୁମ୍ବା ୩ ୱିକେଟ୍‌ ନେଇଥିଲେ। ଜବାବରେ ଜିମ୍ବାୱେ ୩୭.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୧୮ ରନ୍‌ କରିଥିଲା। ସିକନ୍ଦର ରାଜା ୬୧ ଓ ୱିସ୍‌ଲେ ମାଧେବୀରା ୪୨ ରନ୍‌ କରିଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦ ସାଇଫୁଦିନ ୪ ଓ ତାଇଜୁଲ ଇସ୍‌ଲାମ ୨ ୱିକେଟ୍‌ ନେଇଥିଲେ। ଲିଟନ ମ୍ୟାଚର ଶ୍ରେ‌ଷ୍ଠ ଏବଂ ମିଳିତ ଭାବେ ତମିମଙ୍କ ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର