ଦୁବାଇ: ନ୍ୟୁଜିଲାଣ୍ଡ କ୍ରିକେଟ୍‌ ପାଇଁ ରବିବାର ଯୁଗଳ ଖୁସି ଆସିଛି। ସକାଳେ ଭାରତରେ ଘରୋଇ ଦଳକୁ ହରାଇ ୩୬ ବର୍ଷ ପରେ ଟେଷ୍ଟ୍‌ ବିଜୟ ପାଇଥିଲା ଏହାର ପୁରୁ‌ଷ ଦଳ। ରାତିରେ ଦୁବାଇରେ ‌ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇ ନୂଆ ବିଜେତା ହୋଇଛି। ପ୍ରଥମ ଦୁଇ ସଂସ୍କରଣରେ ଉପବିଜେତା ନ୍ୟୁଜିଲାଣ୍ଡ ରବିବାର ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍‌ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଲଗାତାର ଦ୍ବିତୀୟ ଥର ଲାଗି ଫାଇନାଲ୍‌ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଟ୍ରଫି ଜିତିବାରେ ବିଫଳ ହୋଇଛି। 

Advertisment

ଆଜି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୫ ୱିକେଟ୍‌ ହରାଇ ୧୫୮ ରନ୍‌ କରିଥିଲା। ଦ୍ବିତୀୟ ଓଭରରେ ପ୍ରଥମ ୱିକେଟ୍‌ ହରାଇଥିଲେ ବି ‌ଦ୍ବିତୀୟ ୱିକେଟ୍‌ରେ ସୁଜି ବେଟ୍ସ ଓ ଆମେଲିଆ କେର ୩୭ ରନ୍‌ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ।‌ ବେଟ୍ସ ୩୨ ରନ୍‌ରେ ଆଉଟ୍‌ ହୋଇଥିଲେ। ବୁକି ହାଲିଡେ (୩୮, ୨୮ ବଲ୍‌, ୩ ଚୌକା)ଙ୍କ ସହ କେର୍  (୪୩ ରନ୍‌) ଚତୁର୍ଥ ୱିକେଟ୍‌ରେ ୫୭ ରନ୍‌ର ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍‌ ଦେଢ଼ ଶହ ନିକଟତର କରିଥିଲେ। ପୁଣି ଶେ‌ଷ ଓଭରରେ ୧୬ ରନ୍‌ ଆସିବାରୁ ଦଳ ‌ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଏହାକୁ ପିଛା କରି ଦକ୍ଷିଣ ଆଫ୍ରିକା ୯ ୱିକେଟ୍‌ ହରାଇ  ମାତ୍ର ୧୨୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଲୌରା ଓଲଭଲ୍ଟ ୩୩ ରନ୍‌ କରିଥିଲା ବେଳେ ଆମେଲିଆ କେର ଓ ରୋଜ୍‌ମେରି ମେର୍‌ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ କେର୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।