ଚିଲିକାରେ ଡଙ୍ଗା ବୁଡ଼ିଲା: ନାବାଳିକା ମୃତ, ୬ ପର୍ଯ୍ୟଟକ ନିଖୋଜ

ଉଦ୍ଧାର ୮ ପର୍ଯ୍ୟଟକଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ଖୋର୍ଦ୍ଧା: ଏସିଆ ମହାଦେଶର ବୃହତ୍ତମ ଲୁଣି ପାଣି ହ୍ରଦ ତଥା ମରାଳ ମାଳିନୀ ‘ଚିଲିକା ହ୍ରଦ’ରେ ଶନିବାର ସନ୍ଧାରେ ଏକ ପର୍ଯ୍ୟଟକ ଡଙ୍ଗା ବୁଡ଼ି ଯିବାରୁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଓଡ୍ରାଫ ଟିମ୍‌ ଓ ବାଲୁଗାଁ ଦମକଳ ବାହିନୀ ୮ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ୨ଜଣଙ୍କ ସ୍ଥିତି ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରୁ ପ୍ରାୟ ୧୬ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ଡଙ୍ଗା ଆଜି ଅପରାହ୍ନ ୩ଟାରେ ମାଁ କାଳୀଜାଇ ମନ୍ଦିର ଯାଇଥିଲା। ଏମାନେ ସମସ୍ତେ ମାଁ କାଳୀଜାଇଙ୍କ ଦର୍ଶନ ସାରି ସନ୍ଧ୍ୟା ୫ଟାରେ ବାଲୁଗାଁ ଫେରୁଥିବା ବେଳେ, ମନ୍ଦିର ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସମସ୍ତ ପର୍ଯ୍ୟଟକ ପାଣିରେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରୁ ଓଡ୍ରାଫ ଟିମ୍‌ ଓ ବାଲୁଗାଁ ଦମକଳ ବାହିନୀର କର୍ମଚାରୀମାନେ ୮ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ନିଖୋଜ ହୋଇ ଯାଇଥିଲେ। ପରେ ଜଣେ ନାବାଳିକା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ତିନିସରା ଗାଁର ନାବାଳିକା ହେଉଛନ୍ତି ମୃତ ନାବାଳିକା ଶ୍ରଦ୍ଧାଞ୍ଜଳି ଦାସ। ସେ ରବିନାରାୟଣ ଦାସଙ୍କ ଝିଅ। ରିପୋର୍ଟ ଲେଖାଯିବା ବେଳକୁ ଓଡ୍ରାଫ ଟିମ୍‌ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚିଛି।

ସମ୍ବନ୍ଧିତ ଖବର