ଆଉ ଜଣେ ହକି ଖେଳାଳିଙ୍କୁ କରୋନା, ମନଦୀପଙ୍କ ରିପୋର୍ଟ ପଜିଟିଭ୍

ବେଙ୍ଗାଲୁରୁ: ସ୍ଥାନୀୟ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କେନ୍ଦ୍ରଠାରେ କୋଭିଡ୍-୧୯ ପରର ପ୍ରଥମ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବା ପୂର୍ବରୁ ଭାରତୀୟ ହକି ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ମାତ୍ର ଦୁଇ ଦିନ ତଳେ ଅଧିନାୟକ ମନପ୍ରୀତ ସିଂହ ଓ ଅନ୍ୟ ଚାରି ଜଣ ଖେଳାଳିଙ୍କୁ କରୋନା ସଂକ୍ରମଣ ହୋଇଥିବା‌ ଜଣାପଡ଼ିଥିଲା। ସୋମବାର ଆଉ ଜଣେ ଯୁବ ତାରକା ମନଦୀପ ସିଂହଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ୨୫ ବର୍ଷୀୟ ମନଦୀପଙ୍କଠାରେ କିନ୍ତୁ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହେଉ ନଥିଲା। ତେବେ ପରୀକ୍ଷା ପରେ ସେ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇ ଯାଇଥିଲା। ଅଗ୍ରଭାଗ ଖେଳାଳି ମନଦୀପଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ କରୋନା ସଂକ୍ରମିତ ହୋଇଥିବା

ଭାରତୀୟ ହକି ଖେଳାଳିଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଅନ୍ୟ ପାଞ୍ଚ ଜଣ ଖେଳାଳିଙ୍କ ଭଳି ତାଙ୍କର ମଧ୍ୟ ଚିକିତ୍ସା ଆରମ୍ଭ ହୋଇ ଯାଇଛି। ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ରକ୍ଷଣଭାଗ ଖେଳାଳି ସୁରେନ୍ଦ୍ର କୁମାର, ଯଶକରଣ ସିଂହ, ଡ୍ରାଗ ଫ୍ଲିକର ବରୁଣ କୁମାର ଏବଂ ଗୋଲରକ୍ଷକ କ୍ରିଷନ୍ ବାହାଦୁର ପାଠକ। ସମସ୍ତ ଖେଳାଳି ଏବେ ସୁସ୍ଥ ଥିବା ଏବଂ ସେମାନଙ୍କୁ ଥଣ୍ଡା ଜ୍ବର ହେଉଥିବା ସାଇ ଡାକ୍ତରମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର