‘ଏକ ଭାରତ ଶ୍ରେଷ୍ଠ ଭାରତ’ ନୌଚାଳନା:ଫୁଲଗଚ୍ଛରେ ବିଜେତାଙ୍କୁ ସମ୍ବର୍ଧନା

ଭୁବନେଶ୍ୱର: ଚେନ୍ନାଇ ବନ୍ଦରରେ ଗତ ସପ୍ତାହରେ ଅନୁଷ୍ଠିତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଗତ ନୌଚାଳନା ବର୍ଗରେ ଓଡ଼ିଆ ପିଲାଙ୍କ ଚମକ ଦେଖିବାକୁ ମିଳିଛି। ୩ ଜଣ ଓଡ଼ିଆ ପିଲା ୨ ପଦକ ଜିତି ନୂଆ ଧାରା ଆରମ୍ଭ କରିଛନ୍ତି। ବାଳିକା ବର୍ଗରେ ମନସ୍ୱିନୀ ମହାରଣା ଏବଂ ମମିତା ଟୁଡୁଙ୍କୁ ଯୋଡ଼ି ଟ୍ରଫି ଜିତିଥିବାବେଳେ ମହାରାଷ୍ଟ୍ରର ସାଇ କୁମାର କାଣ୍ଡୁଲାଙ୍କୁ ସାଥୀ କରିଥିବା କଟକ ପୁଅ ଶେଖର ରାଓ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ମଙ୍ଗଳବାର ଭୁବନେଶ୍ୱର ପହଞ୍ଚିବା ପରେ ଏହି ୩ ଜଣଙ୍କ ସହିତ ୭ ଜଣିଆ ଓଡ଼ିଶା ଦଳକୁ ଓଡ଼ିଶା ୟାଚିଂ ସଂଘ ପକ୍ଷରୁ ଫୁଲଗଛ ଦିଆଯାଇ ନିଆରା ଢ଼ଙ୍ଗରେ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଶା ୟାଚିଂ ସଂଘ ସମ୍ପାଦକ ଅନ୍ତର୍ଜାତୀୟ ସ୍କୁବା ଡାଇଭର୍‌ ସବିର ବକ୍ସଙ୍କ ତତ୍ୱାବଧାନରେ ଚେନ୍ନାଇ ଗସ୍ତ କରିଥିବା ଏହି ଦଳରେ କେ ସାମେୟା, କେ ଧର୍ମା ରାଜୁ, କେ ସୁରେଶ ଏବଂ ରବି ମୁଣ୍ଡା ସାମିଲ ଥିଲେ। ବାସ୍ତବରେ ଭାରତୀୟ ନୌସେନା

ଏବଂ ଭାରତୀୟ ୟାଚିଂ ସଂଘ ମିଳିତ ଆନୁକୂଲ୍ୟରେ ଫେବ୍ରୁଆରି ୬ରୁ ଆରମ୍ଭ ହୋଇଥିବା ଏକ ସେଲିଂ ତାଲିମ ଶିବିରରେ ଓଡ଼ିଶାରୁ ୧୪ ଜଣ ଭାଗ ନେଇଥିଲେ। ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ପ୍ରତିଯୋଗିତା ଲାଗି ୭ ଜଣ ମନୋନୀତ ହୋଇଥିଲେ। ଅନ୍ୟ ୭ ଜଣ ଓଡ଼ିଶା ଫେରି ଆସିଥିଲେ। ୧୭ ତାରିଖରେ ଅନୁଷ୍ଠିତ ପ୍ରତିଯୋଗିତାରେ ଗଞ୍ଜାମର ମନସ୍ୱିନୀ, ଜଗତସିଂହପୁରର ମମିତା ଏବଂ କଟକ ଶେଖର ଶୀର୍ଷ ୩ ଭିତରେ ରହିବାର ଗୌରବ ଅର୍ଜନ କରିଥିବାରୁ ଭୁବନେଶ୍ୱରରେ ସମ୍ବର୍ଧିତ ହୋଇଥିଲେ। ସମ୍ବର୍ଧନା ସଭାରେ ସମ୍ପାଦକ ସବିର ବକ୍ସଙ୍କ ସହିତ ଯୁଗ୍ମ ସମ୍ପାଦକ ପ୍ରଦୀପ ମହାପାତ୍ର, ପୃଷ୍ଠପୋଷକ ସତ୍ୟବ୍ରତ ରଥୋ ଉପସ୍ଥିତ ଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଓଡ଼ିଶା ଦଳକୁ ପ୍ରାୟୋଜିତ କରିଥିବା କୌଶିକ ଦାସଙ୍କୁ ବକ୍ସ କୃତଜ୍ଞତା ଜଣାଇଥିଲେ।
ଶ୍ରେଷ୍ଠ ପୁରସ୍କାର ପାଇଥିବା ମନସ୍ୱିନୀ ଏବଂ ମମିତା ନିଜ ନିଜର ପୂର୍ବ ଅଭିଜ୍ଞତାର ଭରପୁର ଫାଇଦା ଉଠାଇ ଏହି ଗୌରବ ଆଣିଛନ୍ତି। ରାଜ୍ୟର ଆଗଧାଡ଼ିର ଓ୍ଵିଣ୍ଡସର୍ଫର ଭାବେ ଅର୍ନ୍ତଜାତୀୟ ପଦାର୍ପଣ କରି ସାରିଥିବା ମନସ୍ୱିନୀ ମହାରଣା କହିଥିଲେ ଏବେ ୟାଚିଂ ତଥ ସେଲିଂରେ ବି ମୁଁ ଉତ୍କର୍ଷତା ଅର୍ଜନ କରିବାକୁ ଆଗ୍ରହୀ। ଏହି ଖେଳକୁ ଏବେ ବହୁ ଖେଳାଳି ଆସୁଥିବା ଦେଖି ମୋତେ ଖୁସୀ ଲାଗୁଛି ବୋଲି ମନସ୍ୱିନୀ କହିଥିଲେ। ଅନ୍ୟପକ୍ଷରେ ଜଗତସିଂହପୁର ତିର୍ତୋଲ ଝିଅ ମମିତା ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ସନ୍ତରଣ ବର୍ଗରୁ ବାଦ୍‌ ପଡ଼ିବା ପରେ ଏବେ ଏହି ଖେଳରେ ପଦାର୍ପଣ କରିଛନ୍ତି। ମୁଁ ଏହି ଖେଳରେ ଭଲ କରିବାକୁ ସ୍ୱପ୍ନ ଦେଖିଛି ବୋଲି କହିଥିଲେ ମମିତା।
ମହାନଦୀରେ ତାଲିମ କେନ୍ଦ୍ର
ଓଡ଼ିଶା ୟାଚିଂ ସଂଘ ପକ୍ଷରୁ ଖୁବ୍‌ ଶୀଘ୍ର ମହାନଦୀରେ ଏକ ନିଜସ୍ୱ ତାଲିମ କେନ୍ଦ୍ର ଖୋଲିବ ବୋଲି ସୂଚନା ଦିଆଯାଇଛି। ଉଦୀୟମାନ ସେଲରଙ୍କୁ ଏହା ସୁଯୋଗ ଦେବ। ଭାରତୀୟ ନୌସେନା ଓ୍ଵାଟରମ୍ୟାନ୍‌ସିପ୍‌ ତାଲିମ କେନ୍ଦ୍ର ସହାୟତାରେ ଏହା କରାଯିବ। ସ୍କୁବା ଡାଇଭିଂ, ଓ୍ଵିଣ୍ଡ୍‌ସର୍ଫିଂ, ୟାଚିଂ ପରେ ଏବେ ସେଲିଂ ଓଡ଼ିଶାର ନୂଆ ଖେଳ ତାଲିକାରେ ନିଜ ଉପସ୍ଥିତ ଜାହିର କରିବ ବୋଲି କହିଥିଲେ ଲିମ୍‌କା ରେକର୍ଡ ଧାରି ସବିର୍‌ ବକ୍ସ। ୨୦୦୭ ମସିହାରେ ମୁଁ ବିଦେଶରୁର ଆସିବା ପରଠାରୁ ଓଡ଼ିଶାରେ ଜଳକ୍ରୀଡ଼ାର ବିକାଶ ପାଇଁ ନିରଂତର କାର୍ଯ୍ୟ କରି ଆସୁଛି। ଓଡ଼ିଶାରେ ଥିବା ପ୍ରଚୁର ଜଳାଶୟ, ବେଳାଭୂମୀ ଅନ୍ୟ ରାଜ୍ୟ ତୁଳନାରେ ଢ଼େର ଉନ୍ନତ ଥିଲେ ମଧ୍ୟ ଏ କ୍ଷେତ୍ରରେ ଆମେ ବହୁ ପଛରେ ପଡ଼ିଛୁ ବୋଲି କ୍ଷୋଭର ସହ ପ୍ରକାଶ କରିଥିଲେ ସବିର୍‌।

ସମ୍ବନ୍ଧିତ ଖବର