ଗୋଟିଏ ମ୍ୟାଚ୍‌ରେ ଦୁଇ ଥର ହ୍ୟାଟ୍ରିକ୍‌ :ଇତିହାସ ରଚିଲେ ଷ୍ଟାର୍କ

ସିଡ୍‌ନି: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଙ୍ଗଳବାର ନିଜ ନାମକୁ କ୍ରିକେଟ୍‌ ଇତିହାସ ପୃଷ୍ଟାରେ ଲିପିବଦ୍ଧ କରିଦେଇଛନ୍ତି। ୨୭ ବର୍ଷ ବୟସ୍କ ଷ୍ଟାର୍କ ଗୋଟିଏ ମ୍ୟାଚ୍‌ରେ ଦୁଇ ଥର ହ୍ୟାଟ୍ରିକ୍‌ (ଦୁଇ ଥର କ୍ରମାଗତ ତିନିଟି ଲେଖାଏଁ ଓ୍ଵିକେଟ୍‌) ଅର୍ଜନ କରି ଏହି ଇତିହାସ ରଚିଛନ୍ତି। ମଙ୍ଗଳବାର ସେଫିଲ୍‌ଡ ସିଲ୍‌ଡର େଓ୍ଵଷ୍ଟର୍ନ ଅଷ୍ଟ୍ରେଲିଆ ବିପକ୍ଷ ଏକ ମ୍ୟାଚ୍‌ରେ ଷ୍ଟାର୍କ ଯୁଗଳ ହ୍ୟାଟ୍ରିକ୍‌ ସହ ୯୭ ରନ୍‌ରେ ମୋଟ ୭ ଓ୍ଵିକେଟ୍‌ ଦଖଲ କରିଥିଲେ। ଷ୍ଟାର୍କଙ୍କ ଐତିହାସିକ ଯୁଗଳ ହ୍ୟାଟ୍ରିକ୍‌ ବଳରେ ତାଙ୍କ ନ୍ୟୁ ସାଉଥ୍‌େଓ୍ଵଲ୍‌ସ ଦଳ ମଧ୍ୟ ଏହି ମ୍ୟାଚ୍‌କୁ ୧୭୧ ରନ୍‌ରେ ଜିତି ନେଇଛି। ଷ୍ଟାର୍କଙ୍କ ସାଥୀ ବୋଲର ଜୋସ୍‌ ହାଜ୍‌ଲେଉଡ୍‌ ୬ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ନ୍ୟୁସାଉଥ୍‌ େଓ୍ଵଲ୍‌ସ ପକ୍ଷରୁ ଏହି ମ୍ୟାଚ୍‌ ଖେଳୁଥିବା ଷ୍ଟାର୍କ ପ୍ରଥମ ପାଳିରେ ଜାସନ୍‌ ବେହେରେନ୍‌ଡର୍ଫ, ଡେଭିଡ୍‌ ମୁଡି ଓ ସିମନ୍‌ ମ୍ୟାକିନ୍‌ଙ୍କୁ କ୍ରମାଗତ ୩ ବଲ୍‌ରେ ଆଉଟ୍‌ କରି ନିଜ ଜୀବନର ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଏହାପରେ ଦ୍ୱିତୀୟ ପାଳିର ନିଜର ପଞ୍ଚଦଶ ଓଭରର ଶେଷ ଦୁଇଟି ବଲ୍‌ରେ ଜାସନ୍‌ ବେହେରେନ୍‌ଡର୍ଫ, ଡେଭିଡ୍‌ ମୁଡିଙ୍କୁ ପାଲିଲିୟନ୍‌ ପଠାଇଦେବା ପରେ ନିଜର ୧୬ତମ ଓଭରର ପ୍ରଥମ ବଲ୍‌ରେ ଜନ୍‌ େଓ୍ଵଲସଙ୍କୁ ଆଉଟ୍‌ କରି ଯୁଗଳ ହ୍ୟାଟ୍ରିକ୍‌ର ଐତିହାସକ ସଫଳତା ପାଇଥିଲେ। ଏଥି ସହିତ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏଭଳି ସଫଳତା ହାତେଇବାରେ ଷ୍ଟାର୍କ ଅଷ୍ଟମ ଖେଳାଳି ହୋଇଥିଲା ବେଳେ ୩୯ ବର୍ଷ ପରେ ପ୍ରଥମ ହୋଇଛନ୍ତି। ୧୯୭୮ ମସିହାରେ ଶେଷ ଥର ପାଇଁ ଜଣେ ବୋଲର ଗୋଟିଏ ମ୍ୟାଚ୍‌ରେ ଯୁଗଳ ହ୍ୟାଟ୍ରିକ୍‌ ଅର୍ଜନ କରିବାର ଗୌରବ ପାଇଥିଲେ। ତେବେ ଅଷ୍ଟ୍ରେଲୀୟ ଲେଗ୍‌ ସ୍ପିନର ଜିମ୍ମି ମାଥ୍ୟୁସ୍‌ ଏକମାତ୍ର ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ଦୁଇ ଥର ହ୍ୟାଟ୍ରିକ୍‌ ଅର୍ଜନ କରିବାର ବିରଳ କୃତିତ୍ୱ ପାଇଥିଲେ। ସେ ୧୯୧୨ ମସିହାରେ ମାଞ୍ଚେଷ୍ଟରଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ଐତିହାସିକ ସଫଳତା ହାତେଇଥିଲେ।
ଷ୍ଟାର୍କ ଏହା ପୂର୍ବରୁ ଗତ ମାସରେ ଏହି ପ୍ରତିଯୋଗିତାରେ ସାଉଥ୍‌ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍‌ ଓଭାଲ୍‌ ମ୍ୟାଚ୍‌ରେ ୭୩ ରନ୍‌ରେ ୮ ଓ୍ଵିକେଟ୍‌ ଦଖଲ କରି ନିଜ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ସେଫିଲ୍‌ଡ ସିଲ୍‌ଡ ପ୍ରତିଯୋଗିତାରେ ଏଭଳି ଦମ୍‌ଦାର ବୋଲିଂ କରି ଷ୍ଟାର୍କ ମଧ୍ୟ ନିଜକୁ ଆଗାମୀ ଆସେସ୍‌ ପୂର୍ବରୁ ପ୍ରତିପକ୍ଷ ଇଂଲଣ୍ଡ ଦଳକୁ ଚେତାବନୀ ଦେଇଛନ୍ତି। ଚଳିତ ମାସ ୨୩ ତାରିଖରୁ ବ୍ରିସ୍‌ବେନ୍‌ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପ୍ରଥମ ଆସେସ୍‌ ଟେଷ୍ଟରେ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର