ଏକ ନମ୍ବର ଆର୍ଜେଣ୍ଟିନାର ଆଉ ଏକ ପରାଜୟ

ଭୁବନେଶ୍ୱର: ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲରେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ବେଲିଜୟମଠାରୁ ୨-୩ରେ ହାରିଥିବା ଲାଟିନ ଆମେରିକୀୟ ଦେଶ ୟୁରୋପୀୟ ଶକ୍ତି ନେଦରଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ କଷ୍ଟେମଷ୍ଟେ ୩-୩ ଗୋଲ୍‌ରେ ଅମୀମାଂସିତ ରଖିଥିଲା। ହେଲେ ମଙ୍ଗଳବାର ଖେଳିଥିବା ଶେଷ ମ୍ୟାଚ୍‌ରେ ଅନ୍ୟତମ ୟୁରୋପୀୟ ହକି ଶକ୍ତି ସ୍ପେନ୍‌ଠାରୁ ୧-୨ ଗୋଲ୍‌ରେ ହାରିଗଲା। ମଙ୍ଗଳବାର ସଂଧ୍ୟାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ସ୍ପେନ୍‌ ଏବଂ ଆର୍ଜେଣ୍ଟିନା ଲଢ଼ୁଆ ହକି ଖେଳିଥିଲେ। ହେଲେ ସ୍ପେନ୍‌ ନିଜ ପେନାଲ୍ଟି ଦକ୍ଷତା ବଳରେ ବିଜୟର ସ୍ୱାଦ ଚାଖିଥିଲା। ସ୍ପେନ୍‌ ଦେଇଥିବା ଦୁଇଟି ଗୋଲ୍‌ ମଧ୍ୟରୁ ପ୍ରଥମଟିକୁ ପେନାଲ୍ଟି କର୍ନର ଏବଂ ଦ୍ୱିତୀୟକୁ ପେନାଲ୍ଟି ଷ୍ଟ୍ରୋକରେ ହାସଲ କରିଥିଲା। ଅନ୍ୟ ପକ୍ଷରେ ଆର୍ଜେଣ୍ଟିନା କରିଥିବା ଏକମାତ୍ର ଗୋଲ୍‌ ଏକ ସୁନ୍ଦର ଫିଲ୍ଡ ଗୋଲ୍‌ରୁ ପାଇଥିଲା। ମ୍ୟାଚ୍‌ର ପ୍ରଥମ ଏବଂ ତୃତୀୟ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା।

ତେବେ ପ୍ରଥମ ଏବଂ ଚତୁର୍ଥ କ୍ୱାର୍ଟରରେ ତିନିଟି ଗୋଲ୍‌ ଦେଖିବାକୁ ମିଳିଥିଲା। ଆର୍ଜେଣ୍ଟିନା ଅଧିନାୟକ ମାତିଆସ୍‌ ପରେଦେସଙ୍କ ୨୧ ମିନିଟ୍‌ ଗୋଲ୍‌ ବଳରେ ଆଗୁଆ ହୋଇଥିଲା। ତୃତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ମଧ୍ୟ ଏହି ଅଗ୍ରଣୀକୁ ବଜାୟ ରଖିଥିଲା। ହେଲେ ସୁଯୋଗ ଖୋଜୁଥିବା ସ୍ପେନ୍‌ ୫୦ ମିନିଟ୍‌ରେ ମ୍ୟାଚ୍‌କୁ ଜବରଦସ୍ତ ପ୍ରତ୍ୟାବର୍ତନ କରିିଥିଲା। ପୌ କ୍ୱେମାଦା ପେନାଲ୍ଟି କର୍ନରକୁ ଗୋଲ୍‌ରେ ରୂପାନ୍ତର କରିବାରୁ ସ୍ଥିତି ୧-୧ ହୋଇ ଯାଇଥିଲା। ମ୍ୟାଚ୍‌ ଶେଷ ହେବାର ଏକ ମିନିଟ୍‌ ପୂର୍ବରୁ ସ୍ପେନ୍‌କୁ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲା। ଏତିକି ବେଳେ ଆର୍ଜେଣ୍ଟିନା ଖେଳାଳି ଡି’ ଅଞ୍ଚଳରେ ସ୍ପେନ୍‌ ଖେଳାଳିଙ୍କୁ ଅବରୋଧ କରିଥିଲେ। ସ୍ପେନ୍‌କୁ ଅମ୍ପାୟାର ପେନାଲ୍ଟି ଷ୍ଟ୍ରୋକ୍‌ ପ୍ରଦାନ କରିଥିଲେ ଏବଂ ଯୋଶେଫ ରୋମେଶ ଏହାକୁ ଗୋଲ କରିବାରେ କୌଣସି ତ୍ରୁଟି କରି ନଥିଲେ। ଫଳରେ ସ୍ପେନ୍‌ ଶେଷ ମିନିଟରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା। ଆର୍ଜେଣ୍ଟିନାର ୬ ନମ୍ବର ଖେଳାଳି ସାଣ୍ଟିଆଗୋ ତାରାଜୋନା ମ୍ୟାଚ୍‌ର ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ସ୍ପେନର ସେହି ୬ ନମ୍ବର ଖେଳାଳି ତଥା ଅଧିନାୟକ ମିଗୁଏଲ ଡେଲାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର