‘ଗୋଟିଏ ରାଜ୍ୟ ଗୋଟିଏ ଖେଳ’ ନୀତି ପ୍ରଣୟନକାରୀଙ୍କୁ ମିଳିବ ଅନୁଦାନ

୧୮ ରାଜ୍ୟ କ୍ରୀଡ଼ା ମନ୍ତ୍ରୀଙ୍କ ସହ ରିଜିଜୁଙ୍କ ଆଲୋଚନା

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ଦେଶରେ କ୍ରୀଡ଼‌ା କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ମିଳିତ ଭାବେ ପରବର୍ତୀ ରୋଡ୍‌ମ୍ୟାନ୍‌ ଯୋଜନା ପାଇଁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ୧୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡ଼ା ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସରେ ବାର୍ତାଳାପ କରିଛନ୍ତି। ଏଥିରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଆସାମ, ଛତିଶଗଡ଼, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, କେରଳ, ଲଦାଖ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ଅଂଶଗ୍ରହଣ କରିଥିଲେ। ବୁଧବାର ଦ୍ବିତୀୟ ଦିନ ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭାଗ ନେବେ।

ଏହି ଆଲୋଚନା ଅବସରରେ କରୋନା ସମୟରେ ନିଆଯାଇଥିବା କାର୍ଯ୍ୟକଳାପର ସମୀକ୍ଷା ମଧ୍ୟ କରାଯାଇଥିଲା। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡ଼ା ମନ୍ତ୍ରୀଙ୍କ ସହ ରିଜିଜୁ ଏଭଳି ବାର୍ତାଳାପ ଦୁଇ ଦିନ (୧୪ ଓ ୧୫ ତାରିଖ) ଧରି କରିବେ ବୋଲି ଘୋଷଣା କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା, ସାରା ଦେଶରେ ତୃଣମୂଳସ୍ତରରୁ କ୍ରୀଡ଼ା ବିକାଶ ସାଙ୍ଗକୁ ନେହରୁ ଯୁବ କେନ୍ଦ୍ର ସଂଗଠନ (ଏନ୍‌ୱାଇକେଏସ୍‌) ଏବଂ ଜାତୀୟ ସେବା ‌ଯୋଜନା (ଏନ୍‌ଏସ୍‌ଏସ୍‌)ର କାର୍ଯ୍ୟକଳାପ ପୁନଃଆରମ୍ଭ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା। ଦେଶ ସାରା ପ୍ରତି ସ୍କୁଲ୍‌ରେ କିପରି ଫିଟ୍‌ନେସ୍‌ ଏବଂ କ୍ରୀଡ଼ାକୁ ସାମିଲ କରାଯିବ ସେ ନେଇ ମଧ୍ୟ ଆଲୋଚନା‌ ହେବ। ପୁଣି ଚଳିତ ବର୍ଷ ଶେଷ କିମ୍ବା ଆସନ୍ତାବର୍ଷ ପ୍ରାରମ୍ଭରୁ ଖେଲୋ ଇଣ୍ଡିଆ ଇଭେଣ୍ଟ ଏବଂ ଯୁବ ମହୋତ୍ସବ ପରିଚାଳନା କରିବାର ଯୋଜନା ସଂପର୍କରେ ମଧ୍ୟ ଆଲୋଚନା କରାଯିବ।

ଆମେ ଯଦି ଆଗାମୀ ୨୦୨୮ ଅଲିମ୍ପିକ୍‌ ପୋଡିୟମ୍‌ରେ ପ୍ରମୁଖ ୧୦ ରାଷ୍ଟ୍ର ମଧ୍ୟରେ ରହିବାକୁ ଚାହିଁବା ତାହାଲେ ତୃଣମୂଳ ସ୍ତରରୁ କ୍ରୀଡ଼ାକୁ ଶକ୍ତିଶାଳୀ କରିବା ଆମପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ରିଜିଜୁ ଜୋର୍‌ ଦେଇ କହିଥିଲେ। ଏଥିପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଖେଲୋ ଇଣ୍ଡିଆ ‌‌‌ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସ (କେଆଇଏସ୍‌ସିଇ) ପ୍ରତିଷ୍ଠା କରିବାକୁ ସ୍ଥିର କରିଛି ବୋଲି ରିଜିଜୁ କହିଛନ୍ତି। ପୁଣି ସ୍ଥାନୀୟ ପ୍ରତିଭା ଚିହ୍ନଟ କରିବା ସାଙ୍ଗକୁ ସେମାନଙ୍କୁ ଅଲିମ୍ପିକ୍‌ର ୧୪ କ୍ରୀଡ଼ା ଓ ପାରମ୍ପରିକ କ୍ରୀଡ଼ାରେ ଉପଯୁକ୍ତ ପ୍ରଶିକ୍ଷଣ ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲା ସ୍ତରରେ ୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର (କେଆଇସି) ଖୋଲିବାକୁ ମଧ୍ୟ ସରକାର ଯୋଜନା କରିସାରିଛନ୍ତି। ଉଭୟ କେଆଇଏସ୍‌ସିଇ ଏବଂ କେଆଇସିଗୁଡ଼ିକ ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ ଅଧିକ ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରିବେ। ଏଥିରେ ରାଜ୍ୟଗୁଡ଼ିକର ବଡ଼ ଭୂମିକା ରହିବ ବୋଲି ରିଜିଜୁ କହିଛନ୍ତି। ଅନ୍ୟପକ୍ଷରେ ଯେଉଁ ରାଜ୍ୟ କ୍ରିଡ଼ାର ବିକାଶ ନିମନ୍ତେ ଆଗଭର ହୋଇ କେନ୍ଦ୍ର ସରକାରଙ୍କ ‘‘ଗୋଟିଏ ରାଜ୍ୟ; ଗୋଟିଏ କ୍ରୀଡ଼ା’’ ନୀତିକୁ ପ୍ରଣୟନ କରିବେ ସେମାନଙ୍କୁ ସହାୟତା ଓ ପାଣ୍ଠି ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ରିଜିଜୁ।

ନୂତନତ୍ବ, ସହଯୋଗ, ବୈଷୟିକର ଭୂମିକା ରହିବ: ତୁଷାରକାନ୍ତି
ଭୁବନେଶ୍ବର: କ୍ରୀଡ଼ାକୁ ବ୍ୟବସ୍ଥିତ କରିବା ଦିଗରେ ନୂତନତ୍ବ, ସହଯୋଗ ଏବଂ ବୈଷୟିକ କ୍ଷେତ୍ର ପ୍ରମୁଖ ଭୂମିକା ତୁଲାଇବ ବୋଲି କହିଛନ୍ତି ଓଡ଼ିଶା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ସହ ଆଲୋଚନା ବେଳେ ଶ୍ରୀ ବେହେରା ଓଡ଼ିଶା ସରକାରଙ୍କ କ୍ରୀଡ଼ା ପରିଚାଳନା ସମ୍ପର୍କରେ ସୂଚନା ଦେବା ସହିତ ଭବିଷ୍ୟତର ବିଭିନ୍ନ ସମ୍ଭାବନା ଓ ସୁଯୋଗ ସମ୍ପର୍କରେ ମତ ରଖିଥିଲେ। ଅପ୍ରତ୍ୟାଶିତ କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ଅନିଶ୍ଚିତ ଭବିଷ୍ୟତ‌ ଦେଖା ଦେଇଥିବା ବ‌େଳେ କେନ୍ଦ୍ର ସରକାର ଏବଂ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)ଙ୍କ ନିର୍ଦେଶାବଳୀ ଅନୁସାରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସରକାର ସକାରାତ୍ମକ ଭାବନା ଭରିବାକୁ ଚେଷ୍ଟା କରୁଛି। ଏହି କ୍ଷେତ୍ରରେ ସୃଜନଶୀଳ ତଥା ଅଭିନବ ସୁଯୋଗକୁ ସହଯୋଗ ମାଧ୍ୟମରେ‌ ଶ୍ରେଷ୍ଠ ଅଭ୍ୟାସରେ ପରିଣତ କରିବାକୁ ଚେଷ୍ଟା କରାଯାଉଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ଓଡ଼ିଶାରେ କ୍ରୀଡ଼ାର ପ୍ରତ୍ୟାବର୍ତନ ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସୂଚନା ମଧ୍ୟ ଦେଇଥିଲେ ଶ୍ରୀ ବେହେରା। କେନ୍ଦ୍ର ସରକାରଙ୍କ ଏସ୍‌ଓପି ଅନୁସାରେ କ୍ରୀଡ଼ା ସୁ‌ବିଧାସୁଯୋଗ, କଳିଙ୍ଗ ଷ୍ଟାଡିୟମ୍‌ରେ ଏଲିଟ୍‌ ଆଥଲେଟଙ୍କ ପ୍ରଶିକ୍ଷଣ ଆରମ୍ଭ, ପର୍ଯ୍ୟାୟକ୍ରମେ ସମସ୍ତ କ୍ରୀଡ଼ା କଂପ୍ଲେକ୍ସରେ ଆରମ୍ଭ ଯୋଜନା, ପ୍ରଶିକ୍ଷଣ ସମୟରେ କୋଭିଡ୍‌-୧୯ ପ୍ରୋଟୋକଲ୍‌ ଅନୁସରଣ, ପ୍ରଶିକ୍ଷଣ ପାଇଁ ଷ୍ଟ୍ରେଙ୍ଗ୍‌ଥ ଆଣ୍ଡ୍‌ କଣ୍ଡିସନିଂ ତାଲିମ, କ୍ରୀଡ଼ା ଛାତ୍ରାବାସ ଅନ୍ତେଃବାସୀଙ୍କ ପାଇଁ ୱେବିନାର ଏବଂ ପ୍ରଶିକ୍ଷକଙ୍କ ଦ୍ବାରା ମାନସିକ ଓ ଶାରୀରିକ ମାର୍ଗଦର୍ଶନ, ସାଇ ସହିତ ପ୍ରଶିକ୍ଷକଙ୍କୁ ସଂଯୋଗ କରି ଅନଲାଇନ୍ ଶିକ୍ଷଣୀୟ ଅଧିବେଶନ କରାଇବାର ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ ପ୍ରକାଶ କରିଥିଲେ। ରାଜ୍ୟର ସବୁ ଜିଲ୍ଲା ପାଇଁ ବ୍ୟବସ୍ଥା ହେଉଥିବା କଥା ମଧ୍ୟ ସୂଚନା ଦେଇଥିଲେ ଶ୍ରୀ ବେହେରା।

ସମ୍ବନ୍ଧିତ ଖବର