ଜଣେ ଥିଲେ ପ୍ରଶାନ୍ତ: ରାମେଶ୍ବରରୁ କ୍ଲବ୍ କ୍ୟାରିୟର, ବିହାର ବିପକ୍ଷରେ ରଣଜୀ ପଦାର୍ପଣ

ପ୍ରେରଣାଦାୟୀ ପ୍ରଶିକ୍ଷକ, ସମ୍ମାନସ୍ପଦ ମ୍ୟାଚ୍ ରେଫରି

ଭୁବନେଶ୍ବର: ତାଙ୍କ ନାଁ ଥିଲା ପ୍ରଶାନ୍ତ, ସେ ବି ଥିଲେ ବରଫ ଭଳିଆ ଶାନ୍ତ ସରଳ, ଧୀରସ୍ଥିର। ମିଷ୍ଟଭାଷୀ, ମେଳାପୀ, ବନ୍ଧୁବତ୍ସଳ। ସମସ୍ତଙ୍କୁ ସାଙ୍ଗରେ ନେଇ ଚଳିଲା ଭଳିଆ ଲୋକ। ପିତା ସ୍ବର୍ଗତ ରଘୁନାଥ ମହାପାତ୍ର ଥିଲେ ଜଣେ ବିଶ୍ବବନ୍ଦିତ ସ୍ଥପତି। ପ୍ରଶାନ୍ତ କିନ୍ତୁ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ପିତା ନିହଣ ମୁନରେ ପଥରକୁ ଜୀବନ୍ତ କରୁଥିଲେ। ପ୍ରଶାନ୍ତ କ୍ରିକେଟ୍ ପଡ଼ିଆକୁ ନିଜ କର୍ମଭୂମି ବାଛି ନେଇଥିଲେ। ନିଜ ଦୃଢ଼ ଇଚ୍ଛା ଶକ୍ତି, ଏକାଗ୍ରତା, ଅଧ୍ୟବସାୟ ବଳରେ ରାଜ୍ୟ ଦଳରେ ସ୍ଥାନ ପାଇଥିଲେ। ପ୍ରଶାନ୍ତ ଆଜି ଆଉ ନାହାନ୍ତି। କରୋନା ତାଙ୍କୁ ଆମଠାରୁ ଛଡ଼ାଇ ନେଇଛି। ତାଙ୍କ ପରଲୋକଗମନରେ କିନ୍ତୁ ସାଙ୍ଗସାଥୀ ମର୍ମାହତ, କ୍ରିକେଟ୍ ଜଗତ ସ୍ତବ୍ଧ, ରାଜ୍ୟ କ୍ରିକେଟ୍ ଜଗତ ଶୋକାକୂଳ। ସମସ୍ତେ କହୁଛନ୍ତି ପ୍ରଶାନ୍ତ ମହାପାତ୍ର ଅମର ରହେ…. ମୁନ୍ନା ଭାଇ ତୁମେ ଫେରିଆସ।

୧୯୯୦ରେ ବିହାର ବିପକ୍ଷରେ ନିଜ ପ୍ରଥମଶ୍ରେଣୀ ଖେଳ ଜୀବନ ଆରମ୍ଭ କରିଥିଲେ ପ୍ରଶାନ୍ତ। ରାଞ୍ଚିର ସେଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସେ ୧୫୭* ରନ୍‌ର ଅବିଶ୍ବସନୀୟ ପାଳି ଖେଳିଥିଲେ। ଏହା ପରେ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। ତାଙ୍କ ଘରୋଇ କ୍ରିକେଟ୍ ଜୀବନ କିନ୍ତୁ ୧୧-୧୨ ବର୍ଷ ଧରି ଲମ୍ବିଥିଲା। ସେଥିମଧ୍ୟରେ ୧୯୯୧ରେ ସମ୍ବଲପୁରଠାରେ ବିହାର ବିପକ୍ଷରେ ୬୦* ରନ୍, ୧୯୯୨ରେ କଟକଠାରେ ତ୍ରିପୁରା ବିପକ୍ଷରେ ୫୯, ୧୯୯୩ରେ ଆସାମ ବିପକ୍ଷରେ ୫୦, ୧୯୯୫ରେ ବାରିପଦାଠାରେ ବେଙ୍ଗଲ ବିପକ୍ଷରେ ଶତକ, ୧୯୯୬ରେ ବାରବାଟୀ ଷ୍ଟାଡିୟମରେ ତ୍ରିପୁରା ବିପକ୍ଷରେ ୧୦୫, ସେହିିିବର୍ଷ ଆସାମ, ରେଳବାଇ ଓ ବିହାର ବିପକ୍ଷରେ ୭୨, ୫୯, ୬୪, ଗୌହାଟୀଠାରେ ଆସାମ ବିପକ୍ଷରେ ୧୦୨*, ୧୯୯୭ରେ ପଞ୍ଜାବ ବିପକ୍ଷରେ ପ୍ରଥମ ପାଳିରେ ୫୦, ଦ୍ବିତୀୟରେ ୮୦* ରନ୍ ଥିଲା ଉଲ୍ଲେଖନୀୟ। ୨୦୦୨ ଡିସେମ୍ବରରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ନିଜ ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍ ତାମିଲନାଡୁ ବିପକ୍ଷରେ ଖେଳିଥିଲେ ସେ। ପ୍ରଶାନ୍ତ ଅଚାନକ ଚାଲିଯିବାରେ ମର୍ମାହତ ଓଡ଼ିଶା ଭେ‌ଟେରାନ୍ କ୍ରିକେଟ୍ ସଂଘ, ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଦେବାଶିଷ ନାୟକ ଏବଂ ରାଜ୍ୟର ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ପ୍ରେରଣାଦାୟୀ ପ୍ରଶିକ୍ଷକ, ସମ୍ମାନସ୍ପଦ ମ୍ୟାଚ୍ ରେଫରି
୧୨ ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନ ଭିତରେ ୧୯୯୬ ଋତୁ ପ୍ରଶାନ୍ତଙ୍କ ପାଇଁ ସବୁଠାରୁ ସ୍ମରଣୀୟ ଥିଲା। ଏହିବର୍ଷ ସେ ବ୍ୟକ୍ତିଗତ ଭାବେ ବହୁ ଚମତ୍କାର ପାଳି ଖେଳିଥିଲେ। ୧୯୯୬ରେ ମଧ୍ୟ ଏଜି ଅଫିସରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ହେଲେ କ୍ରିକେଟ୍‌ଠାରୁ କୌଣସି ପରିସ୍ଥିତିରେ ଦୂରେଇ ଯାଇ ନଥିଲେ। ୨୦୧୨ରେ ଫେବ୍ରୁଆରିରେ ଗ୍ରେଡ୍-ଏ ପ୍ରଶିକ୍ଷକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣ ଦୁନିଆରେ ପାଦ ଥାପିଥିଲେ ସେ। ଏହା ପୂର୍ବରୁ ମଧ୍ୟ ଅନେକ ଉଦୀୟମାନ କ୍ରିକେଟରଙ୍କୁ କ୍ରିକେଟ୍ ଜ୍ଞାନ ବାଣ୍ଟି ଚାଲିଥିଲେ। ସେହିବର୍ଷ ମେ’ରେ ରାଏପୁରରେ ହୋଇଥିବା ପରୀକ୍ଷା‌କୁ ସଫଳତାର ସହ ଶେଷ କରି ବିସିସିଆଇ ଲେବୁଲ-୨ ପ୍ରଶିକ୍ଷକ ହୋଇଥିଲେ। ୨ ବର୍ଷ ପରେ ଅର୍ଥାତ୍ ୨୦୧୪ରେ ବିସିସିଆଇ ରେଫରି ପ୍ୟାନେଲରେ ସ୍ଥାନ ପାଇଥିଲେ। ଚଳିତ ବର୍ଷ ମାର୍ଚ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବକୁ ପ୍ରଶଂସନୀୟ ଭାବେ ନିର୍ବାହ କରିଥିଲେ। ସେ ମଧ୍ୟ ଏକଦା ଓସିଏ ଏକାଡେମିର ବ୍ୟାଟିଂ ପ୍ରଶିକ୍ଷକ ଥିଲେ। ଅନ୍ତର୍ଜାତୀୟ ମହିଳା କ୍ରିକେଟର ମାଧୁରୀ ମେହଟ୍ଟା ତାଙ୍କଠାରୁ ବ୍ୟାଟିଂର ଅନେକ କଳା ଶିଖିଥିବା ପୂର୍ବରୁ କହି ସାରିଛନ୍ତି।

ରାମେଶ୍ବରରୁ କ୍ଲବ୍ କ୍ୟାରିୟର
୧୯୭୩ ମସିହା ସେପ୍ଟେମ୍ବର ପହିଲାରେ ଜନ୍ମଗ୍ରହଣ କରିଥିବା ପ୍ରଶାନ୍ତ ପିଲାବେଳରୁ ହିଁ କ୍ରିକେଟ୍‌କୁ ପେସା କରିବାକୁ ନିଷ୍ପତ୍ତି ନେଇ ଯାଇଥିଲେ। ୩ ଭାଇ ଓ ୨ ଉଭଣୀର ବଡ଼ ପରିବାରେ ବଢ଼ିଥିବା ପ୍ରଶାନ୍ତ ନିଜ କ୍ଲବ୍ ଜୀବନ ପୁରୁଣା ଭୁବନେଶ୍ବରର ପ୍ରସିଦ୍ଧ କ୍ରିକେଟ୍ ସଂଘ ରାମେଶ୍ବର କ୍ଲବ୍‌ରୁ ଆରମ୍ଭ କରିଥିଲେ। ପରେ ଅବଶ୍ୟ ମୁକ୍ତେଶ୍ବର କ୍ଲବ୍‌ରୁ ଖେଳିଥିଲେ। ସରୋଜ ମହାସୁଆର, ଗୁରଜିତ ସିଂହ ପ୍ରମୁଖ ଖେଳାଳିଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ଜଣେ ଦକ୍ଷ ଓପନିଂ ବ୍ୟାଟ୍ସମ୍ୟାନ୍ ଓ ଡାହାଣହାତୀ ବୋଲର ହୋଇ ବାହାରିଥିଲେ। କନିଷ୍ଠ କ୍ରିକେଟ୍‌ରେ ତାଙ୍କ ପ୍ରଦର୍ଶନ ଥିଲା ଉଚ୍ଚକୋଟୀର। ଫଳରେ ଓଡ଼ିଶା ୧୫ ବର୍ଷରୁ କମ୍, ପୂର୍ବାଞ୍ଚଳ ୧୫ ବର୍ଷରୁ କମ୍, ଓଡ଼ିଶା ୧୭ ବର୍ଷରୁ କମ୍, ପୂର୍ବାଞ୍ଚଳ ୧୭ ବର୍ଷରୁ କମ୍, ଓଡ଼ିଶା ୧୯ ବର୍ଷରୁ କମ୍ ଓ ପୂର୍ବାଞ୍ଚଳ ୧୯ ବର୍ଷରୁ କମ୍ ଦଳରେ ସଫଳ ପ୍ରଦର୍ଶନ କରିବା ପରେ ଓଡ଼ିଶା ରଣଜୀ ଦଳ ପାଇଁ ୧୯୯୦-୯୧ ଋତୁରେ ମନୋନୀତ ହୋଇଥିଲେ। ସେ ମଧ୍ୟ ୧୯୮୭-୮୮ରେ ବିସିସିଆଇ ପକ୍ଷରୁ ଶ୍ରେଷ୍ଠ ୧୫ ବର୍ଷରୁ କମ୍ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର