ନୂଆଦିଲ୍ଲୀ: ଆଘାତ ଜନିତ ସମସ୍ୟା କାରଣରୁ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାଵନଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଭାରତୀୟ ଟେଷ୍ଟ୍ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରଵାଲଙ୍କୁ ଦଳରେ ସାମିଲ କରାଯାଇଛି। ଧାଵନଙ୍କ ଆଣ୍ଠୁରେ ଲାଗିଥିବା ଆଘାତ ସମ୍ପୂର୍ଣ୍ଣ ଠିକ୍ ହୋଇନାହିଁ। ତାଙ୍କର ଷ୍ଟିଚ୍ (ସିଲାଇ) ଖୋଲା ସରିଛି, କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆଉ କିଛି ଦିନ ଲାଗିବ ବୋଲି ବିସିସିଆଇର ଡାକ୍ତରୀ ଦଳ ଅନୁଭବ କରିବା ପରେ ତାଙ୍କୁ ପରବର୍ତ୍ତୀ ଶୃଙ୍ଖଳାରୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ମୟଙ୍କ ଅଗ୍ରଵାଲଙ୍କୁ ସାମିଲ କରିବାକୁ ସମସ୍ତ ବରିଷ୍ଠ ଚୟନକର୍ତ୍ତା ସହମତି ପ୍ରକାଶ କରିଥିବା ବୁଧବାର ବିସିସିଆଇ ପ୍ରକାଶ କରିଛି। ସୂଚନାଯୋଗ୍ୟ ଯେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ତିନିଟି ଦିନିକିଆ ଖେଳିବ। ଚେନ୍ନାଇରେ ପ୍ରଥମ (ଡିସେମ୍ବର ୧୫), ବିଶାଖାପାଟନମରେ ଦ୍ବିତୀୟ (ଡିସେମ୍ବର ୧୮) ଓ କଟକ ବାରବାଟିରେ ତୃତୀୟ (ଡିସେମ୍ବର ୨୨) ମ୍ୟାଚ୍ ଖେଳାଯିବ। ତେବେ ଏହି ଶୃଙ୍ଖଳାରେ ମୟଙ୍କ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ରେ ପଦାର୍ପଣ କରିବାର ସୁଯୋଗ ପାଇବେ। ମୟଙ୍କ ବର୍ତ୍ତମାନ ସୁଦ୍ଧା ୯ ଟେଷ୍ଟ୍ ଖେଳି ୬୭.୦୮ ହାରରେ ୮୭୨ ରନ୍ କରିଛନ୍ତି। ଏଥରେ ତିନିଟି ଶତକ (ଦୁଇଟି ଦ୍ବିଶତକ) ଓ ତିନିଟି ଅର୍ଧଶତକ ସାମିଲ ଅଛି।
ପରିବର୍ତ୍ତିତ ଭାରତୀୟ ଦିନିକିଆ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), ମୟଙ୍କ ଅଗ୍ରଵାଲ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ(ଵିକେଟ୍ରକ୍ଷକ), ଶିଭମ୍ ଦୁବେ, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ଭୁବନେଶ୍ବର କୁମାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dgh5d4fjh89sdf4h65f4hxv54h56f4h56f4h65sfh465sf4h5sf6h4sf6h.jpg)