ଦିନକ ପରେ, ଭାରତ ବାଟରେ ବେଲ୍‌ଜିୟମ୍‌

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଆଉ ମାତ୍ର ଗୋଟିଏ ଦିନ ବ୍ୟବଧାନ ପରେ ଉଦ୍‌ଘାଟିତ ହେବ। ଅଂଶଗ୍ରହଣକାରୀ ବିଶ୍ବର ଶ୍ରେଷ୍ଠ ୧୬ ଦେଶକୁ ୪ ପୁଲ୍‌ରେ ବିଭକ୍ତ କରାଯାଇଛି। କେବଳ ପୁଲ୍ ବିଜେତା ସିଧାସଳଖ ‌କ୍ବାର୍ଟରଫାଇନାଲ୍‌ ଖେଳିବା ବ୍ୟବସ୍ଥା ଥିବାବେଳେ ଚତୁର୍ଥ ତଥା ଶେଷ ସ୍ଥାନ ପାଇବା ଦେଶ ଏହି ପର୍ଯ୍ୟାୟରୁ ସ୍ବଦେଶ ଫେରିବ। ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଦଖଲକାରୀ ଦଳଗୁଡ଼ିକୁ ନେଇ ଅତିରିକ୍ତ କ୍ରସ ଓଭର ତଥା ପ୍ଲେ ଅଫ୍‌ ଖେଳାଯିବ। ଯେଉଁଥିରୁ ଅବଶିଷ୍ଟ ୪ କ୍ବାର୍ଟର ଫାଇନାଲିଷ୍ଟ ବାହାରିବେ। ଫଳରେ ଅଧିକାଂଶ ଦଳ ପାଇଁ ଶେଷ ପର୍ଯ୍ୟନ୍ତ ଦ୍ବାର ଉନ୍ମୁକ୍ତ ରହିବ। ପ୍ରତି ମ୍ୟାଚ୍ ରୋମାଞ୍ଚକ ହେବାର ପ୍ରତିଶ୍ରୁତି ‌ରଖିଛି। ପୁଲ ‘ସି’ ସମ୍ଭାବନା ଓ ସାମର୍ଥ୍ୟ ସମ୍ପର୍କରେ ‘ସମ୍ବାଦ’ର ବିହଙ୍ଗାବଲୋକନ।

ପୁଲ ‘ବି’ ଉପରେ ଭାରତୀୟ ପ୍ରଶଂସକ ଏବଂ ଆୟୋଜକ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ବିଶେଷ ନଜର ରହିବ। ଭାରତ ସହିତ ଏହି ପୁଲରେ ରହିଛନ୍ତି ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ୟୁରୋପୀୟ ଦେଶ ବେଲ୍‌ଜିୟମ, ଦକ୍ଷିଣ ଆମେରିକୀୟ ରାଷ୍ଟ୍ର କାନାଡ଼ା ଏବଂ ଦକ୍ଷିଣ ଆଫ୍ରିକା। ଏହି ପୁଲରେ ୨୦୧୬ ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତାକୁ ଦାବିଦାର ଦଳ କୁହାଯାଉଥିଲେ ବି ଚାମ୍ପିଅନ୍ସ ଟ୍ରଫି ରୌପ୍ୟ ବିଜେତା ଭାରତ ପାଇଁ ବଡ଼ ସୁଯୋଗ ରହିଛି। ବିଶ୍ବ ମାନ୍ୟତାରେ ବେଲ୍‌ଜିୟମ ୩ ଏବଂ ଭାରତ ୫ ନମ୍ବର ସ୍ଥାନରେ ରହିଛନ୍ତି। କାନାଡ଼ା ୧୧ ଏବଂ ଦକ୍ଷିଣ ଆଫ୍ରିକା ୧୫ତମ ସ୍ଥାନରେ ଥିବାରୁ ଅପେକ୍ଷାକୃତ ଭାବେ ପଛରେ ରହିଛନ୍ତି। ଏହି ଦୁଇ ଦଳ ଭିତରୁ କେହି ଅନ୍ୟୁନ ଗୋଟିଏ ବିପର୍ଯ୍ୟୟ ସୃଷ୍ଟି କଲେ ପୁଲ୍‌ ‘ସି’ ସମ୍ଭାବନା ଖୋଲା ହୋଇଯିବ। ଲାଲ ସିଂହର ଦେଶ ବେଲ୍‌ଜିୟମ୍‌ ବିଗତ କିଛି ବର୍ଷ ଭିତରେ ନାଟକୀୟ ଉନ୍ନତି କରି ବିଶ୍ବ ମାନ୍ୟତାରେ ତୃତୀୟରେ ପହଞ୍ଚିଛି। ରିଓରେ ଦଳକୁ ରୌପ୍ୟ ପ୍ରଦାନ କରିଥିବା ଦଳର ସଦସ୍ୟ ସେଡ୍ରିକ ଚାର୍ଲିଏର, ଟମ୍ ବୁନ୍‌, ଜନ୍ ଜନ୍ ‌ଡମେନ୍, ଥାମସ ବ୍ରିଲ୍‌ସ, ସାଇମନ୍ ଗଗନାର୍ଡ, ଫେଲିକ୍ସ ଡିନାୟାର, ଆର୍ଥର ଭାନ୍ ଡୋରେନ ଏବଂ ଭିନ୍‌ସେଣ୍ଟ ବନାଶ୍ଚ ପ୍ରମୁଖ ବିଶ୍ବଶ୍ରେଣୀୟ ଖେଳାଳି ସମ୍ପୂର୍ଣ୍ଣ ଜୋସରେ ରହିଛନ୍ତି। ଗତ ବର୍ଷ ଏଫଆଇଏଚ୍ ହକି ଷ୍ଟାର୍ସ ଆୱାର୍ଡ ଉତ୍ସବରେ ଡୋରେନ୍ ଶ୍ରେଷ୍ଠ ପୁରୁଷ ଖେଳାଳି ଏବଂ ବନାଶ୍ଚ ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ପାଇଥିଲେ। ଏତେ ପ୍ରତିଭାବାନ ଖେଳାଳିଙ୍କୁ ରଖିଥିବା ବେଲ୍‌ଜିୟମ୍ କେବଳ ନିଜ ପୁଲ୍‌ ନୁହେଁ ବିଶ୍ବକପ୍ ପାଇଁ ମଧ୍ୟ ଦୃଢ଼ ଦାବିଦାର। ‌ସେ ଦୃଷ୍ଟିରୁ ଭାରତକୁ ପୁଲ୍ ବିଜେତା ହୋଇ ସିଧାସଳଖ କ୍ବାର୍ଟର ଫାଇନାଲ୍ ଯିବା ବାଟରେ ନିଶ୍ଚିତ ଏହି ୟୁରୋପୀୟ ଶକ୍ତି କଣ୍ଟା ସାଜିବ। ବେଲ୍‌ଜିୟମ ପାଇଁ ମଧ୍ୟ ଭାରତ କଣ୍ଟା ହେ‌ବ। ଘରୋଇ ପରିବେଶ ଓ ପ୍ରଶଂସକଙ୍କ ସମ୍ମୁଖରେ ଖେଳିବାକୁ ଯାଉଥିବାରୁ ଭାରତ ନିଜର ଶ୍ରେଷ୍ଠତ୍ବରେ ପହଞ୍ଚିବ ବୋଲି ବିଶ୍ବାସ ରଖିଛି। ୨ ବର୍ଷ ତଳେ ଭାରତକୁ ୨୧ ବର୍ଷରୁ କମ୍ କନିଷ୍ଠ ବିଶ୍ବକପ୍ ବିଜେତା କରାଇଥିବା ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଦେଶର ବହୁ ପ୍ରତୀକ୍ଷିତ ଦ୍ବିତୀୟ ବିଶ୍ବକପ୍ ବିଜୟ ଦେବାକୁ ପ୍ରତିଶ୍ରୁତିବଦ୍ଧ। ୨ ବର୍ଷ ତଳେ ଲକ୍ଷ୍ନୌରେ ଭାରତକୁ କନିଷ୍ଠ ବିଶ୍ବକପ୍ ବିଜେତା କରାଇଥିବା ଦଳରୁ ହରମନପ୍ରୀତ୍ ସିଂହ, ବରୁଣ କୁମାର, ସୁମିତ, ନୀଳକଣ୍ଠ ଶର୍ମା, ସିମ୍ରନ ସିଂହ ଏବଂ ମନଦୀପ୍ ସିଂହ ବରିଷ୍ଠ ବିଶ୍ବକପ୍ ପଦାର୍ପଣ କରିବାକୁ ଯାଉଛନ୍ତି। ବଡ଼ ମଇଦାନରେ ଭାରତ ନିଜର ଯୁବ ଶକ୍ତି ଉପରେ ଢେର ଭରସା ରଖିଛି।

ଅନ୍ୟପକ୍ଷରେ ସ୍କଟ ଟୁପରଙ୍କ ନେତୃତ୍ବାଧୀନ କାନାଡ଼ା ମଧ୍ୟ ବଡ଼ ପ୍ରତିଦ୍ବନ୍ଦ୍ବୀ ଦଳ ବିପକ୍ଷରେ ବିପର୍ଯ୍ୟୟ ଆଣିବାର ଉଦାହରଣ ରଖିଥିବାରୁ ଏହାକୁ ଦୋହରାଇ ପ୍ରଥମେ ପୁଲ୍ ଅତିକ୍ରମ କରିବା ଲକ୍ଷ୍ୟରେ ରହିଛି। ଆଫ୍ରିକୀୟ ବିଜେତା ଦକ୍ଷିଣ ଆଫ୍ରିକା ଏବଂ ଏହାର ଲମ୍ବା ଚେହେରା ଡିଫେଣ୍ଡର ଅଷ୍ଟିନ୍ ସ୍ମିଥ୍ ମଧ୍ୟ ଅନୁରୂପ ଆଶାରେ ରହିଛନ୍ତି।

ସମ୍ବନ୍ଧିତ ଖବର