ମେ’ ୫ରୁ ‘ଅନ୍‌ଲାଇନ୍‌ ନେସନ୍‌ କପ୍‌’ ଚେସ୍‌ : ଭାରତ, ଚୀନ୍‌, ରୁଷିଆ, ଆମେରିକା ଭାଗନେବେ

ଚେନ୍ନାଇ : ମହାମାରୀ କରୋନା ଲାଗି ସଂପ୍ରତି ସାରା ବିଶ୍ବରେ ଲକ୍‌ଡାଉନ୍‌ ଚାଲିଛି। ଏଥିଲାଗି ବହୁ କ୍ରୀଡ଼ା ପ୍ରତିଯୋଗିତା ବାତିଲ ଏବଂ ସ୍ଥଗିତ ରହିଛି। ଏହି ସମୟରେ ଅନ୍‌ଲାଇନ୍‌ରେ ଚେସ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଆଗେଇ ଆସିଛି ବିଶ୍ବର ସର୍ବୋଚ୍ଚ ଚେସ୍‌ ପରିଚାଳନା ସଂସ୍ଥା ଫିଡେ। ଚେସ୍ ଡଟ୍‌ କମ୍‌ ଓ ‌ଫିଡେର ମିଳିତ ଆନୁକୂଲ୍ୟରେ ଆସନ୍ତା ମାସ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ନେସନ୍‌ କପ୍‌ ନାମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ ୬ ଦଳ ଚୀନ୍‌, ୟୁରୋପ, ଭାରତ, ରୁଷିଆ, ଆମେରିକା ଏବଂ ଅବଶିଷ୍ଟ ବିଶ୍ବ ଭାଗନେବେ। ପୂର୍ବତନ ବିଶ୍ୱ ବିଜେତା ଭ୍ଲାଦିମିର କ୍ରାମନିକ ଓ ଗ୍ୟାରି କାସ୍ପାରୋଭ ଯଥାକ୍ରମେ ଭାରତ ଓ ୟୁରୋପ ଦଳର ଅଧିନାୟକ ହେବାର ସମ୍ଭାବନା ରହିଛି। ପ୍ରାଥମିକ ତାଲିକାରେ ଭାରତୀୟ ତାରକା ବିଶ୍ୱନାଥ ଆନନ୍ଦ ଓ ଆଲିରେଜା ଫିରୁଜାଙ୍କ ଭଳି ଖେଳାଳି ରହିଛନ୍ତି। ପ୍ରତ୍ୟେକ ଦଳରେ ଅତି କମ୍‌ରେ ଜଣେ ମହିଳା ଖେଳାଳି ରହିବେ। ମୋଟ ପୁରସ୍କାର ରାଶି ୧୮୦୦୦୦ ଡଲାର ବା ପାଖାପାଖି ୧ କୋଟି ୩୮ ହଜାର ଟଙ୍କା ରହିଛି। ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ୬ଟି ଦଳ ମେ ୫ରୁ ୯ ପର୍ଯ୍ୟନ୍ତ ଡବଲ୍ ରାଉଣ୍ଡ-ରବିନରେ ଖେଳିବେ। ଶ୍ରେଷ୍ଠ ଦୁଇ ଦଳ ମେ ୧୦ ତାରିଖ ଫାଇନାଲ୍‌ରେ ମୁହାଁମୁହିଁ ହେବେ ବୋଲି ଫିଡେର ମହାନିର୍ଦ୍ଦେଶକ ଏମିଲ୍ ସୁତୋଭସ୍କି ମଙ୍ଗଳବାର କହିଛନ୍ତି। ସମସ୍ତ ମ୍ୟାଚ୍‌ ରୢାପିଡ ଫର୍ମାଟ୍‌ରେ ଖେଳାଯିବ। ଖେଳାଳିଙ୍କୁ ୨୫ ମିନିଟ୍‌ ସମୟ ମିଳିବ ଏବଂ ପ୍ରତ୍ୟେକ ପଦକ୍ଷେପ ପରେ ୧୦ ସେକେଣ୍ଡ୍ ଅତିରିକ୍ତ ସମୟ ଯୋଡ଼ାଯିବ। ଫିଡେ ଅନୁବନ୍ଧିତ ଅନ୍ତର୍ଜାତୀୟ ଆର୍ବିଟରମାନେ ଭିଡିଓ କନଫରେନ୍ସ କଲ୍ ମାଧ୍ୟମରେ ମ୍ୟାଚ୍‌କୁ ପରିଚାଳନା କରିବେ। ପ୍ରତିଯୋଗୀମାନେ କୌଣସି ବାହ୍ୟ ସହାୟତା ନେବେନି। ସେମାନଙ୍କର କମ୍ପ୍ୟୁଟର, ୱେବ୍‌କ୍ୟାମେରା, କମ୍ପ୍ୟୁଟର ସ୍କ୍ରିନ ଏବଂ ଯେଉଁ ରୁମ୍‌ରେ ସେମାନେ ଖେଳିବେ ତାହା ନିୟମିତ ଭାବେ ତଦାରଖ ହେବ। ୟୁଟ୍ୟୁବ୍, ମିକ୍ସର୍, ଟ୍ୱିଟର ଓ ଅନ୍ୟାନ୍ୟ ଆନ୍ତର୍ଜାତୀୟସ୍ତରୀୟ ଷ୍ଟ୍ରିଂମିଂ‌ ସଂସ୍ଥା ସହ ଚେସ୍ ଡଟ୍ କମ୍‌ର ନିଜସ୍ୱ ଚ୍ୟାନେଲରେ ଏହା ପ୍ରସାରିତ ହେବ। ବିଭିନ୍ନ ଭାଷା ଇଂରାଜୀ, ସ୍ପାନିସ, ରୁଷୀୟ, ମାଣ୍ଡାରିନ୍, ଫରାସୀ, ଜର୍ମାନ, ପର୍ତ୍ତୁଗୀଜ୍, ଇଟାଲୀ, ତୁର୍କିସ୍‌ ଓ ପଲିସ ସମେତ ଏକାଧିକ ଭାଷାରେ ଧାରା ବିବରଣୀ ପ୍ରଦାନ କରାଯିବ ବୋଲି ସୁତୋଭସ୍କି କହିଛନ୍ତି।

ସମ୍ବନ୍ଧିତ ଖବର