କଟକ, (ଦୀପ୍ତିରଂଜନ ସାମଲ): ସାରା ବିଶ୍ବ ଏବେ କରୋନା ବିରୋଧରେ ଲଢେଇ କରୁଥିବା ବେଳେ କ୍ରୀଡ଼ାବିତ୍ଙ୍କ ପାଇଁ ଲକ୍ଡାଉନ୍ (ତାଲାବନ୍ଦ) ସମଧରଣର ଏକ ବଡ଼ ଆହ୍ବାନ। ଏହି ସମୟରେ ଅଧିକ କ୍ରୀଡ଼ା ଅଭ୍ୟାସ ସୁବିଧା ନଥିବାରୁ କ୍ରୀଡ଼ାବିତ୍ଙ୍କ ଶାରୀରିକ ଦକ୍ଷତା ପୂର୍ବାପେକ୍ଷା ହ୍ରାସ ହୋଇଥାଏ। ଯେକୌଣସି ମୁହୂର୍ତ୍ତରେ ତାଲାବନ୍ଦ ପ୍ରତିବନ୍ଧକ ଉଠିପାରେ କିମ୍ବା ଏହି ଅବଧି ଅଧିକ ଦିନ ପର୍ଯ୍ୟନ୍ତ ଲାଗୁ ହୋଇପାରେ। ତେଣୁ ଏଭଳିସ୍ଥିତିରେ ଖେଳାଳିମାନେ ସେମାନଙ୍କ ଶରୀରକୁ ପ୍ରସ୍ତୁତ ରଖିବା ପାଇଁ ନିତିଦିନ ବ୍ୟାୟାମର ଆବଶ୍ୟକତା ରହିଛି। ତେବେ ସବୁ ଖେଳାଳିଙ୍କ ପାଇଁ ସମାନପ୍ରକାରର ବ୍ୟାୟାମ ନାହିଁ। କ୍ରିକେଟ୍, ଫୁଟ୍ବଲ, ବ୍ୟାଡ୍ମିଣ୍ଟନ, ଟେବୁଲ ଟେନିସ୍ ପାଇଁ ଭିନ୍ନଭିନ୍ନ ଧରଣର ବ୍ୟାୟାମ ରହିଛି। ବୈଷୟିକ ଦିଗରେ ଖେଳାଳିମାନେ ପ୍ରବୀଣ ନହେଲେ ଆହତ ହେବା ସମ୍ଭାବନା ରହିଛି। ଏଥିପାଇଁ ଏବେ ତାଲାବନ୍ଦ ସମୟରେ ଦେଶର ପ୍ରମୁଖ କ୍ରୀଡ଼ାବିତ୍ ତଥା ସେଲିବ୍ରେଟିମାନଙ୍କୁ ଶାରୀରିକ ଭାବେ ସୁସ୍ଥ ରଖିବା ପାଇଁ ଓଡ଼ିଶା ରଣଜୀ ଦଳ ତଥା ଭାରତୀୟ କନିଷ୍ଠ ଫୁଟ୍ବଲ ଦଳର ପୂର୍ବତନ ଫିଜିଓ ସୌମ୍ୟ ରାଉତ ଅନ୍ଲାଇନ୍ରେ ପ୍ରଶିକ୍ଷଣ ଦେଉଛନ୍ତି।
ଏଭଳି ଫିଜିଓଥେରାପି ପେଶାକୁ ନେଇ ସୌମ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଆରମ୍ଭରୁ ସାଧାରଣ ଲୋକଙ୍କ ସହିତ କାମ କରିବାକୁ ଚାହୁଁଥିଲେ। କୌଣସି ଦଳ ସହିତ ରହିଲେ ତାହା ଦୀର୍ଘସ୍ଥାୟୀ ନୁହେଁ। ତଥାପି ଏବେ ବି କିଛି ଦଳଙ୍କ ସହିତ ସେ ଯୋଗାଯୋଗରେ ଅଛନ୍ତି। କିନ୍ତୁ ନିଜସ୍ବ କେନ୍ଦ୍ରରେ ବ୍ୟାପକ ସେବା ଯୋଗାଇ ଦେବା ଓ ସେମାନଙ୍କୁ ନିଜ ଶରୀର ବିଷୟରେ ଜ୍ଞାନ ପ୍ରଦାନ କରିବା ଦିଗରେ ଅଧିକ ଆଗ୍ରହ ରଖିଥିବା କହିଛନ୍ତି। ଅନ୍ୟପକ୍ଷରେ ତାଲାବନ୍ଦ ସମୟରେ କ୍ରୀଡ଼ାବିତ୍ମାନେ ସେମାନଙ୍କୁ ଶାରୀରିକ ଭାବେ ସୁସ୍ଥ ରଖିବା ପାଇଁ ବୈଷୟିକ ଦିଗ ଉପରେ ଅଧିକ କାମ କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ, ଏବେ ସବୁଆଡ଼େ ଖେଳ ବନ୍ଦ ରହିଛି। ତେଣୁ ଘରେ ଯାହା ବି ଉପକରଣ ରହିଛି ତାହା ମାଧ୍ୟମରେ ସଠିକ୍ ବ୍ୟାୟାମ କରିବା ସହ ମାଂସପେଶୀକୁ ସୁଦୃଢ କରିବା ପାଇଁ କୋର୍ ବ୍ୟାୟାମ ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ସବୁବେଳେ ମାନ୍ଦା ହୋଇଯିବା ଅପେକ୍ଷା, ଶରୀରର ଚଳପ୍ରଚଳ ହେବା ଆବଶ୍ୟକ ରହିଛି। ବ୍ୟାୟାମ ଅଭ୍ୟାସ ଜାରି ରହିଲେ, ଖେଳ ଋତୁ ଆରମ୍ଭ ହେବା ବେଳକୁ ଆଉ ଆହତ ଭୟ ରହିବନି। କିନ୍ତୁ ଯଦି ଶାରୀରିକ ଦକ୍ଷତା ହ୍ରାସ ପାଇବ, ତାହେଲେ ଋତୁ ଆରମ୍ଭ ବେଳକୁ ପ୍ରଦର୍ଶନ ଦେବା କଷ୍ଟ ହେବ। ଏଥିସହିତ ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ। ବ୍ୟାୟାମ ପରିମାଣ କମିଥିବାରୁ ଖାଦ୍ୟର ପରିମାଣ ମଧ୍ୟ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଏବେ ସରକାରଙ୍କ ନୀତିନିୟମ ମାନି ଘରେ ଯାହା ବି ଉପକରଣ ଅଛି ତାହା ମାଧ୍ୟମରେ ବ୍ୟାୟାମ ଜାରି ରଖିଲେ ଖେଳକୁ ଫେରିବା ବେଳକୁ ସତେଜ ହୋଇଥିବ ବୋଲି ସୌମ୍ୟ କହିଛନ୍ତି।
ପ୍ରଶିକ୍ଷାର୍ଥୀଙ୍କ ତାଲିକାରେ ନାମୀ କ୍ରୀଡ଼ାବିତ୍, ସେଲିବ୍ରିଟି
ବାଙ୍ଗାଲୋରରେ ରହିବା ମଧ୍ୟରେ ନିଜ କାମକୁ ନେଇ ନାଁ କମେଇସାରିଥିବା ସୌମ୍ୟଙ୍କୁ ଆରମ୍ଭରୁ ବିଶେଷ ପରିଶ୍ରମ ଉଠାଇବାକୁ ପଡ଼ିଥିଲା। ପ୍ରଥମରୁ ଅଳ୍ପ କିଛି କ୍ରୀଡ଼ାବିତ୍ଙ୍କୁ ନେଇ ଷ୍ଟେୟାର୍ସ ଫିଜିଓଥେରାପି ଆରମ୍ଭ ହୋଇଥିଲା ବେଳେ ଏବେ ଏହା ସେଠାକାର ପ୍ରମୁଖ କେନ୍ଦ୍ର ପାଲଟିଯାଇଛି। ଶାରୀରିକ ଦକ୍ଷତା ବୃଦ୍ଧି ସହ ମାନସିକ ଦକ୍ଷତା ବଢାଇବା ଦିଗରେ ସୌମ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ଏହି କାର୍ଯ୍ୟରେ ପ୍ରତିଷ୍ଠିତ ମନସ୍ତତ୍ତ୍ବବିତ୍ ଡାକ୍ତର ଶ୍ୟାମ ଭଟ୍ଟ ଓ ଡାକ୍ତର ଆନ୍ନା ଚଣ୍ଡି ତାଙ୍କୁ ସହାୟତା କରୁଥିବାରୁ ସେମାନଙ୍କ ଜରିଆରେ ଅନେକ ନାମୀଦାମୀ ସେଲିବ୍ରିଟି ତାଙ୍କର ପ୍ରଶିକ୍ଷାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି। ଏବେ ଦେଶର ନାମୀ କ୍ରୀଡ଼ାବିତ୍ ତଥା ପୂର୍ବତନ କ୍ରୀଡ଼ାବିତ୍ମାନେ ତାଙ୍କପାଖରୁ ପ୍ରଶିକ୍ଷଣ ନେବାକୁ ଆସୁଛନ୍ତି। ତାଙ୍କ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟାଡ୍ମିଣ୍ଟନ ତାରକା ପ୍ରକାଶ ପାଦୁକୋନ, ସ୍ନୁକର ବିଜେତା ପଙ୍କଜ ଆଡଭାନୀ, ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ବିପ୍ଲବ ସାମନ୍ତରାୟ, ଆଇଏସ୍ଏଲ୍ ଓଡ଼ିଆ ଖେଳାଳି ଶୁଭମ୍ ଶଡ଼ଙ୍ଗୀ, ଭାରତୀୟ ଫୁଟ୍ବଲ ଦଳର ମିଡ୍ ଫିଲ୍ଡର ଅନିରୁଦ୍ଧ ଥାପ୍ପା, ୧୭ ବର୍ଷରୁ କମ୍ ଭାରତୀୟ ବ୍ୟାଡ୍ମିଣ୍ଟନ ଦଳର ଅନନ୍ତ କୁମାର, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶର୍ମିଳା ମନ୍ଦ୍ରେ, ପ୍ରଖ୍ୟାତ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ରୁକ୍ମଣୀ ବିଜୟକୁମାରଙ୍କ ଭଳି ଅନେକ ସେଲିବ୍ରେଟି ତାଙ୍କର ପ୍ରଶିକ୍ଷାର୍ଥୀ ତାଲିକାରେ ରହିଛନ୍ତି। ଏହାବ୍ୟତୀତ ସ୍ଥାନୀୟ ବିଭିନ୍ନ ଏକାଡେମୀର ଆମନ୍ତ୍ରଣରେ ସେ ଏକାଧିକ ଖେଳାଳିଙ୍କୁ ଶାରୀରିକ ସୁସ୍ଥ ରହିବା ପାଇଁ ମନ୍ତ୍ରଣା ଦେଉଥିବା ସୂଚନା ମିଳିଛି।
ରଣଜୀରୁ ଭାରତୀୟ ଫୁଟ୍ବଲ ଦଳ
ବାଙ୍ଗାଲୋରରେ ଷ୍ଟେୟାର୍ସ ଫିଜିଓଥେରାପି ନାମରେ ନିଜସ୍ବ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଥିବା କଟକ ପେଟିନ୍ ସାହିର ବିକାଶ ଚନ୍ଦ୍ର ରାଉତ ଓ ତୃପ୍ତି ରାଉତଙ୍କ ପୁଅ ସୌମ୍ୟ ୨୦୦୯ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଓଡ଼ିଶା ରଣଜୀ ଦଳର ଫିଜିଓ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ଭାରତୀୟ କନିଷ୍ଠ ଫୁଟ୍ବଲ ଦଳ ତଥା ଏଆଇଏଫ୍ଏଫ୍ର ବିଭିନ୍ନ ଏକାଡେମୀରେ ଫିଜିଓ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୫ରୁ ୨୦୧୬ ପର୍ଯ୍ୟନ୍ତ ଗଜୁରାଟ କ୍ରୀଡ଼ା ପ୍ରାଧିକରଣ ସହ ଏବଂ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଏଏଫ୍ସି ୧୭ ବର୍ଷରୁ କମ୍ ଦଳର ଫିଜିଓ ଭାବେ କାର୍ଯ୍ୟ କରି ସେହିବର୍ଷ ସେପ୍ଟେମ୍ବର ମାସରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏପରିକି ଭିଏତନାମ୍ର ଟେନିସ ତାରକା ସାକେତ ମିନେନିଙ୍କ ବ୍ୟକ୍ତିଗତ ଫିଜିଓ ଭାବେ କାର୍ଯ୍ୟ କରିଛନ୍ତି। ତେବେ ନିଜ ଜ୍ଞାନକୁ କେବଳ ଖେଳ ଓ ଖେଳାଳିଙ୍କ ଭିତରେ ସୀମିତ ନରଖି ସାଧାରଣ ଲୋକଙ୍କ ମଧ୍ୟରେ ଏହାର ବ୍ୟାପକ ଲାଭ ଯୋଗାଇ ଦେବାକୁ ବାଙ୍ଗାଲୋରରେ ସେ ନିଜସ୍ବ କେନ୍ଦ୍ର ଖୋଲିଛନ୍ତି।
ଦେଶ, ବିଦେଶରେ ଏକାଧିକ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ
ବାପା ସ୍ପୋର୍ଟିଂ ୟୁନିଅନ୍ କ୍ଲବ୍ରେ ଖେଳୁଥିବା ବେଳେ ଦାଦା ଡାନିଏଲ୍ ରାଉତ ଓଡ଼ିଶା କ୍ରିକେଟ୍ ଦଳକୁ ପ୍ରତିନିଧିତ୍ବ କରିଥିଲେ। ସେମାନଙ୍କଠୁ ପ୍ରେରଣା ପାଇଁ ସୌମ୍ୟ ପ୍ରଥମରୁ କ୍ରିକେଟ୍ ଆଡ଼କୁ ଢଳିଥିଲେ ବି ପରେ ଫିଜିଓଥେରାପି ପେଶାକୁ ଆପଣାଇନେଇଥିଲେ। ଫିଜିଓଥେରାପିରେ ସ୍ନାତକ କରିବା ପରେ କ୍ଲିନିକାଲ ରିସର୍ଚ୍ଚରେ ସ୍ନାତକୋତ୍ତର କରିଛନ୍ତି। ଆପୋଲୋ ହସ୍ପିଟାଲରେ କ୍ରୀଡ଼ା ବିଜ୍ଞାନ ଉପରେ ଫେଲୋସିପ୍ କରିବା ପରେ ବିଭିନ୍ନ ଦେଶରେ ଏସୀୟ ଫୁଟବଲ୍ ଫିଜିଓଥେରାପି ପାଠ୍ୟକ୍ରମ, ମାନୁଆଲ୍ ଥେରାପି, ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ, କ୍ରାନିଆଲ୍ ଆଣ୍ଡ ସ୍ପାଇନାଲ ଅଷ୍ଟିଓପାଥିରେ ଉଚ୍ଚତର ଶିକ୍ଷାଗ୍ରହଣ କରିଛନ୍ତି। ଏବେ ସେ ଭାରତୀୟ ଫିଜିଓଥେରାପିଷ୍ଟ ସଂଘର ସଦସ୍ୟତା ଗ୍ରହଣ କରିଛନ୍ତି।
ଏପ୍ରିଲ ୧ରୁ ଆରମ୍ଭ ହୋଇଛି ଅନ୍ଲାଇନ୍ ପ୍ରଶିକ୍ଷଣ
ଏବେ ସବୁଆଡ଼େ ତାଲାବନ୍ଦ ଚାଲିଥିବାରୁ ପ୍ରଶିକ୍ଷାର୍ଥୀମାନଙ୍କୁ ଆଉ ସୌମ୍ୟାଙ୍କ ପାଖକୁ ଆସି ପ୍ରଶିକ୍ଷଣ ନେବା ସମ୍ଭବ ହେଉନି। ଏଥିପାଇଁ ସୌମ୍ୟ ଅନ୍ଲାଇନ୍ରେ ତାଲିମ ଦେଉଛନ୍ତି। ପ୍ରଥମେ ସେମାନଙ୍କ ଆହତ ସମସ୍ୟା ବିଷୟରେ ଜାଣିବା ପରେ ଘରେ ଥିବା ଉପକରଣ ମାଧ୍ୟମରେ କିପରି ଉତ୍ତମ ବ୍ୟାୟାମ କରିହେବ ସେ ସମ୍ପର୍କରେ ସୌମ୍ୟ ତାଲିମ ଦେଉଛନ୍ତି। ବର୍ତ୍ତମାନ ସମୟରେ ଶରୀର ଓଜନ ବୃଦ୍ଧି ନହେବା ଉପରେ ସମସ୍ତେ ଅଧିକ ଧ୍ୟାନ ଦେଉଛନ୍ତି। ଏଥିସହ ଦୈନନ୍ଦିନ ସୁସ୍ଥ ଜୀବନଶୈଳୀ ପାଇଁ ସମସ୍ତଙ୍କୁ ଭିନ୍ନଭିନ୍ନ ଧରଣର ବ୍ୟାୟାମ କରାଯାଉଛି। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନ୍ଲାଇନ୍ ପ୍ରଶିକ୍ଷଣରେ ପାଖାପାଖି ୧୮ ଜଣ ଏହି ସୁବିଧା ପାଇପାରୁଛନ୍ତି। ଏହାବ୍ୟତୀତ ଦେଶର ବିଭିନ୍ନ ସ୍ଥାନରୁ ଯେକୌଣସି କ୍ରୀଡ଼ାବିତ୍ କିମ୍ବା ସେଲିବ୍ରିଟି ତାଙ୍କର ପରାମର୍ଶ ଚାହୁଁଥିଲେ ସେ ଅନ୍ଲାଇନ୍ ମାଧ୍ୟମରେ ତାହାର ସମାଧାନ କରିପାରୁଛନ୍ତି। ଶାରୀରିକ ଦକ୍ଷତା ସହିତ ମାନସିକ ଦକ୍ଷତା ବୃଦ୍ଧି ପାଇଁ ତଥା ଶରୀରର ଥକାପଣ ଦୂର କରିବା ପାଇଁ ପ୍ରତିଷ୍ଠିତ ମନସ୍ତତ୍ତ୍ବବିତ୍ଙ୍କ ସହ ମିଶି ଏହି କାର୍ଯ୍ୟକୁ ଆଗେଇ ନେଉଥିବା ସୌମ୍ୟ ସୂଚନା ଦେଇଛନ୍ତି।