ନୂଆଦିଲ୍ଲୀ: ତାଲାବନ୍ଦ ଯୋଗୁଁ ସଂପ୍ରତି ଭାରତୀୟ ହକି ଦଳ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରରେ ରହିଛନ୍ତି। ସେଠାରୁ ଭାରତୀୟ ଷ୍ଟ୍ରାଇକର ମନଦୀପ ସିଂହ ଅଲିମ୍ପିକ୍ସର ବିଳମ୍ବକୁ ଏକ “ସମ୍ବେଦନଶୀଳ ନିଷ୍ପତ୍ତି” ଭାବେ ବର୍ଣ୍ଣନା କରିଛନ୍ତି। ଯଦି ଏହି ବର୍ଷ ଅଲିମ୍ପିକ୍ସ ହୋଇଥାନ୍ତା। ବିଶ୍ବର ଏହି ବୃହତ ପ୍ରତିଯୋଗିତା ଲାଗି ଅନେକ ଦେଶର ଖେଳାଳି ବାହାରକୁ ଯାଇଥାନ୍ତେ। ଏହା ଅସୁରକ୍ଷିତ ହୋଇଥାନ୍ତା। ଏହି ବିଳମ୍ବ ଆମ ପାଇଁ ଏକ ପ୍ରକାର ଆଶୀର୍ବାଦ। କାରଣ ପ୍ରସ୍ତୁତି କରିବାକୁ ଅଧିକ ସମୟ ମିଳିଗଲା ବୋଲି ୨୫ ବର୍ଷୀୟ ମନଦୀପ କହିଛନ୍ତି। ମାତ୍ର ୬ ବର୍ଷ ବୟସରୁ ହକି ଖେଳିବା ଖେଳିବା ଆରମ୍ଭ କରିଥିଲେ ଏହି ଜଳନ୍ଦର ଖେଳାଳି। ଘର ବଦଳରେ ତାଙ୍କର ଅଧିକ ସମୟ ପଡ଼ିଆରେ କଟିଥାଏ। ଲକ୍ଡାଉନ୍ ସମୟରେ ଘରେ ରହିବା କଷ୍ଟକର ଲାଗୁଛି ବୋଲି ପ୍ରଶ୍ନରେ ସେ କହିଛନ୍ତି, ଏଭଳି ମୋତେ କିଛି ଲାଗୁନି। ସାଥୀମାନଙ୍କ ସହିତ ଅଛି ଏବଂ ଏହି ସମୟରେ ଦଳର ମନୋବଳ ଭଲ ରହିଛି। ଆମେ ପରିସ୍ଥିତିର ଗମ୍ଭୀରତାକୁ ବୁଝିପାରୁଛୁ ଏବଂ ନିଆଯାଇଥିବା ତାଲାବନ୍ଦ ଓ ପ୍ରତିବନ୍ଧକ ନିଷ୍ପତ୍ତି ସମସ୍ତଙ୍କ ହିତରେ।
କରୋନା ଭୂତାଣୁଠୁ ଦୂରେଇ ରହିବା ପାଇଁ ସାଇ କେନ୍ଦ୍ରରୁ କୌଣସି ଖେଳାଳି ବାହରକୁ ଯାଉନାହାନ୍ତି। ଏହି ସମୟରେ ମନଦୀପ ଦଳ ବିଶ୍ଲେଷଣର ଛୋଟ ଛୋଟ ଭିଡିଓ ଦେଖିବା ସହ ଭିଡିଓବାର୍ତ୍ତାରେ କ୍ରିସ୍ ସିରିଏଲୋଙ୍କ ପତ୍ନୀ ହେଡ୍ଙ୍କଠୁ ଇଂରାଜୀ ଶିକ୍ଷା ଗ୍ରହଣ କରୁଛନ୍ତି। ଆମେ ସମସ୍ତେ ବ୍ୟକ୍ତିଗତ ଭାବେ ଆମର ଯୋଗାଯୋଗ ଦକ୍ଷତା ବଢ଼ାଇବାରେ ଲାଗିଛୁ। ବର୍ତ୍ତମାନର ସର୍ବୋତ୍ତମ କାମ ହେଉଛି ବହି ପଢ଼ିବା, ଆମେ ତାହା କରୁଛୁ। ମୁଁ କିଛି ଭଲ ବହି ବାଛିଛି। ହେଡ୍ଙ୍କଠୁ ଶିକ୍ଷା ଗ୍ରହଣ କରୁଛି। ଆମର ପାଠ୍ୟକ୍ରମ ଭଲ ଚାଲିଛି ଏବଂ ଏଥିରେ ଖୁସି ଅଛି ବୋଲି ମନଦୀପ କହିଛନ୍ତି। ସାମାଜିକ ଦୂରତା ପାଳନ କରିବା ଏବଂ ଘର ଭିତରେ ଭଲରେ ରହିବା ଆବଶ୍ୟକତାକୁ ଦେଖି ଦଳର ବୈଜ୍ଞାନିକ ପରାମର୍ଶଦାତା ରବିନ୍ ଆରକେଲ୍ ବ୍ୟକ୍ତିଗତ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦେଇଛନ୍ତି। ଦଳ ଉପରେ ରବିନ ଭଲ ପ୍ରଭାବ ପକାଇଛନ୍ତି। ସେ ହଷ୍ଟେଲ ଭିତରେ ଆମକୁ ବ୍ୟକ୍ତିଗତ ବ୍ୟାୟାମର ସୂଚୀ ଦେଇଛନ୍ତି। ତାଙ୍କ ପରାମର୍ଶ ଅନୁଯାୟୀ ଆମେ ବ୍ୟାୟାମ କରୁଛୁ ବୋଲି ମନଦୀପ କହିଛନ୍ତି। ଏସ୍ଭି ସୁନିଲ, ରମଣଦୀପ ସିଂହ, ଆକାଶଦୀପ ସିଂହ ଓ ମୋ ଭିତରେ ଭଲ ବନ୍ଧୁତା ରହିଛି। ଆମେ ବହୁ ଦିନ ଧରି ଏକାଠି ଖେଳୁଛୁ ଏବଂ ପରସ୍ପରଠାରୁ ବହୁତ କିଛି ଶିଖିଛୁ। ଆମର ବନ୍ଧୁତା ପଡ଼ିଆ ଭିତରେ ପ୍ରତିଫଳିତ ହୁଏ ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଖେଳିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ ଥାଏ। ସଂପ୍ରତି କରୋନା ପାଇଁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯାଇଛି। ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ପ୍ରଥମ ଥର ଲାଗି ଖେଳିଥାନ୍ତେ ଭାରତୀୟ ମହିଳା ହକି ଦଳର ଡ୍ରାଗ୍ ଫ୍ଲିକର ଗୁରଜିତ କୌର। ଅଲିମ୍ପିକ୍ସ ଘୁଞ୍ଚିଯିବା ତାଙ୍କ ପାଇଁ ଏକ ହାଲୁକା ଧକ୍କା ବୋଲି କହିଛନ୍ତି ଗୁରଜିତ। ଅଲିମ୍ପିକ୍ସ ବିଳିମ୍ବ ହେବା ଆମକୁ ନିରାଶ କରିଥିଲା କିନ୍ତୁ ପ୍ରସ୍ତୁତି ହେବା ପାଇଁ ଦଳକୁ ଅଧିକ ସମୟ ମିଳିଗଲା। ମୁଁ ଏହାକୁ ଆର୍ଶୀବାଦ ଭାବେ ଗ୍ରହଣ କରିପାରିବି। ଶିବିରରେ କୌଣସି ଭୟ ନାହିଁ କିନ୍ତୁ କରୋନାକୁ ନେଇ ମନରେ ଟିକେ ଡର ରହୁଛି। ଦଳ ଏଠାରେ ସାମାଜିକ ଦୂରତା ବଜାୟ ରଖିବା ସହ ସମସ୍ତ ପ୍ରକାର ସାମାଜିକ ଦୂରତା ବଜାୟ ରଖିଛି, ସମସ୍ତ ସାବଧାନତା ଅବଲମ୍ବନ କରୁଛୁ ବୋଲି କହିଛନ୍ତି ଗୁରଜିତ। ଗୁରଜିତଙ୍କ କ୍ରୀଡ଼ା ଯାତ୍ରା ସହଜ ନଥିଲା। ପିତା ସତ୍ୟନମ ସିଂହ ପ୍ରତି ଦୁଇ ଦିନରେ ନିଜ ମୋଟରସାଇକେଲ୍ରେ ୧୫୦ କିଲୋମିଟର ଦୂରରେ ଥିବା ହକି ଅଭ୍ୟାସ ପଡ଼ିଆକୁ ନେଇଥାନ୍ତି। ଏହି ଏକାଡେମି ତାରନ ଜିଲ୍ଲାର କାୟରନ ଗ୍ରାମରେ ଥିବାବେଳେ ତାଙ୍କ ଘର ଅମୃତସର ଜିଲ୍ଲାର ମିଆଡି କାଲାନ ଗାଁରେ। ଏହା ସତ୍ତ୍ବେ ତାଙ୍କର ଅଭ୍ୟାସ କେଉଁଦିନ ବନ୍ଦ ନଥିଲା। ୨୦୧୪ରେ ରକ୍ଷଣାଭାଗ ଖେଳାଳି ଭାବେ ଦଳରେ ସ୍ଥାନ ପାଇଥିଲେ। ହେଲେ ସେ ବେଶି ଦିନ ଖେଳିବାକୁ ସୁଯୋଗ ନ ପାଇ ୩ ବର୍ଷ ଦଳ ବାହାରେ ରହିଥିଲେ। ଏହାପରେ ଡ୍ରାଗ୍-ପ୍ଲିକ୍ରେ ମନୋନିବେଶ କଲେ। ଦଳ ଜଣେ ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ସନ୍ଧାନରେ ଥିବାରୁ ସେ ପୁଣି ଦଳରେ ସ୍ଥାନ ପାଇଥିଲେ। ମୁଁ ବିଶ୍ବର ସମସ୍ତ ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞଙ୍କ ଭିଡିଓ ଦେଖିଲି ଏବଂ ପ୍ରଶିକ୍ଷଣ ବେଳେ ସେମାନଙ୍କ କୌଶଳ ଆପଣେଇବାକୁ ଚେଷ୍ଟା କଲି। ଏହା ମୋ ପାଇଁ ବହୁତ ଭଲ କାମ କଲା। ତଥାପି ମୋତେ ଏଥିରେ ଆହୁରି ପାରଙ୍ଗମ ହେବାକୁ ପଡ଼ିବ ବୋଲି ଏହି ୨୪ ବର୍ଷୀୟା ଡ୍ରାଗ୍ ପ୍ଲିକର୍ କହିଛନ୍ତି। ଯେତେବେଳେ ଏକ ପେନାଲ୍ଟି କର୍ଣ୍ଣର ମିଳେ, ପୂରା ଦଳ ମୋ ଆଡ଼କୁ ଚାହିଁଥାଏ। ଏହା ମୋତେ ଏତେ ଅନନ୍ଦ ଦେଇଥାଏ ଯେ କହିପାରିବିନି। ମୁଁ ପ୍ରଥମେ ଜଣେ ରକ୍ଷଣଭାଗ ଖେଳାଳି ଏବଂ ମୋର କାମ ହେଉଛି ଗୋଲ୍ ବଞ୍ଚାଇବା କିନ୍ତୁ ସତ କହିବାକୁ ଗଲେ ଗୋଟିଏ ଗୋଲ୍ ସ୍କୋର୍ କରିବା ମୋତେ ବେଶି ଖୁସି ଦେଇଥାଏ ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ଲକ୍ଡାଉନ୍ ଅବଧିର ଉପଯୋଗ କରିବା ପାଇଁ ହକି ଇଣ୍ଡିଆ ଏବେ ତା’ର ପ୍ରଶିକ୍ଷକମାନଙ୍କ ପାଇଁ ଏକ ନୂଆ ଉପାୟ ଆପଣେଇଛି। ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ସହ ମିଶି ହକି ଇଣ୍ଡିଆ ସାରା ଦେଶରେ ଅନ୍ଲାଇନ୍ ଜରିଆରେ ପ୍ରଶିକ୍ଷକମାନଙ୍କ ବିକାଶ ଅଧିବେଶନ ପରିଚାଳନା କରିଛି। ଏଥିରେ ହକି ଇଣ୍ଡିଆର ବିଦେଶୀ ପ୍ରଶିକ୍ଷକ, ବୈଜ୍ଞାନିକ ପରାମର୍ଶଦାତା ଏବଂ ହାଇପର୍ଫମା୍ସ ଡାଇରେକ୍ଟର ଭିଡିଓ କନ୍ଫରେନ୍ସ ଜରିଆରେ ଶିକ୍ଷା ଦେବେ। ଏହା ପ୍ରଶିକ୍ଷକଙ୍କ ପାଇଁ ‘ସାଇ’ର ମାସିଭ୍ ଓପନ୍ ଅନ୍ଲାଇନ୍ କୋର୍ସ କର୍ମଶାଳାର ଅଂଶବିଶେଷ। ଅନ୍ଲାଇନ୍ କର୍ମଶାଳାରେ ପାଖାପାଖି ୫୦୦୦ ପ୍ରଶିକ୍ଷକ ଅଂଶଗ୍ରହଣ କରୁଛନ୍ତି। ପ୍ରଶିକ୍ଷକଙ୍କୁ ଦୁଇଟି ଶ୍ରେଣୀରେ ବିଭିକ୍ତ କରାଯାଇ ବିକାଶ ଅଧିବେଶନ ଆୟୋଜନ କରାଯାଉଛି। ସେହି ଦୁଇଟି ଶ୍ରେଣୀ ହେଲା ‘ବେସିକ୍’ ଓ ‘ଇଣ୍ଟରମେଡିଏଟ୍’। ‘ବେସିକ୍’ ସ୍ତରର ପ୍ରଶିକ୍ଷଣ ଅଧିବେଶନକୁ ଭାରତ କନିଷ୍ଠ ମହିଳା ଦଳର ପ୍ରଶିକ୍ଷକ ଏରିକ୍ ୱନିକ୍ ପରିଚାଳନା କରିବେ। ସେଥିରେ ଅଣ ସାଇ ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକମାନେ ଅଂଶଗ୍ରହଣ କରିପାରିବେ। ଏମାନେ ହକି ଇଣ୍ଡିଆ ଦ୍ବାରା ହକି ଇଣ୍ଡିଆ ଅନ୍ଲାଇନ୍ ଏକାଡେମି ପ୍ଲାଟ୍ଫର୍ମରେ ପଞ୍ଜୀକୃତ ହେବେ। ‘ବେସିକ୍’ ପ୍ରଶିକ୍ଷଣ ଅଧିବେଶନ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୯ରୁ ୧୦ଟା ପର୍ଯ୍ୟନ୍ତ ହେବ। ଅନ୍ୟପକ୍ଷରେ ‘ଇଣ୍ଟରମେଡିଏଟ୍’ ସ୍ତରର ପ୍ରଶିକ୍ଷଣ ଅଧିବେଶନକୁ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ୍ ରିଡ୍, ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍, ଭାରତୀୟ ପୁରୁଷ ହକି ଦଳର ବିଶ୍ଲେଷଣାତ୍ମକ ପ୍ରଶିକ୍ଷକ କ୍ରିସ୍ ସିରିଏଲେ, ଭାରତୀୟ ମହିଳା ଦଳର ବିଶ୍ଲେଷଣାତ୍ମକ ପ୍ରଶିକ୍ଷକ ଜାନେକେ ଶ୍ଚୋପ୍ମ୍ୟାନ୍, ପୁରୁଷ ଦଳର ବୈଜ୍ଞାନିକ ପରାମର୍ଶଦାତା ରବିନ୍ ଅର୍କେଲ, ମହିଳା ଦଳର ବୈଜ୍ଞାନିକ ପରାମର୍ଶଦାତା ୱେନେ ଲୋମ୍ବାର୍ଡ ମିଳିତ ଭାବେ ପରିଚଳନା କରିବେ।