ଘଣ୍ଟାଏରେ ସରିଲା ବାରବାଟୀ ଦିନିକିଆ ପାଇଁ ଅନ୍‌ଲାଇନ୍‌ ଟିକେଟ, କ୍ରୀଡ଼ାପ୍ରେମୀଙ୍କ କାଉଣ୍ଟର ଟିକେଟକୁ ଅପେକ୍ଷା

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆଗାମୀ ୨୨ ତାରିଖରେ ଖେଳାଯିବାକୁ ଥିବା ବହୁ ପ୍ରତିକ୍ଷିତ ଭାରତ-ୱେଷ୍ଟଇଣ୍ଡିଜ୍‌ ତୃତୀୟ ଦିନିକିଆ ପାଇଁ ଗୁରୁବାର ଅନ୍‌ଲାଇନ୍‌ ଟିକେଟ ବିକ୍ରି ଶେଷ ହୋଇଯାଇଛି। ମାତ୍ର ଗୋଟିଏ ଘଣ୍ଟାରେ ୮୧୫୦ଟି ଟିକେଟ୍‌ ବିକ୍ରି ହୋଇଥିବା ଓସିଏ (ଓଡ଼ିଶା କ୍ରିକେଟ ଆସୋସିଏସନ୍‌) ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ତେବେ କ୍ରୀଡ଼ାପ୍ରେମୀମାନେ ବାରବାଟୀରେ କ୍ରିକେଟ୍‌ ଦେଖିବାକୁ ଚାହୁଁଛନ୍ତି ଏବଂ ସେମାନେ ଆଜି ଅନ୍‌ଲାଇନ୍‌ ଟିକେଟ ପାଇପାରି ନାହାନ୍ତି, ସେମାନଙ୍କୁ କାଉଣ୍ଟର ଟିକେଟକୁ ଅପେକ୍ଷା କରିବାକୁ ପଡ଼ିବ।

ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳାର ୩ୟ ମୁକାବିଲା ପାଇଁ ଆଜି ସନ୍ଧ୍ୟା ୫ଟାରେ ଅନ୍‌ଲାଇନ୍‌ ଟିକେଟ ବୁକିଂ ଆରମ୍ଭ ହୋଇଥିଲା। ଏହି ଟିକେଟ୍‌ଗୁଡ଼ିକ ୱେବସାଇଟ୍‌ ପେଟିଏମ୍‌.କମ୍‌ ଓ ଇନ୍‌ସାଇଡର.ଇନ୍‌ ମାଧ୍ୟମରେ ବିକ୍ରି କରାଯାଇଥିଲା।

ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ ବିକ୍ରି ହେବାର ୱେବ୍‌ସାଇଟ୍‌ ଯେତେବେଳେ ୫ଟାରେ ଖୋଲିଥିଲା, କ୍ରୀଡ଼ାପ୍ରେମୀମାନେ ଟିକେଟ୍‌ ବୁକିଂ କରିବାରେ ଲାଗିପଡ଼ିଥିଲେ। ସେଥିପାଇଁ ୱେବସାଇଟ୍‌ ବ୍ୟସ୍ତ ରହୁଥିଲା। ଏବେ ହଜାର ହଜାର ଖେଳପ୍ରେମୀ ଅନ୍‌ଲାଇନ୍‌ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ କାଉଣ୍ଟର ଟିକେଟକୁ ଅପେକ୍ଷା କରିବାକୁ ପଡ଼ିଛି। ସୂଚନାଯୋଗ୍ୟ ବାରବାଟୀ ଷ୍ଟାଡିୟମ୍‌ରେ କାଉଣ୍ଟର ଟିକେଟ ଡିସେମ୍ବର ୨୨ ପୂର୍ବରୁ ମିଳିବ। ଏଥି ପାଇଁ ଦର୍ଶକଙ୍କୁ ଧାଡ଼ିରେ ରହି ଟିକେଟ କିଣିବାକୁ ପଡ଼ିବ।

ସମ୍ବନ୍ଧିତ ଖବର