ନୂଆଦିଲ୍ଲୀ : ଗତବର୍ଷ ଖରାପ ସମୟ ବେଳେ ମହେନ୍ଦ୍ର ସିଂହ ଧୋନି ଏକମାତ୍ର ବ୍ୟକ୍ତି ଭାବେ ମୋ ପାଖରେ ରହିଥିଲେ ବୋଲି ଭାରତୀୟ ବ୍ୟାଟର ବିରାଟ କୋହଲି ‌ଶନିବାର ପ୍ରତିକ୍ରିୟା ଦେଇଛନ୍ତି। କୋହଲିଙ୍କୁ ତାଙ୍କ ଶତକୀୟ ପାଳିକୁ ଫେରିବା ପାଇଁ ତିନିବର୍ଷ ସମୟ ଲାଗିଥିଲା। ୨୦୧୯ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆରେ ଶତକ ମାରିବା ପରେ ଆଉ ତାଙ୍କ ବ୍ୟାଟ୍‌ରୁ ବଡ଼ ସ୍କୋର୍‌ ବାହାରୁନଥିଲା। ଶେଷରେ ଗତବର୍ଷ ସେପ୍ବେଟରରେ ଦୁବାଇରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଏସିଆ କପ୍‌ର ଆଫଗାନିସ୍ଥାନ ବିପକ୍ଷ ମ୍ୟାଚ୍‌ରେ ସେ ପୁଣି ଥରେ ଶତକ ଧାରାକୁ ଫେରିଥିଲେ। ଏହାପରେ ଡ‌ିସେମ୍ବରରେ ବାଂଲାଦେଶ ବିପକ୍ଷରେ ଶତକ ଅର୍ଜନ କରି ଦିନିକିଆରେ ଏହି ଧରାକୁ ଆସିଥିଲେ। ଏହାପରଠୁ ସେ ତିନିାଟି ଦିନିକିଆ ଶତକ ମାରି ଫର୍ମକୁ ଫେରିଛନ୍ତି।

Advertisment

ତେବେ ଯେଉଁ ସମୟରେ ତାଙ୍କ ବ୍ୟାଟ୍‌ ଶାନ୍ତ ରହିଥିଲା, ସେତେବେଳେ କେହି ତାଙ୍କୁ ସାହସ ଦେବା ପାଇଁ ଆଗେଇ ଆସୁନଥିଲେ। ପତ୍ନୀ ଅନୁଷ୍କା ଶର୍ମା ଓ ପିଲାଦିନର ପ୍ରଶିକ୍ଷକଙ୍କୁ ଛାଡ଼ିଦେଲେ କେବଳ ଧୋନି ହିଁ ତାଙ୍କୁ ଉତ୍ସାହିତ କରିଥିଲେ ବୋଲି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପୋଡକାଷ୍ଟରେ ପ୍ରକାଶ କରିଥିଲେ କୋହଲି। ଧୋନିଙ୍କ ସହ କୋହଲି ୧୧ ବର୍ଷ ଧରି ଡ୍ରେସିଂ ରୁମ୍‌ ସେୟାର କରିଥିଲେ। ଧୋନିଙ୍କୁ ଯେତେବେଳେ ବି ଫୋନ୍‌ କଲେ ସେ ତାହାର ଜବାବ ଦିଅନ୍ତିନାହିଁ। କିନ୍ତୁ ଆବଶ୍ୟକ ସମୟରେ ଧୋନିଙ୍କଠୁ ଜବାବ ମିଳିବା ଘଟଣା ଦୁଇଥର ଘଟିଛି। ଏପରିକି କୋହଲି ଯେତେବେଳେ ଟେଷ୍ଟ ଦଳର ନେତୃତ୍ବ ଛାଡ଼ି‌ଥିଲେ, ସେତେବେଳେ ଧୋନି ଏକମାତ୍ର ବ୍ୟକ୍ତି ଯିଏକି ତାଙ୍କୁ ମେସେଜ୍‌ କରିଥିଲେ ବୋଲି ସେ କହିଛନ୍ତି।