ଓଡ଼ିଶାର ଏକମାତ୍ର ପେସାଦାର ରେସର୍‌

୭ ବର୍ଷ ବୟସରୁ ବାଇକ୍‌ ଚାଳନା ଏବଂ ୧୧ ବର୍ଷ ବୟସରେ ବିଭିନ୍ନ ଦୁଃସାହସିକ ତଥା ବିପଜ୍ଜନକ ଷ୍ଟଣ୍ଟ୍‌ ଦେଖାଇବା ଆରମ୍ଭ କରିଥିବା ଉଦୀପ୍ତ ହେଉଛନ୍ତି ଓଡ଼ିଶାର ଏକମାତ୍ର ପେସାଦାର ମୋଟରସାଇକେଲ ରେସର। ରାଜ୍ୟ ଏବଂ ଜାତୀୟ ସରହଦ ପାର କରି ଗତବର୍ଷଠାରୁ ସେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ସାରିଲେଣି। ଆଗକୁ ଅନ୍ତଃମହାଦେଶୀୟ ଏବଂ ବିଶ୍ୱ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ୨୫ ବର୍ଷୀୟ ସାହସିକ ଯୁବକ। ମୋଟୋ ଗ୍ରାଁ ପ୍ରିର ସୁପରିଚିତ ତାରକା ଭାଲେଣ୍ଟିନା ରୁଷିଙ୍କୁ ନିଜ ଆଦର୍ଶ କରିଥିବା ଉଦୀପ୍ତ ପ୍ରଥମେ ଜଣେ ଫ୍ରିଷ୍ଟାଇଲ୍‌ ଷ୍ଟଣ୍ଟ୍‌ ରାଇଡର ଥିଲେ। ବିପିୟୁଟିରେ ପାଠ ପଢ଼ୁଥିଲା ବେଳେ ସାଙ୍ଗସାଥୀଙ୍କ ମହ ମିଶି ‘କ୍ଲବ୍‌ ମୋଟୋହେଡ୍‌ଜ୍‌’ ନାମକ ଏକ ସଂଗଠନ ଗଠନ କରି ନିଜ କଲେଜ୍‌ ଏବଂ ଅନ୍ୟ ସ୍ଥାନମାନଙ୍କରେ ବିଭିନ୍ନ ଷ୍ଟଣ୍ଟ ଦେଖାଉଥିଲେ। ଏହା ପରେ ୨୦୧୪ରେ ଏମ୍‌ଟିଭି ମାଉଣ୍ଟେନ୍‌ଡିଉ ଷ୍ଟଣ୍ଟ ଦଳରେ ସାମିଲ ହୋଇ ଓଡ଼ିଶାର ୧୨ ଏବଂ ପଶ୍ଚିମବଙ୍ଗର ୯ ସହରରେ ନିଜ ଯାଦୁ ଦେଖାଇଥିଲେ। ଏହି ଟୁର ହିଁ ତାଙ୍କ ପେସାଦାର ବାଇକର ଜୀବନର ପ୍ରଥମ ସ୍ପର୍ଶ ଥିଲା। ଯାହା ତାଙ୍କୁ ଜାତୀୟ ମୋଟୋରସାଇକେଲ ରେସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ପ୍ରେରଣା ଦେଇଥିଲା।

ଏଥିଲାଗି ସେ ୨୦୧୫ରେ ଚେନ୍ନାଇସ୍ଥିତ ଟିଭିଏସ୍‌ ଟ୍ରେନିଂ ସ୍କୁଲରେ ଆନୁଷ୍ଠାନିକ ପ୍ରଶିକ୍ଷଣ ନେଇଥିଲେ। ସେହିବର୍ଷ ଟିଭିଏସ୍‌ ଓ୍ଵାନ୍‌ ମେକ୍‌ ରେସିଂ ସିରିଜରେ ଭାଗନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ସଫଳତା ପାଇଁ ୨୦୧୬ରେ ତାଙ୍କୁ ସୁଜୁକି ଜିକ୍ସର କପ୍‌ରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିଲା। ସେହି ପ୍ରତିଯୋଗିତାରେ ସେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସେହି କ୍ୟାଲେଣ୍ଡର ବର୍ଷର ୧୦ଟି ଯାକ ଘରୋଇ ରେସ୍‌ରେ ଶୀର୍ଷ ୧୦ ସ୍ଥାନରେ ରହିବାରୁ ୨୦୧୭ରେ ତାଙ୍କୁ ମାଲେସିଆର ସେପାଙ୍ଗ ସର୍କିଟରେ ଆୟୋଜିତ ପିରେଲି ସୁପର ବାଇକ୍‌ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାର ସୁଯୋଗ ମିଳିଥିଲା। ସେଠାରେ ଏଆର୍‌ଡି ପର୍ଫରମାନ୍ସ ମୋଟରସ୍ପୋର୍ଟସ ରେସିଂ ଦଳର ପ୍ରତିନିଧିତ୍ୱ କରି ସେ ନିଜ ଦଳକୁ ଶ୍ରେଷ୍ଠ ୧୦ ଫିନିସ୍‌ ଦେଇଥିଲେ। ସୁପରସ୍ପୋର୍ଟସ ଏ ବର୍ଗର ଏହି ପ୍ରତିଯୋଗିତାରେ ସେ ୬୦୦ ସିସି ବାଇକ୍‌ ଚଳାଇବାର ସୁଯୋଗ ପାଇଥିଲେ। ଚଳିତବର୍ଷ ମଧ୍ୟ ସେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲକ୍ଷ୍ୟର ରହିଛନ୍ତି।

ଏଥିଲାଗି ତାଙ୍କ ମନୋନୟନ ବି ସରିଛି। ଏହା ପରେ ସେ ମୋଟରସାଇକେଲ୍‌ ରେସିଂର ସର୍ବୋଚ୍ଚ କ୍ରୀଡ଼ା ସୁପରସ୍ପୋର୍ଟ କିମ୍ବା ମୋଟୋ ଜିପିରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲକ୍ଷ୍ୟ ରଖିଛନ୍ତି। ତା’ ସହ ଉଦୀପ୍ତ ମଧ୍ୟ ଚଳିତ ବର୍ଷର ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଆବଶ୍ୟକ ଏଫ୍‌ଆଇଏମ୍‌ ଲାଇସେନ୍ସ ମଧ୍ୟ ଉଦୀପ୍ତ ହାସଲ କରି ସାରିଛନ୍ତି।

ସମ୍ବନ୍ଧିତ ଖବର