ଓଓଏ, ଓଏଏର ବାର୍ଷିକ ସାଧାରଣ ପରିଷଦ ବୈଠକ: କଟକରେ ହେବ ଆଥ୍‌ଲେଟିକ୍‌ ଏକାଡେମି

ଭୁବନେଶ୍ବର: କଟକରେ ହେବ ଏକ ଅତ୍ୟାଧୁନିକ ଆଥଲେଟିକ ଏକାଡେମି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ଆଥଲେଟ୍‌ଙ୍କୁ ବଛାଯାଇ ଏକାଡେମିରେ ରଖାଯିବ। ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଆଜି ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଓଡ଼ିଶା ଦୌଡ଼କୁଦ ସଂଘ (ଓଏଏ)ର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା।

ଓଏଏ ସମ୍ପାଦକ ଆଶୀର୍ବାଦ ବେହେରା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଆଗାମୀ ଦିନରେ ହେବାକୁ ଥିବା ଓଏଏର ବିଭିନ୍ନ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଗତ କାଉନସିଲ ବୈଠକରେ ଏକାଡେମି ପ୍ରତିଷ୍ଠା ନେଇ ମତ ରଖିଥିଲେ ଓଏଏର ସଭାପତି ଜି ଶ୍ରୀନିବାସ ପଟ୍ଟନାୟକ। ଏ ନେଇ ଆଜି ପୁଙ୍ଖାନୁପଙ୍ଖ ଭାବେ ଆଲୋଚନା କରାଯାଇଛି। ଓଏଏ ସହ ଅନୁବନ୍ଧିତ ପ୍ରତି ଜିଲ୍ଲାର ସଦସ୍ୟମାନଙ୍କୁ ଖେଳାଳି ଚୟନ ପ୍ରକ୍ରିୟାରେ ସହଯୋଗ କରିବାକୁ କୁହାଯାଇଥିଲା। ଖୁବଶୀଘ୍ର ଓଏଏର ଏକ ଦଳ ବିଭିନ୍ନ ଜିଲ୍ଲାକୁ ଯିବ ଓ ଏକାଡେମି ନିମନ୍ତେ ଖେଳାଳି ଚୟନ କରାଯିବ ବୋଲି ବୈଠକରେ କୁହାଯାଇଛି। ୨୦୨୧-୨୨ ବର୍ଷ ନିମନ୍ତେ ମୋଟ୍ ୪୫ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନ କରାଯାଇଥିଲା। ସର୍ବସମ୍ମତି କ୍ରମେ ଏହା ଗୃହୀତ ହୋଇଛି। ସେହିପରି ଓସିଏ ସମ୍ମିଳନୀ କକ୍ଷରେ ଓଡ଼ିଶା ଅଲିମ୍ପିକ ସଂଘ (ଓଓଏ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଓଓଏ ସମ୍ପାଦକ ଅଭିଜିତ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ସଦସ୍ୟତା ବୃଦ୍ଧି ଦିଗରେ ଆଲୋଚନା କରାଯାଇଛି। ଯେଉଁ କ୍ଲବ କିମ୍ବା ସଂଘ ୧୦ ବର୍ଷ ଧରି ଓଓଏର ଖେଳ ଅଧିକାର ପାଇଛନ୍ତି ସେମାନେ ସଦସ୍ୟ ହେବା ପାଇଁ ଆବେଦନ କରିପାରିବେ। ଆସନ୍ତା ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏଦିଗରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା। ସେହିପରି ଓଓଏର ୨୦୨୧-୨୨ ବର୍ଷ ନିମନ୍ତେ ୪କୋଟି ୫୫ ଲକ୍ଷ ୬୭ ହଜାର ୧୮୮ ଟଙ୍କା ବଜେଟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର