‘ଅଧିକ ଛାତ୍ରାବାସ ଖୋଲିଲେ କବାଡ଼ି ବଢ଼ିବ’

କଟକ (ଦୀପ୍ତିରଂଜନ ସାମଲ): ଓଡ଼ିଶାରେ ଭଲ ଭିତ୍ତିଭୂମି ଅଛି। କବାଡ଼ି ପାଇଁ ପିଲାମାନଙ୍କର ଆଗ୍ରହ ରହୁଛି। କିନ୍ତୁ ସେମାନଙ୍କୁ ଯେତିକି ମାତ୍ରାରେ ସୁଯୋଗ ମିିଳିବା ଆବଶ୍ୟକ, ତାହା ମିଳୁନାହିଁ। ରାଜ୍ୟ ସରକାର ଅଧିକ ମାତ୍ରାରେ କ୍ରୀଡ଼ା ଛାତ୍ରାବାସ ନିର୍ମାଣ କରିବା ଦରକାର। ଜାତୀୟ କ୍ଷେତ୍ରରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଅଧିକ ଛତ୍ରାବାସ କରିଥିବାରୁ ଅନେକ ମାତ୍ରାରେ ଖେଳାଳି ସୃଷ୍ଟି ହେଉଛନ୍ତି। ଓଡ଼ିଶାରେ ମଧ୍ୟ ସେଭଳି ଆରମ୍ଭ କରାଗଲେ ଓ ଯୋଗ୍ୟ ପ୍ରଶିକ୍ଷକଙ୍କୁ ନେଇ ତାଲିମ ଦେଲେ ଏଠାରୁ ମଧ୍ୟ ହରିୟାଣା, କର୍ଣ୍ଣାଟକ, ରେଲେଓ୍ଵ ଭଳି ଦଳକୁ ଟକ୍କର ଦେବାଭଳି ଖେଳାଳି ସୃଷ୍ଟି ହୋଇପାରିବେ ବୋଲି କହିଛନ୍ତି ଜାତୀୟ ଚୟନକର୍ତ୍ତା ମଙ୍ଗଲା ଦେଶାଇ କହିଛନ୍ତି। କଟକ ଜବାହାରଲାଲ୍‌ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଚାଲିଥିବା ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତାକୁ ଆସିଥିବାବେଳେ ମଙ୍ଗଳା ଭାରତୀୟ ଦଳ ଓ ପ୍ରୋ-କବାଡ଼ି ପାଇଁ ଖେଳାଳି ଚୟନ କରୁଛନ୍ତି।

ଓଡ଼ିଶା ଖେଳାଳିଙ୍କ ମ୍ୟାଚ ଦେଖି ସେ ଖୁବ୍‌ ପ୍ରଭାବିତ ହୋଇଛନ୍ତି। ବିଶେଷକରି ବାଳିକାମାନେ ପୂର୍ବାପେକ୍ଷା ଅଧିକ ଉନ୍ନତି କରିଛନ୍ତି। ସେମାନଙ୍କୁ ଅଧିକ ପ୍ରଶିକ୍ଷଣ ଓ ଖାଦ୍ୟପ୍ରଦାନ ସହ ତାଲିମ ଦିଆଗଲେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ମଙ୍ଗଲା କହିଛନ୍ତି। ତଥାପି ଓଡ଼ିଶା ଦଳରୁ ଦୁଇ ତିନିଜଣଙ୍କୁ ଭାରତୀୟ ଶିବିର ପାଇଁ ଡକାଯାଇପାରେ। ଏଠାରୁ ଅଧିକ ଅଲ୍‌ରାଉଣ୍ଡର ଖେଳାଳିଙ୍କୁ ଚୟନ କରାଯିବାକୁ ଯୋଜନା ଥିବା ସେ କହଛନ୍ତି। ଓଡ଼ିଶାରେ ଚାଲିଥିବା ଏହି ପ୍ରତିଯୋଗିତାକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଇଥିବାରୁ ଏଠାକାର ସୁବିଧା ସୁଯୋଗ ବିଷୟରେ ସାରା ଦୁନିଆ ଜାଣିପାରୁଛନ୍ତି। ସେହିପରି ବାଳକ ଦଳ ମଧ୍ୟ ଭଲ ଲଢେଇ କରୁଛନ୍ତି। ଦର୍ଶକଙ୍କ ସମର୍ଥନ ମିଳୁଛି। କେବଳ ବାଳିକା କ୍ରୀଡ଼ା ପ୍ରତି ଅଧିକ ଆଗ୍ରହ ଦିଆଗଲେ ଓଡ଼ିଶାରେ କବାଡ଼ିର ଭବିଷ୍ୟତ ଉନ୍ନତ ରହିବ ବୋଲି କୁହାଯାଇଛି।

ଅଲିମ୍ପିକ୍ସରେ କବାଡ଼ି ବର୍ତ୍ତମାନ ସ୍ଥାନ ପାଇପାରିନାହିଁ। ତେଣୁ ଏଥିପାଇଁ ପ୍ରଥମେ ଭାରତୀୟ ମହାସଂଘ ଓ ଭାରତ ସରକାର ଚେଷ୍ଟା କରିବା ଉଚିତ୍‌। ଏଥିପାଇଁ କବାଡ଼ିକୁ ସାରା ବିଶ୍ୱରେ ଆହୁରି ଅଧିକ ଲୋକପ୍ରିୟ କରାଇବାକୁ ପଡ଼ିବ। ଭାରତକୁ ଛାଡ଼ିଦେଲେ ବର୍ତ୍ତମାନ କେବଳ ପାକିସ୍ତାନ ଓ କୋରିଆ ଏହାକୁ ଅଧିକ ଖେଳୁଛନ୍ତି। ସବୁ ଦେଶ ଏକାଠି ହେଲେ ଖୁବ୍‌ଶୀଘ୍ର କବାଡ଼ିକୁ ମଧ୍ୟ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ମଙ୍ଗଲା ପ୍ରାୟ ୩୦ ବର୍ଷ ଧରି ଭାରତୀୟ କବାଡ଼ି ସହିତ ଜଡ଼ିତ। ଭାରତୀୟ ଦଳର ଅଧିନାୟିକ ରହିଥିବା ସହ ଭାରତୀୟ ରେଳବାଇ ତରଫରୁ ଖେଳିଆସୁଥିଲେ। ଗତବର୍ଷଠୁ ଖେଳିବା ଛାଡ଼ି ପ୍ରଶିକ୍ଷକ ପାଲଟିଛନ୍ତି। ଏବେ ଚୟନକର୍ତ୍ତା ଦାୟିତ୍ୱ ମିଳିଥିବାରୁ ଏହି ଗୁରୁଦାୟିତ୍ୱକୁ ସେ ସଠିକ୍‌ ଭାବେ ନିର୍ବାହ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର