ସିଂହପୁର: ବିଂଝାରପୁର ବ୍ଲକ୍ ସିଂହପୁରସ୍ଥିତ କାକୁଡ଼ି ପଡ଼ିଆରେ ରାଜ୍ୟସ୍ତରୀୟ ଶ୍ରାବଣୀ କପ୍ କ୍ରିକେଟ୍ ପ୍ରତିଯୋଗିତା ବୁଧବାରଠୁ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ କେନ୍ଦ୍ରାପଡ଼ାର ବାଲାବାବା ଦଳକୁ ୭ ଓ୍ଵିକେଟ୍ରେ ପରାସ୍ତ କରି ପାରାଦୀପର ବିସିସି କ୍ରିକେଟ୍ କ୍ଲବ୍ ଅଭିଯାନ ଆରମ୍ଭ କରିଛି। ବାଲାବାବା ଦଳ ନିର୍ଧାରିତ ୨୫ ଓଭରରେ ୭ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା। ଜବାବରେ ପାରାଦୀପ ଦଳ ୨୨ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଆଶିଷ ସାହୁ ୬୨ ବଲ୍ରେ ଅପରାଜିତ ୯୬ ରନ୍ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଡ. ରତିକାନ୍ତ ଦାସ ତାଙ୍କୁ ପୁରସ୍କୃତ କରିଥିଲେ। ନିରଂଜନ ଦାସ ଓ ବଂଶୀଧର ସ୍ୱାଇଁ ଖେଳ ପରିଚାଳନା କରିଥିଲେ।
ଉଦ୍ଘାଟନୀ ଉତ୍ସବରେ ବିଂଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦକିଶୋର ସାମଲ ମୁଖ୍ୟ ଅତିଥି ଓ ସରପଞ୍ଚ ରମାମଣୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗୁରୁବାର ପୁରୀର ମହାବୀର ସ୍ପୋର୍ଟିଂ କ୍ଲବ୍କୁ ଆୟୋଜକ ସିଂହପୁର ଶ୍ରାବଣୀ ଏକାଦଶ ଭେଟିବ।