ଉଦ୍‌ଘାଟନୀ ମ୍ୟାଚ୍‌କୁ ୧୦୪ ରନ୍‌ରେ ଜିତିଲା ସ୍କାନ୍‌

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ତୃତୀୟ ସଂସ୍କରଣ ଆଜି (ଶୁକ୍ରବାର)ଠାରୁ ଆରମ୍ଭ ହୋଇଛି। ଟାଉନ୍‌ କ୍ଲବ୍‌ ପଡ଼ିଆରେ ଉଦ୍‌ଘାଟନୀ ମୁକାବିଲାକୁ ବୃହତ୍‌ ବ୍ୟବଧାନରେ ସ୍କାନ୍‌ ସ୍ପୋର୍ଟିଂ ଜିତି ନେଇଛି। ଏହି ମ୍ୟାଚ୍‌ରେ ସ୍କାନ୍‌ ଦଳ ୧୦୪ ରନ୍‌ରେ ଜଟଣୀ ଷ୍ଟଡ୍‌ସକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଯାଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ସ୍କାନ୍‌ ଦଳ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୫୨ ରନ୍‌ କରିଥିଲା। ମୋହନ ସାହୁ (୬୭ ବଲ୍‌ରୁ ୯୧), ଅଜୟ ନାୟକ (୨୮ ବଲ୍‌ରୁ ୩୫) ଓ ସଞ୍ଜୟ ଶତପଥୀ ( ୧୫ ବଲ୍‌ରୁ ୨୬) ବିସ୍ଫୋରକ ବ୍ୟାଟିଂ କରିଥିଲେ। ଜଟଣୀ ଦଳ ପକ୍ଷରୁ ଭବାନୀଶଙ୍କର ପଣ୍ଡା, ସୌମେନ୍ଦ୍ର ମହାନ୍ତି, ନରସିଂହ ରାଓ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଜଟଣୀ ଦଳ ୧୫.୨ ଓଭରରେ ୯ ଓ୍ଵିକେଟ୍‌ ବିନିମୟରେ ମାତ୍ର ୬୮ ରନ୍‌ କରିପାରିଥିଲା। ଆହତ ଯୋଗୁଁ ଜଣେ ଖେଳାଳି ବ୍ୟାଟିଂ ପାଇଁ ଆସିନଥିଲେ। ବିଜୟୀ ସ୍କାନ୍‌ ଦଳ ପକ୍ଷରୁ ଦିଲିପ କୀର୍ତି ନାୟକ, ପ୍ରଶାନ୍ତ ପାଇକରାୟ ୨ ଲେଖାଏଁ ଓ ସଞ୍ଜୟ ଶତପଥୀ ଗୋଟିଏ ଓ୍ଵିକେଟ୍‌ ଦଖଲ କରିଥିଲେ। ମୋହନ ସାହୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦୌଡ଼କୁଦ ପ୍ରଶିକ୍ଷକ ନୀଳମାଧବ ଦେଓ, ନିର୍ମଳ ମିଶ୍ର ଓ ପବିତ୍ର ପ୍ରଧାନ ମ୍ୟାଚ୍‌ ପରିଚାଳନା କରିଥିଲେ।

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବିଜେପି ନେତା ସମୀର ମହାନ୍ତି ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଟାଉନ୍‌ କ୍ଲବ୍‌ ସଭାପତି ସୁରେଶ କୁମାର ରାଉତରାୟ, ସଂପାଦକ କୁମର ବେହରା, କ୍ରୀଡ଼ା ସଂପାଦକ ମନୋଜ ମହାପାତ୍ର, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, କର୍ପୋରେଟର ପୁଷ୍ପା ଦାଶ, ସୁଜିତ ସ୍ୱାଇଁ, ହୃଦୟବଲ୍ଲଭ ସାମନ୍ତରାୟ, ଶ୍ୟାମସୁନ୍ଦର ସାହୁ, ନରେନ୍ଦ୍ର କୁମାର ସେଠୀ, ଭବାନୀଶଙ୍କର ଗରାବଡୁ, ଶଶୀଶେଖର ଗରାବଡୁ, ଭାଗୀରଥି ମହାସୁଆର, କିଶୋର ଦାସ, ନାରାୟଣ ମହାପାତ୍ର, ପ୍ରମୋଦ ଦାଶ, ମନୋଜ ବେହେରା ଓ ନିରଞ୍ଜନ ରାଉତରାୟ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ। ଶନିବାର ଦ୍ୱିତୀୟ ଦିନ କଟକର ଜୁଭେନାଇଲ ଓ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧିତ ଖବର