ଦ୍ୱିତୀୟ ରାମେଶ୍ୱେର କପ୍‌ କ୍ରିକେଟ୍‌ ଆରମ୍ଭ

ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା ଏମ୍‌ସିସି

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ କ୍ଲବ୍‌ ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ପ୍ରଥମ ଥର ଲାଗି ଆୟୋଜିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହୋଇଛି। ସ୍ଥାନୀୟ ବିଏମ୍‌ ହାଇସ୍କୁଲ୍‌ ପଡ଼ିଆରେ ରବିବାର ଖେଳାଯାଇଥିବା ଗ୍ରୁପ୍‌-ଏ’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଏମ୍‌ସିସି (ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌) ବିଜୟୀ ହୋଇଛି। ଏହି ଦଳ ୯ ଓ୍ଵିକେଟ୍‌ରେ ବିବିସିଏ ଦଳକୁ ପରାସ୍ତ କରିଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବିବିସିଏ ୧୫.୩ ଓଭରରେ ମାତ୍ର ୪୮ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଏମ୍‌ସିସି ପକ୍ଷରୁ ସଫଳ ବୋଲର ଭାବେ ଶୁଭମ୍‌ ଶ୍ରୀ, ରାହୁଲ୍‌ ଶର୍ମା ଓ ସୁର୍‌ଜିତ୍‌ କୁମାର ୨ଟି ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଏମ୍‌ସିସି ୯.୨ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ୫୧ ରନ୍‌ କରି ନେଇଥିଲା। ବିସ୍ମୟ ରାଉତ ୨୭ ବଲ୍‌ରୁ ୨୪ ରନ୍‌ କରିଥିଲେ। ବିଜୟୀ ଦଳର ଶୁଭମ୍‌ ଶ୍ରୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦିବ୍ୟରଞ୍ଜନ ବେହେରା ଓ ଆଲୋକ ଦାସ ଅତିଥି ଭାବେ ଯୋଗଦେଇ ଶୁଭମ୍‌ ଶ୍ରୀଙ୍କୁ ପୁରସ୍କୃତ କରିଥିଲେ। ପ୍ରିୟବ୍ରତ ପ୍ରଧାନ ଓ ଅରବିନ୍ଦ ମହାନ୍ତି ମ୍ୟାଚ୍‌ ପରିଚାଳନା କରିଥିଲେ। ପ୍ରତିଯୋଗିତାକୁ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏବଂ ଆନ୍ତର୍ଜାତିକ କ୍ରିକେଟର୍‌ ଦେବାଶିଷ ମହାନ୍ତି ଉଦ୍‌ଘାଟନ କରିଥିଲେ। ଆସନ୍ତାକାଲି କିଶୋର କ୍ଲବ୍‌ ଓ ଓସ୍କାର୍‌ ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧିତ ଖବର