ପ୍ୟାରିସ୍: ବହୁପ୍ରତୀକ୍ଷିତ ପ୍ୟାରିସ୍ ଅଲିମ୍ପିକ୍ସ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍ ବାହାରେ ଏବଂ ନଈ ମଝିରେ ଅନୁଷ୍ଠିତ ହେବ। ଏଥିଲାଗି ପ୍ୟାରିସ୍‌ର ସେନ୍ ନଦୀ ଭିତରେ ଓ କୂଳରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅଂଶଗ୍ରହଣକାରୀ ଦେଶଙ୍କ ପାରମ୍ପରିକ ପରେଡ୍ ପ୍ୟାରିସ୍‌ ଛାତିରେ ବହି ଯାଉଥିବା ସେନ୍ ନଈର ନୀଳ ଜଳରେ ପୂର୍ବରୁ ପଶ୍ଚିମ ୬ କିଲୋମିଟର ଧରି ଦେଖିବାକୁ ମିଳିବ। ଆଖି ଝଲସେଇ ଦେଲାଭଳି ଆତସବାଜି, ନୃତ୍ୟ ଓ ସଂଗୀତର ତାଳେତାଳେ ୧୦,୦୦୦ରୁ ଅଧିକ ଖେଳାଳି ୧୦୦ଟି ନୌକାରେ ବସି ନତ୍ରେ ଡେମ୍, ପଣ୍ଟ ଡେସ୍ ଆର୍ଟସ, ପଣ୍ଟ ନିଉଫ୍ ଭଳି ପ୍ୟାରିସ୍‌ର ବହୁ ଐତିହାସିକ ସ୍ଥଳୀ ଅତିକ୍ରମ କରିବେ। ନଈର ଦୁଇ ପଟେ ଦର୍ଶକ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଖେଳାଳିଙ୍କୁ ସ୍ବାଗତ କରିବେ। ଏହି ଭାସମାନ ପରେଡ୍ ଅଲଷ୍ଟର୍‌ଲିଜ୍ ପୋଲଠାରୁ ଆରମ୍ଭ ହୋଇ ଟ୍ରୋକାଡେରୋଠାରେ ‌‌ଶେଷ ହେବ। ଟ୍ରୋକାଡେରୋଠାରେ ହିଁ ଅଲିମ୍ପିକ୍ସର ପୁରୁଣା ରୀତିନୀତି ସହ ମନ୍ତ୍ରମୁଗ୍ଧକାରୀ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ଯାହା ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିବ।

Advertisment

ବହୁ ରାଷ୍ଟ୍ରର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ କ୍ରୀଡ଼ା, ରାଜନୀତି, ଚଳଚ୍ଚିତ୍ର ଓ କଳା ଜଗତର ବହୁ ବିଶ୍ବପ୍ରସିଦ୍ଧ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହିବେ। ଏଥିରେ ଫ୍ରାନ୍ସର ମହାନ ଇତିହାସ ସହ ଅଲିମ୍ପିକ୍ସ ଓ ତତ୍‌ସଂପର୍କିତ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ଫ୍ରାନ୍ସର ପ୍ରସିଦ୍ଧ ନାଟ୍ୟ ନିର୍ଦ୍ଦେଶକ ଥୋମାସ ଜୋଲିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ। ଉଦ୍‌ଘାଟନ ପରେ ଅଲିମ୍ପିକ୍ସ ପତାକା ଉତ୍ତୋଳନ ସହ ଅଲିମ୍ପିକ୍ସ ସଂଗୀତ ଗାନ କରାଯିବ। ପରେ ଖେଳାଳି, ବିଚାରକ ଓ ଅଧିକାରୀ ଶପଥ ଗ୍ରହଣ କରିବେ। ତା’ ସହିତ ୨୦୬ ଦେଶର ୧୦୭୧୪ ପ୍ରତିଯୋଗୀ ୩୨ କ୍ରୀଡ଼ାର ୩୨୯ ଇଭେଣ୍ଟ୍‌ରେ ପଦକ ଜିତିବାର ପ୍ରୟାସ ଆରମ୍ଭ କରିବେ। ବିଶ୍ବ କ୍ରୀଡ଼ାର ଏହି ସର୍ବବୃହତ୍ ମହାକୁମ୍ଭ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଲିମ୍ପିକ୍ସ ମଶାଲ ପ୍ରଜ୍ଜ୍ବଳନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ପ୍ୟାରିସ୍ ପ୍ରଶାସନ ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ଉଦ୍‌ଘାଟନୀ ଉତ୍ସବର ସିଧା ପ୍ରସାରଣ ବିଶ୍ବର କୋଣ ଅନୁକୋଣରେ କରାଯିବ। ଉଦ୍‌ଘାଟନୀ ଉତ୍ସବ ଭାରତୀୟ ସମୟ ରାତି ୧୧ଟାରେ ଆରମ୍ଭ ହେବ। ଭାରତୀୟ ଦର୍ଶକ ଏହାର ମଜା ଉଠାଇପାରିବେ ସ୍ପୋର୍ଟସ-୧୮ ଚ୍ୟାନେଲ୍‌ରେ।

ଉଦ୍‌ଘାଟନୀ ଉତ୍ସବରେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ଓ କିଂବଦନ୍ତି ଟେବୁଲ୍ ଟେନିସ୍ ତାରକା ଶରତ କମଲ ଭାରତୀୟ ଦଳର ନେତୃତ୍ବ ନେବେ। ଭାରତୀୟ ପତାକା ଧରିବା‌ରେ ଉଭୟ ନିଜ ନିଜ ଖେଳର ପ୍ରଥମ ଖେଳାଳି ‌ହେବେ। ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସରେ ମୋଟ ୭ ପଦକ ଜିତିଥିଲା। ପୁଣି ଦୌଡ଼କୁଦରୁ ନୀରଜ ଚୋପ୍ରା ଦେଶକୁ ପ୍ରଥମ ସ୍ବର୍ଣ୍ଣ ଉପହାର ଦେଇଥିଲେ। ଏଥର ଭାରତ ପୂର୍ବ ପ୍ରଦର୍ଶନକୁ ଟପିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଏଥର ୧୬ଟି ଖେଳର ୬୯ ପଦକ ଲାଗି ଭାରତୀୟ ପ୍ରତିଯୋଗୀ ପ୍ରତିଦ୍ବନ୍ଦ୍ବିତା କରିବେ। ୧୧୨ ଖେଳାଳି ଖେଳିବେ। ୫ ସଂରକ୍ଷିତ ଖେଳାଳି ମଧ୍ୟ ଯେକୌଣସି ପ୍ରକାର ଆବଶ୍ୟକତା ଲାଗି ପ୍ୟାରିସ୍‌ରେ ଉପସ୍ଥିତ ରହିବେ। ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ପୁରୁଷ ଖେଳାଳି କୁର୍ତ୍ତା ଓ ବୁନ୍ଦି ପିନ୍ଧିବେ। ମହିଳା ଖେଳାଳି ତ୍ରିରଙ୍ଗାକୁ ଦର୍ଶାଉଥିବା ମନଲୋଭା ଶାଢ଼ି ପରିଧାନ କରିବେ। ଉଭୟ ପୋଷାକର ଡିଜାଇନ୍ ତରୁଣ ତାହିଲିଆନି କରିଛନ୍ତି।