ଜୁଲାଇ ୨୩ରେ ଉଦ୍‌ଘାଟନୀ, ଅଗଷ୍ଟ ୮ରେ ଉଦ୍‌ଯାପନୀ

ଲୌସାନେ: ସାଂପ୍ରତିକ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଜୁଲାଇ ୨୪ରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଏହାସତ୍ତ୍ବେ ସେହି ବହୁଦଳୀୟ ପ୍ରତିଯୋଗିତା ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। କରୋନା ଯାଗୁଁ ଦର୍ଶକଙ୍କୁ ଷ୍ଟାଡିୟମ୍‌ ମନା ଥିବାରୁ ଫାଙ୍କା ଷ୍ଟାଡିୟମ୍‌ରେ ପ୍ରତିଯୋଗିତା ଆୟୋଜନକୁ କେତେକ ନାପସନ୍ଦ କରୁଛନ୍ତି। ହେଲେ ଶୁକ୍ରବାର ଆୟୋଜକମାନେ ପୁନଃପ୍ରସ୍ତୁତି ପଥରେ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୂଚୀ ଘୋଷଣା କରିଛନ୍ତି। ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି) ଏବଂ ଜାପାନ ସରକାର ଗତ ମାର୍ଚ୍ଚରେ ଏହି କ୍ରୀଡ଼ାକୁ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ବେଳେ ସେବେଠାରୁ ଆୟୋଜକମାନେ ପୁନଃପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛନ୍ତି।

ଏପରିସ୍ଥଳେ ଶୁକ୍ରବାର ଘୋଷିତ ସୂଚୀ ଅନୁଯାୟୀ ୨୦୨୧ ଜୁଲାଇ ୨୩ ତାରିଖରେ ନବନିର୍ମିତ ନ୍ୟାସ୍‌ନାଲ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ସମାରୋହ ହେବ ବୋଲି ସ୍ପଷ୍ଟ ହୋଇଛି। ତେବେ ପୂର୍ଣ୍ଣାଙ୍ଗ ସୂଚୀ ଚୂଡାନ୍ତ ଅନୁମୋଦନ ଅପେକ୍ଷାରେ ରହିଥିଲା। ଯାହାକି ଶୁକ୍ରବାର ସ୍ପଷ୍ଟ ହୋଇଛି। ନୂଆ ସୂଚୀରୁ ଜଣାପଡ଼ିଛି ଉଦ୍‌ଘାଟନୀ ସମାରୋହର ଦୁଇ ଦିନ ପୂର୍ବରୁ ମହିଳା ସଫ୍‌ଟ ବଲ୍‌ (ଜୁଲାଇ ୨୧) ଫୁକୁସିମାରେ ଆରମ୍ଭ ହୋଇଯିବ। ଏହି ଖେଳର ଅଧିବେସନ ସମୟରେ ସାମାନ୍ୟ ପରିବର୍ତନ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ଇଭେଣ୍ଟ ଦୃଷ୍ଟିରୁ ସର୍ବବୃହତ ରହିବ। ଏଥିରେ ସର୍ବାଧିକ ୩୩୯ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିଲା ବେଳେ ଅଗଷ୍ଟ ୮ ତାରିଖରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଏହି କ୍ରୀଡ଼ାରେ ବ୍ୟବହୃତ ହେବାକୁ ଥିବା ୪୨ ଭେନ୍ୟୁକୁ ପୂରା ପ୍ରସ୍ତୁତ କରିବା ଆୟୋଜକଙ୍କ ପାଇଁ ବଡ଼ ପ୍ରତିବନ୍ଧକ ରହିଛି। ତଥାପି ଚଳିତ ସପ୍ତାହରେ ସମସ୍ତ ଭେନ୍ୟୁ ସୁରକ୍ଷିତ ହୋଇପାରିବ ବୋଲି ଟୋକିଓ ଅଲିମ୍ପିକ୍‌ କାର୍ଯ୍ୟନିର୍ବାହୀ ନିର୍ଦେଶକ ସାତୋଷୀ ୟାମାସୀତା କହିଛନ୍ତି। ମାରାଥନ୍‌ ଏବଂ ଚାଲି ରେସ୍‌ ସାପାରୋର ଉତ୍ତରାଞ୍ଚଳ ସହରରେ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର