ଏସୀୟ କ୍ରୀଡ଼ା: ଏକାଦଶ ଦିନରେ ଦଶମ ସ୍ୱର୍ଣ୍ଣ ପଦକ ଆଣିଲେ ଭାରତର ଅର୍ପିନ୍ଦର

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଅର୍ପିନ୍ଦର ସିଂହ ଭାରତକୁ ଦଶମ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ସେ ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଟ୍ରିପଲ ଜମ୍ପ ପ୍ରତିଯୋଗିତାରେ ବୁଧବାର ଫାଇନାଲରେ ୧୬.୭୭ ମିଟର ଡେଇଁ ଏହି ପଦକ ଜିତିଛନ୍ତି। ଚଳିତ ଏସୀୟ କ୍ରୀଡ଼ାର ଆଥଲେଟିକ୍ସ ବର୍ଗରେ ଏହା ହେଉଛି ଭାରତର ୪ର୍ଥ ସ୍ୱର୍ଣ୍ଣ ପଦକ। ଏହା ପୂର୍ବରୁ ତଜିନ୍ଦର ସଟପୁଟରେ, ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ ଓ ମନଜୀତ ସିଂହ ୮୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୫୩ଟି ପଦକ ମିଳିଛି। ଏଥିରେ ୧୦ଟି ସ୍ୱର୍ଣ୍ଣ ପଦକ ଓ ୨୦ଟି ରୌପ୍ୟ ପଦକ ସାମିଲ ଅଛି।

ଭାରତୀୟ ବକ୍ସର ଅମିତ ୪୯ କିଲୋ ଭାରବର୍ଗରେ ନିଜର ପଦକୁ ସୁନିଶ୍ଚିତ କରିଛନ୍ତି। ଅମିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ଉତ୍ତର କୋରିଆର ବକ୍ସର ରୟୋନ କିମ ଜଙ୍ଗ ୫-୦ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫିଲିପିନ୍ସର କାର୍ଲୋ ପାଲ୍ଲମଙ୍କୁ ଭେଟିବେ। ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅମିତଙ୍କୁ ରଜତ ପଦକ ମିଳିଥିଲା।

ସମ୍ବନ୍ଧିତ ଖବର